ଶିମଲା,୨୬ା୫: ହିମାଚଳ ପ୍ରଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୧୪ରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଅବଧିକୁ ୫ ସପ୍ତାହ ଲାଗି ବୃଦ୍ଧି କରାଯାଇଛି। ଜୟରାମ ଠାକୁରଙ୍କ ନେତୃତ୍ୱାଧୀନ ଭାଜପା ସରକାର ହମିରପୁର ଏବଂ ସୋଲାନ୍ ଜିଲାରେ ଜୁନ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବଢ଼ାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଜିଲା ପ୍ରଶାସନର ପ୍ରସ୍ତାବ କ୍ରମେ ସମସ୍ତ ଜିଲାରେ ଏହାକୁ ଲାଗୁ କରାଯାଇପାରିବ ବୋଲି ସରକାର କହିଛନ୍ତି। ପାହାଡ଼ପର୍ବତ ଘେରା ଏହି ରାଜ୍ୟରେ ଅଦ୍ୟାବଧି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୩ ଭୂତାଣୁ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡ଼ିଛି। କେବଳ ହମିରପୁରରେ ୬୩ ଓ ସୋଲାନ୍ରେ ୨୧ କରୋନା ରୋଗୀ ଅଛନ୍ତି। ଦେଶରେ ଜାରି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ମେ ୩୧ରେ ଶେଷ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ କଟକଣାକୁ କୋହଳ କରାଯିବା ସହ ଗାଡ଼ି ଓ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଉଛି।


