Odisha Elections 2024

ଉପଖଣ୍ଡରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୧ା୫ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ମହୁଲି ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍‌ ଭାବେ ଚଢ଼ାଉ କରାଯାଉ ନ ଥିବା ଯୋଗୁ ଚୋରା ମଦ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି କାରବାର ଚଳାଇଛନ୍ତି। ଏପରି କି ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ଦୈନିକ ଦେଶୀ ମଦ ଭାଟି କର୍ମଚାରୀମାନେ ବାଇକ୍‌ ଯୋଗେ ବିଭିନ୍ନ ଗ୍ରାମକୁ ଚୋରା ମଦ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ହଣ୍ଡପା, କିଶୋରନଗର, କିଆକଟା, ଆଠମଲ୍ଲିକ, ଠାକୁରଗଡ ଥାନାର ବଇଣ୍ଡା, ଜମ୍ବୁନାଳି, ମଧପୁର, ହିଞ୍ଜିରିଡା, ବିଲେଇନାଳି, ବୁଦୁଲିମୁଣ୍ଡା, କନ୍ଧରାମୁଣ୍ଡା, ଆମ୍ବାପାଳ, ହିମିତିରା, ଜଏରାଟ, ଧଉରାପାଲି, ସଞ୍ଜାମୁରା, ରଣିଆକଟା, ଉରୁକୁଳା, ସାନହୁଲା, ପେଡିପଥର, ମଇମୁରା, ସପଘରା, ହାଟପଦା, ପତାକା, ଆଠମଲ୍ଲିକ, ଜମ୍ବୁଡୋଲି, ଲୁହାସିଂହା, ମାଧପୁର, ପୁରୁଣାମାଣିତ୍ରି, କିଆକଟା, ବାସୁଦେବପୁର ଅଞ୍ଚଳରେ ଏହି ଚୋରା ମଦ କାରବାର ବୃଦ୍ଧି ପାଉଛି। କେତେଜଣ ଚୋରା ମଦ ବ୍ୟବସାୟୀ ବିଭିନ୍ନ ଗୁପ୍ତ ସ୍ଥାନରେ ଦେଶୀ ମହୁଲି ମଦ ରାନ୍ଧି ବ୍ୟବସାୟ କରୁଛନ୍ତି। ହେଲେ ଅବକାରୀ ବିଭାଗ ପକ୍ଷରୁ କେଉଁଠି କାଁ ଭାଁ ଚଢାଉ କରାଯାଇ ୫ ରୁ ୧୦ ଲିଟର ମଦ ଜବତ କରାଯାଉଛି।
ଏପ୍ରିଲ ଓ ମେ ମାସରେ ଅବକାରୀ ବିଭାଗ ପକ୍ଷରୁ ଆଠମଲ୍ଲିକ ଥାନାର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୩୦ ଲିଟର ମଦ ଜବତ ସହ ୧୪୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଏ ନେଇ ୪ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଠାକୁରଗଡ ଥାନା ଅଞ୍ଚଳରେ ୧୩୦ ଲିଟର ମହୁଲି ମଦ ଜବତ କରାଯାଇଛି। ୧୧ଟି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ହଣ୍ଡପା ଥାନା ଅଞ୍ଚଳରେ ୧୫ ଲିଟର ମଦ ଜବତ ସହ ୧୨୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ୨ଟି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। କିଶୋରନଗର ଥାନା ଅଞ୍ଚଳରୁ ୧୩୦ ଲିଟର ଦେଶୀ ମହୁଲି, ୪ ଲିଟର ବିଦେଶୀ ମଦ ଓ ୧୫ କୁଇଣ୍ଟାଲ ମହୁଲ ଜବତ କରାଯାଇଛି। ୧୨ଟି ମାମଲା ରୁଜୁ କରାଯିବା ସହ ୧୧ ଜଣଙ୍କୁ ଗିରଫ କରାଯାଇଛି। ବଇଣ୍ଡା ଠାରେ ଏକ ଅବକାରୀ ଥାନା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ଥାନା ଅଧୀନରେ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଥିବାବେଳେ ଦୀର୍ଘ ଦିନ ହେବ ଉପନିରୀକ୍ଷକ ପଦବୀ ଖାଲିପଡ଼ିଛି। ଜଣେ ସହକାରୀ ଉପ ନିରୀକ୍ଷକ ଓ ଜଣେ ମହିଳା କନଷ୍ଟେବଳ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ଅନୁଗୋଳରେ ରହୁଛନ୍ତି। ଫଳରେ ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଆଠମଲ୍ଲିକ ଅବକାରୀ ବିଭାଗ ଉପ ନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି କହିଛନ୍ତି, ବିଭାଗ ପକ୍ଷରୁ ଅନେକ ସମୟରେ ଉପଖଣ୍ଡର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ମଦ ଜବତ କରାଯାଉଛି। ବଇଣ୍ଡାଠାରେ ହୋଇଥିବା ନୂତନ ଥାନା କାମ ଶେଷ ହୋଇ ନ ଥିବାରୁ ବିଭାଗକୁ ହସ୍ତାନ୍ତର ହୋଇନାହଁି।

ଅବକାରୀ ଥାନା କାର୍ଯ୍ୟକ୍ଷମ ହେଉନି
ବଇଣ୍ଡା ଅଞ୍ଚଳରେ ନିର୍ମାଣ ହୋଇଥିବା ଅବକାରୀ ଥାନା କାର୍ଯ୍ୟକ୍ଷମ ହେଉନାହିଁ। ନିଯୁକ୍ତ କର୍ମଚାରୀମାନେ ମଧ୍ୟ ଏଠାରେ ରହୁ ନାହାନ୍ତି। ଚଳିତବର୍ଷ ମହୁଲ ଫୁଲ ପ୍ରଚୁର ମାତ୍ରାରେ ସଂଗ୍ରହ ହୋଇଥିବାରୁ କେତେଜଣ ଯୁବକ ମଦ ରାନ୍ଧି ବ୍ୟବସାୟ କରୁଛନ୍ତି।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ବଇଣ୍ଡା
ଠିକ୍‌ ଭାବେ ଚଢ଼ାଉ କରାଯାଉନି
ପଞ୍ଚାୟତର ଅନେକ ବିଦ୍ୟାଳୟ ନିକଟରେ ଚୋରା ଦେଶୀ ମହୁଲି ମଦ ବିକ୍ରି ହେଉଛି। କରୋନା ପାଇଁ ଠିକ୍‌ ଭାବେ ଚଢାଉ ହେଉ ନ ଥିବା ଯୋଗୁ ଗ୍ରାମାଞ୍ଚଳରେ ନିଶା କାରବାର ବୃଦ୍ଧିପାଉଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ।
-ସନ୍ତୋଷ ଦେହୁରୀ, ସାନଗୋବିନ୍ଦପୁର
ନୂଆ ବ୍ୟବସାୟୀଙ୍କୁ ଗିରଫ କରାଯାଉନି
ଘନ ଘନ ଚଢ଼ାଉ କରା ନ ଯାଇ କେତେଜଣ ପୁରୁଣା ଚୋରା ମଦ ବ୍ୟବସାୟୀଙ୍କୁ ପ୍ରତିବର୍ଷ ୨ ଥର ଲେଖାଏ ଗିରଫ କରି କାମ ସାରିଦିଆଯାଉଛି। ନୂଆ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଉନାହିଁ। ବିଭାଗୀୟ ଅଧିକାରୀମାନେ ଚାହିଲେ ଏହି ବ୍ୟବସାୟକୁ ରୋକା ଯାଇପାରିବ।
-ଅଞ୍ଜନ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ, ଆଠମଲ୍ଲିକ
ଚଢ଼ାଉ ପୂର୍ବରୁ ଫେରାର ହେଉଛନ୍ତି
କରୋନା ପାଇଁ ଏବେ ଠିକ୍‌ ଭାବେ ଚଢ଼ାଉ ହେଉନାହିଁ। ଏହାର ସୁଯୋଗ ନେଇ ଗ୍ରାମାଞ୍ଚଳର କେତେଜଣ ଯୁବକ ଜଙ୍ଗଲିଆ ସ୍ଥାନରେ ମହୁଲ ଫୁଲ ରାନ୍ଧି ବିକ୍ରି କରୁଛନ୍ତି। ଚଢ଼ାଉ ପୂର୍ବରୁ ବ୍ୟବସାୟୀମାନେ ସାମଗ୍ରୀ ଲୁଚାଇ ଫେରାର ହୋଇଯାଉଛନ୍ତି।
-ଗରକି ଦେଓ, ନାକିଚି


Enter your email to get our daily news in your inbox.

All Right Reserved By Dharitri.Com

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

ରାସ୍ତା ପାର୍ଶ୍ୱରେ ବସୁଛି ହାଟ

ବଇଣ୍ଡା, ୧୬ା୫ (ପରିକ୍ଷିତ ସାହୁ)ବର୍ଷ ବର୍ଷ ହେଲା ସରକାର ରାଜସ୍ବ ଆଦାୟ କରୁଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସାପ୍ତାହିକ ହାଟକୁ ନେଇ...

୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ

ଅନୁଗୋଳ,୧୫।୫(ଅମିତ କୁମାର ସାମଲ):ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଶୈଳଶ୍ରୀକ୍ଷେତ୍ରରେ ଜଗନ୍ନାଥ ଓ ଏହାପରେ ମା’...

ଅନୁଗୋଳ ଆସିବେ ମୋଦି

ଅନୁଗୋଳ,୧୩।୫(ଅମିତ କୁମାର ସାମଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା...

ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ...

ଦଳକୁ ବଳ ଯୋଗାଇବେ ହେଭିୱେଟ୍‌

ଅନୁଗୋଳ,୧୨।୫ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ହାତରେ ଆଉ ମାତ୍ର ଦିନକେଇଟା ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri