ଧାନ କିଣ, କ୍ଷମା ମାଗ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ହଟିବାକୁ ରାଜି ନୁହନ୍ତି। ବିରୋଧୀ -ଶାସକଙ୍କ ହଙ୍ଗାମା ଯୋଗୁ ବିଧାନସଭା ଲଗାତର ୫ ଦିନ ଧରି ଅଚଳ ହୋଇଛି। ଧାନ କିଣା ଅବ୍ୟବସ୍ଥାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଆକ୍ରମଣ ଜାରି ରଖିଛନ୍ତି। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ କ୍ଷମା ମାଗନ୍ତୁ ଦାବିରେ ଶାସକ ବିଜେଡି ସଦସ୍ୟମାନେ ଅଡ଼ି ବସିଛନ୍ତି। ବାଚସ୍ପତି ଗୃହକୁ ସ୍ବାଭାବିକ ଅବସ୍ଥାକୁ ଆଣିବାକୁ ସଫଳ ହୋଇପାରୁନାହାନ୍ତି। ଦୁଇଦିନ ହେବ ଘନଘନ ସର୍ବଦଳୀୟ ବୈଠକ ବସୁଛି, ହେଲେ ସମାଧାନର ବାଟ ଫିଟୁନାହିଁ। ବିରୋଧୀ ଦଳ ଧାନ କିଣାରେ ହେଉଥିବା ଅବ୍ୟବସ୍ଥାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡୁ୍‌ଥିବା ବେଳେ ଭାଜପା ସଭ୍ୟ ସୁବାସ ପାଣିଗ୍ରାହୀଙ୍କ କ୍ଷମାପ୍ରାର୍ଥନା ଦାବିରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛି ବିଜେଡି।
ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରଣକ୍ଷେତ୍ରରେ ପାଲଟିଯାଉଛି। ବିରୋଧୀ ଓ ଶାସକ ଦଳ ସଭ୍ୟଙ୍କ ହଟ୍ଟଗୋଳରେ ବିଧାନସଭା କାର୍ଯ୍ୟ ବରବାଦ ହେଉଛି। ଦିନତମାମ ଗୃହରେ ହଟ୍ଟଗୋଳ ଲାଗିରହିଛି। ବାଚସ୍ପତି ବାଧ୍ୟହୋଇ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି। ବୁଧବାର ମଧ୍ୟ ବିଧାନସଭାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଭା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ଧାନ ସମସ୍ୟାକୁ ନେଇ ଗୃହର ମଧ୍ୟଭାଗକୁ ଧସେଇ ପଶିଥିଲେ। ଶାସକ ଦଳର ସଦସ୍ୟମାନେ ମଧ୍ୟ ଭାଜପା ବିଧାୟକଙ୍କ କ୍ଷମା ମାଗିବା ଦାବିରେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ସମସ୍ତ ସଦସ୍ୟ ହଟ୍ଟଗୋଳରେ ମାତିଥିବାରୁ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିପାରି ନ ଥିଲେ। ଗୃହକୁ କିପରି ସ୍ବାଭାବିକ ଅବସ୍ଥାକୁ ଆଣିବେ ତାହା ମଧ୍ୟ ବୁଝିପାରି ନ ଥିଲେ। ପରିସ୍ଥିତି ବିଗୁଡୁଥିବା ଦେଖି ବାଚସ୍ପତି ମାତ୍ର ୧ ମିନିଟ୍‌ ପରେ ୧୦ଟା ୩୧ରୁ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଓ ଶାସକ ସଭ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୨ଟା ୧ ମିନିଟ୍‌ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ହଟ୍ଟଗୋଳରେ ମାତି ଯାଇଥିଲେ ବିରୋଧୀ ଓ ଶାସକ । ବାଚସ୍ପତି ସଦସ୍ୟମାନଙ୍କୁ ନିଜ ସିଟ୍‌କୁ ଯିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସି ନ ଥିଲା। ଗୃହରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ବାଚସ୍ପତି ପୁଣି ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷି ମନ୍ତ୍ରୀ ଅରୁଣ ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଣବ ପ୍ରକାଶ ଦାସ, ମୋହନ ମାଝି, ତାରା ପ୍ରସାଦ ବାହିନୀପତିଙ୍କୁ ବୈଠକରେ ଯୋଗଦେବାକୁ ସେ ଅନୁରୋଧ କରିଥିଲେ। କୌଣସି ଦଳ ନିଜ ଜିଦ୍‌ରୁ ଓହରିବାକୁ ରାଜି ନ ହେବାରୁ ବୈଠକରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିଲାନାହିଁ। ଫଳରେ ବାଚସ୍ପତି ବାଧ୍ୟହୋଇ ଗୃହକୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ଗୁରୁବାର ପୁଣି ସର୍ବଦଳୀୟ ବୈଠକ ହେବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଗୃହର ଅଚଳାବସ୍ଥା ଦୂର କରିବାକୁ ଭାଜପା ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆମେ ପ୍ରତିନିଧି ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛୁ। ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ଚଳିତ ବଜେଟ ଅଧିବେଶନରେ ଧାନ କିଣାକୁ ନେଇ ଗୃହରେ ବାରମ୍ବାର ଆଲୋଚନା ହେବା ଓ ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କର ପ୍ରତିଶ୍ରୁତି ଅସତ୍ୟ ପ୍ରମାଣିତ ହୋଇଛି। ଫେବୃୟାରୀ ୨୬ ତାରିଖରେ ଧାନ କିଣା ହେବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉ ନାହିଁ। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ବିରୋଧୀ ଦଳ ସଦସ୍ୟଙ୍କୁ ଯେକୌଣସି ସ୍ଥାନକୁ ଡାକି ଆଲୋଚନା କରି ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅବସାନ ଘଟାଇବାକୁ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନରସିଂହ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଛି। ସେବେଠାରୁ ଗୃହ ଅଚଳ ହୋଇ ରହିଛି। ଗୃହକୁ ଉଭୟ ଶାସକ ଓ ବିରୋଧୀ ଦଳ ଅଚଳକରି ରଖିଛନ୍ତି। ଗତ ୪ ଦିନ ହେବ ଶାସକ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ନେଇ ହଟ୍ଟଗୋଳ କରୁଛନ୍ତି। ଶାସକ ଦଳ ଭାଜପା ବିଧାୟକଙ୍କ କ୍ଷମାପ୍ରାର୍ଥନା ଦାବିରେ ଗୃହରେ ଅଚଳ କରିବାର କୌଣସି ଯଥାର୍ଥତା ନାହିଁ। ଯଦି ସମ୍ପୃକ୍ତ ବିଧାୟକ ଭୁଲ କରିଥିବା ବାଚସ୍ପତି ହୃଦୟଙ୍ଗମ କରିବେ ତେବେ ବିଧାନସଭାର କାର୍ଯ୍ୟବିଧି ଅନୁଯାୟୀ ଦଣ୍ଡିତ କରିପାରିବେ। ଗୃହର ନେତା ଭାବେ ଅଚଳାବସ୍ଥା ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିବା ଲାଗି ନରସିଂହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଧାନ କିଣାକୁ ନେଇ ବିରୋଧୀଙ୍କ ମଧ୍ୟରେ ରାଜନୀତି ଜୋର ଧରିଛି। ବିଜେଡି ଓ ଭାଜପା ଏମ୍‌ପିମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ପୃଥକ୍‌ ଭାବେ ଧାନ କିଣିବାକୁ ଦାବିପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri