ବାଲ୍ୟବିବାହରେ ନିଖୋଜ ଜୀବନ

କାଠମାଣ୍ଡୁ,୧୦।୩: ଜଣେ ସରକାରୀ ଅଫିସର ହେବାକୁ ସ୍ବପ୍ନ ଦେଖୁଥିଲେ ସ୍ବପ୍ନା। ପ୍ରତି ରାତିରେ ଧୂଳିଧୂସରିତ ରାସ୍ତାକଡ଼ରେ ଥିବା କୁଡ଼ିଆ ଭିତରେ ଏହି ୧୭ ବର୍ଷୀୟା ଝିଅ ଏକ ସୌର ବଲ୍‌ବ ଜଳାଇ ବହି ଖଣ୍ଡେ ଧରି ବସୁଥିଲେ। ସେ ମନେ ମନେ ଏକ ସୁନେଲି ଭବିଷ୍ୟତ ଗଢ଼ୁଥିଲେ, ଯାହାକି ତାଙ୍କ ମା’ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ କରୋନା ଭାଇରସ୍‌ ନେପାଳକୁ କବଳିତ କରିବା ପରେ ସ୍କୁଲଗୁଡ଼ିକ ବନ୍ଦ ହୋଇଗଲା। ଫଳରେ ସ୍ବପ୍ନା ଏକାଗ୍ରତା ହରାଇଲେ। ଗାଁରେ ପଡ଼ିରହି ଆଉ କିଛି କରିବାର ନ ଥିଲା। ଶେଷରେ ସେ ଜୀବିକା ହରାଇଥିବା ଜଣେ ଶ୍ରମିକଙ୍କ ସହ ବନ୍ଧୁତା କଲେ। ଦୁହେଁ ପ୍ରେମରେ ପଡ଼ିଲେ ଓ ବାହା ହୋଇଗଲେ। ସ୍ବପ୍ନା ଏବେ ତାଙ୍କ ପେସାଦାର ସ୍ବପ୍ନ ଦେଖିବା ଛାଡ଼ିଦେଇଛନ୍ତି। ଆଉ ସ୍କୁଲକୁ ଫେରିବା ଯୋଜନା ବି ନାହିଁ। ୨ ମାସର ପୁଅକୁ ସ୍ତନ୍ୟପାନ କରାଇବା ପାଇଁ ବସିପଡ଼ି ସ୍ବପ୍ନା କହିଲେ, ମୁଁ ପାଠପଢ଼ା ଛାଡ଼ି ନ ଥିଲେ ଜୀବନରେ ସବୁକିଛି ଭିନ୍ନ ହୋଇଥାଆନ୍ତା। ସ୍ବପ୍ନାଙ୍କ ପ୍ରିଭେସି ସୁରକ୍ଷା ପାଇଁ ତାଙ୍କ ପ୍ରକୃତ ନାମକୁ ଏଠାରେ ଲୁଚାଇ ଦିଆଯାଇଛି।

ଏସିଆର ଅନ୍ୟତମ ଦରିଦ୍ର ଦେଶ ନେପାଳ ବିଦେଶାଗତ ଅର୍ଥ ଓ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ମହାମାରୀ ଉଭୟ ଉତ୍ସକୁ ବହୁଳ ଭାବେ ପ୍ରଭାବିତ କରିଛି। ଅନ୍ୟ ବର୍ଷଗୁଡ଼ିକରେ ଏହି ସମୟରେ ବିଦେଶୀ ପର୍ଯ୍ୟଟକମାନେ ଅନ୍ନପୂର୍ଣ୍ଣା ପର୍ବତମାଳା ଓ ଏଭାରେଷ୍ଟ ଶୃଙ୍ଗ ଚଢ଼ିବା ପାଇଁ ନେପାଳ ମୁହଁା ହୋଇଥାଆନ୍ତି। ଚଳିତ ବର୍ଷ ସେମାନଙ୍କଠାରୁ ଆସୁଥିବା ଅର୍ଥର ସ୍ରୋତ ଶୁଖିଯାଇଛି।

ନେପାଳର ଏକ ଛୋଟ ସହରରେ ସ୍ବପ୍ନାଙ୍କ ସହ ଯାହା ଘଟିଲା, ସାରା ବିଶ୍ୱର ବିକାଶଶୀଳ ଦେଶଗୁଡ଼ିକରେ ପ୍ରାୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ବାଲ୍ୟବିବାହ ଦ୍ରୁତଗତିରେ ବଢ଼ିଚାଲିଥିବା ନେଇ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ସ୍ବଳ୍ପ ବୟସ୍କା ଝିଅମାନଙ୍କୁ ସ୍କୁଲରେ ବହିବସ୍ତାନି ସହ ବାନ୍ଧି ରଖିବା ପାଇଁ କଷ୍ଟ ଅର୍ଜିତ ବିକାଶକୁ ଅନେକ ବର୍ଷ ପଛକୁ ଟାଣିନେଇଛି କରୋନା ମହାମାରୀ। ଚଳିତ ଦଶନ୍ଧିରେ ଅତିରିକ୍ତ ୧୦ ନିୟୁତ ଝିଅ ୧୮ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ବାଲ୍ୟବିବାହର ଶିକାର ହୋଇପାରନ୍ତି ବୋଲି ସୋମବାର ପ୍ରକାଶିତ ଏକ ରିପୋର୍ଟରେ ୟୁଏନ୍‌ ଚିଲଡ୍ରେନ୍‌ ଫଣ୍ଡ୍‌ ଆକଳନ କରିଛି। ୟୁନିସେଫ୍‌ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ହେନ୍‌ରିଏଟ୍ଟା ଫୋର୍‌ କହିଛନ୍ତି, କୋଭିଡ୍‌-୧୯ ଲକ୍ଷ ଲକ୍ଷ ଝିଅଙ୍କ ପାଇଁ କଠିନ ପରିସ୍ଥିତି ସୃଷ୍ଟି କରିସାରିଛି। କମ୍‌ ବୟସରେ ବାହା ହୋଇଥିବା ବହୁ ଝିଅଙ୍କ ଜୀବନ ଅକାଳରେ ଝଡ଼ିପଡ଼ୁଥିବାରୁ ଚିନ୍ତା ଆହୁରି ବଢ଼ିଯାଇଛି। ଗର୍ଭାବସ୍ଥାରେ ଅସୁବିଧା ଓ ଶିଶୁ ଜନ୍ମହାର ବିକାଶଶୀଳ ଦେଶଗୁଡ଼ିକରେ ୧୫ରୁ ୧୯ ବର୍ଷୀୟା ଝିଅଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ। ବାଲ୍ୟବଧୂଙ୍କ ପିଲାମାନେ ମୃତ୍ୟୁ ମୁଖରେ ପଡ଼ିବା ଆଶଙ୍କା ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତରେ ମହାମାରୀ ସମୟରେ ଶିକ୍ଷାର ଅଭାବ, ଆର୍ଥତ୍କ ଦୁରବସ୍ଥା, ମା’ବାପାଙ୍କ ମୃତ୍ୟୁ ଓ ସ୍ବଳ୍ପ ବୟସରେ ଗର୍ଭବତୀ ହେବା ଭଳି କାରଣଗୁଡ଼ିକ ଯୋଗୁ ବାଲ୍ୟବିବାହ ବୃଦ୍ଧି ପାଇଛି।
କ୍ଷେତ୍ରରେ ଛୋଟ ଝିଅମାନଙ୍କୁ ମା’ବାପା ଓ ଅନ୍ୟ ଅଧିକାରୀମାନେ ବୟସ୍କ ବ୍ୟକ୍ତିଙ୍କ ସହ ବାହା ହେବା ପାଇଁ ବାଧ୍ୟ କରୁଛନ୍ତି। ବହୁ ବାଲ୍ୟବିବାହର ପଞ୍ଜୀକରଣ କରାଯାଉନାହିଁ। ୟୁନିସେଫ୍‌ ମତରେ ବିଶ୍ୱରେ ଏମିତି ୬୫୦ ନିୟୁତ ଝିଅ ଓ ମହିଳା ଅଛନ୍ତି, ଯାହାଙ୍କର ବାଲ୍ୟବିବାହ ହୋଇଥିଲା। ଭାରତ, ବାଂଲାଦେଶ, ନାଇଜେରିଆ, କେନିଆ, ଇଥିଓପିଆ ଓ ମାଳଦ୍ୱୀପରେ ବାଲ୍ୟବିବାହ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। କେତେକ ଅଞ୍ଚଳରେ ସ୍ବଳ୍ପ ବୟସରେ ଗର୍ଭବତୀ ହେବା ଘଟଣା ୩ ଗୁଣା ବଢ଼ିଛି। ନେପାଳରେ ବିବାହ ପାଇଁ ଆଇନତଃ ଯୋଗ୍ୟ ବୟସ ୨୦ ବର୍ଷ ହୋଇଥିବାବେଳେ ଏହି ସମସ୍ୟା ଉତ୍କଟ ହୋଇଛି।
ଲକ୍ଷ ନେପାଳୀ ଶ୍ରମିକ ବିଦେଶରେ କାମ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ରୋଷେୟା, ସଫେଇ କର୍ମୀ, ଚାକର, ଗାର୍ଡ ଓ ଧାଈ ଭାବେ ଭାରତ କିମ୍ବା ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରି ଜୀବିକା ଅର୍ଜନ କରିଥାଆନ୍ତି। ଏହିପରି ଭାବେ ୨୦୧୯ରେ ନେପାଳକୁ ବିଦେଶରୁ ଆସିଥିବା ଅର୍ଥର ପରିମାଣ ଥିଲା ୮.୨୫ ବିଲିୟନ୍‌ ଡଲାର। କିନ୍ତୁ ମହାମାରୀ ଯୋଗୁ ଅନେକ ଦେଶର ଅର୍ଥନୀତି ଦୋହଲିଯାଇଥିବାରୁ ଏହି ଉତ୍ସ ସଙ୍କୁଚିତ ହୋଇଯାଇଛି। ନିକଟରେ ବହୁସଂଖ୍ୟକ ନେପାଳୀ ଘରକୁ ଫେରିଛନ୍ତି। ନେପାଳର ସହରଗୁଡ଼ିକରେ ମଧ୍ୟ ଅନେକେ ନିଯୁକ୍ତି ହରାଇଛନ୍ତି। ବହୁ ଯୁବକ ଏବେ ପାହାଡ଼ପର୍ବତ ଘେରା ସେମାନଙ୍କ ଗାଁରେ ଘୂରିବୁଲୁଛନ୍ତି। ସେମାନଙ୍କ ମଧ୍ୟରୁ ହରଦାସ ଅନ୍ୟତମ, ଯାହାଙ୍କୁ ସ୍ବପ୍ନା ମନର ମଣିଷ କରିନେଇଥିଲେ। ହରଦାସ(୨୦) କାଠମାଣ୍ଡୁ ଓ ନେପାଳଗଞ୍ଜ ଭଳି ସହରରେ ବୁଲି ବୁଲି ମିସ୍ତ୍ରି କାମ କରୁଥିଲେ। କିନ୍ତୁ ଗତବର୍ଷ ଏପ୍ରିଲରେ ମହାମାରୀ ଯୋଗୁ କାମ ବନ୍ଦ ହୋଇଯିବାରୁ ସେ ତାଙ୍କ ଗାଁ ରାପ୍ତି ସୋନାରିକୁ ଫେରିଥିଲେ।
ତଳ ରାସ୍ତା ଧୂଳିରେ ଆଚ୍ଛାଦିତ ଘରଗୁଡ଼ିକ ମଧ୍ୟରୁ ଅଧିକାଂଶ ମାଟି ଓ ପଥରରେ ତିଆରି। ସ୍ବପ୍ନାଙ୍କ ବାପା ରାମ ଦୟାଲ ଏକ ଅଟୋ ରିକ୍ସା ଆଣିଥିଲେ ଠିକ୍‌ ଲକ୍‌ଡାଉନ୍‌ ପୂର୍ବରୁ। ଏବେ ଗ୍ରାହକ ମିଳୁ ନ ଥିବାବେଳେ ସେ ମାସକୁ ପ୍ରାୟ ୩୦ ହଜାର ଟଙ୍କା ଶୁଝୁଛନ୍ତି। ଝିଅ ଏତେ କମ୍‌ ବୟସରେ ବାହା ହୋଇଗଲା ବୋଲି ରାମ ଦୟାଲ ଖୁସି ନ ଥିଲେ। କିନ୍ତୁ ସ୍ବପ୍ନା ଘରଛାଡ଼ି ଶ୍ୱଶୁରାଳୟ ଗଲେ ଆର୍ଥିକ ବୋଝ କମିଯିବ ଭାବି ସେ ବିବାହକୁ ଅନୁମତି ଦେଇଥିଲେ। ଘରେ ଆଉ ୫ଟି ମୁହଁକୁ ଖୁଆଇବାକୁ ପଡ଼ୁଛି ନା। ସ୍ବପ୍ନା ଯଦି ଦଶମ ଶ୍ରେଣୀ ପାଠ ପଢ଼ିଦେଇଥାଆନ୍ତେ ତେବେ ତାଙ୍କ ଜୀବନ ଆଉ ଟିକେ ଭଲରେ କଟିଥାଆନ୍ତା ବୋଲି ରାମ ଦୟାଲ କହନ୍ତି। ସ୍ବପ୍ନାଙ୍କ ମା’ ଘୁମ୍‌ନୀ ମଧ୍ୟ ପାଠଶାଠ ପଢ଼ି ନ ଥିବା ଜଣେ ବାଲ୍ୟବଧୂ ଥିଲେ, ଯାହାଙ୍କ ୪ ପିଲାଛୁଆ ଅଛନ୍ତି। ବାଲ୍ୟବିବାହ ବିରୋଧରେ ଲଢ଼େଇ କରୁଥିବା କର୍ମୀମାନଙ୍କ ମତରେ ସେମାନେ ଅଭୂତପୂର୍ବ କଠିନ ପରିସ୍ଥିତିରେ କାମ କରୁଛନ୍ତି। ସମସ୍ୟା ବଢ଼ି ବଢ଼ି ଚାଲିଛି। ଦେଶ ସାରା ଏପରି ଅନେକ ପରିବାର ସେମାନଙ୍କ କାହାଣୀ ଶୁଣାଇଛନ୍ତି, ଯେଉଁମାନେ ନିଜ ଝିଅଙ୍କୁ ବାଲ୍ୟବିବାହ ଭିତରେ ନିଖୋଜ ହୋଇଯାଉଥିବା ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri