ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କୁ ଆକ୍ରମଣ ଘଟଣା: ୩୦୭ ଦଫା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ପରବିନ୍ଦର

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ପଞ୍ଜାବୀ ଯୁବକ ପରବିନ୍ଦର ସିଂ ପାଲ୍‌ଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ସମାଲୋଚନାର ଶିକାର ହୋଇଛି କମିଶନରେଟ ପୋଲିସ। କୋହଳ ଦଫା ଲଗାଯିବାରୁ ଗିରଫ ୩ ଅଭିଯୁକ୍ତ ଦୀପକ ଜେନା, ଶଙ୍କର ରାଉତ ଓ ଦୀପକ ମହାନ୍ତି କେଇଘଣ୍ଟାରେ ଜାମିନରେ ମୁକୁଳିଗଲେ। ପୋଲିସ ଚାପରେ ଏପରି କାର୍ଯ୍ୟ କରିଥିବା ଚର୍ଚ୍ଚା ଓ ଅଭିଯୋଗ ହେଉଥିବାବେଳେ ରାତି ଅଧରେ ବିଧାୟକ, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ଅନ୍ୟ ଦୁଇଜଣ ପରବିନ୍ଦରଙ୍କ ଘର କବାଟ ବାଡ଼େଇବା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଘଟଣା ସହ ରାଜନୈତିକ ଓ ପୋଲିସର ଲିଙ୍କ୍‌ ପଦାକୁ ଆସିବା ପରେ କମିଶନରେଟ ପୋଲିସ ବିବାଦକୁ ଟାଣିହୋଇଯାଇଛି। ଏପରିସ୍ଥଳେ ଭୁବନେଶ୍ୱରରେ ରହୁଥିବା ଶିଖ୍‌ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି। ଅଭିଯୁକ୍ତଙ୍କ ନାଁରେ ୩୦୭ ଦଫା ଲଗାଇବାକୁ ଦାବି କରି ଶୁକ୍ରବାର ଗୁରୁଦ୍ୱାରଠାରେ ମହମବତି ଶୋଭାଯାତ୍ରା କରାଯାଇଥିଲା। ଶନିବାର ପରବିନ୍ଦରଙ୍କ ଓକିଲ ସୁଖ୍‌ବିନ୍ଦର କୌର କହିଛନ୍ତି, ପୋଲିସ ଏଭଳି ଜାଣିଶୁଣି କୋହଳ ଦଫା ଲଗାଇଛି। ପୋଲିସ ନିଜ ଦୋଷ ଘୋଡାଇବାକୁ ଏବେ ମିଛ କହୁଛି। ମାମଲାରେ ୩୦୭ ଦଫା ଯୋଡ଼ିବାକୁ କୋର୍ଟରେ ଆବେଦନ କରାଯିବ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ନିକଟରେ ଦାବି ରଖାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଘଟଣାର ୬ଦିନ ପରେ ବି ପରବିନ୍ଦର ଓ ତାଙ୍କ ପରିବାର ସଦସ୍ୟଙ୍କ ମାନସିକ ସ୍ଥିତି ସ୍ବାଭାବିକ ହୋଇପାରିନି। ପୋଲିସ ଯାହା କରୁଛି ସେଥିରେ ବିଶ୍ୱାସ କିପରି ହେବ? ପୂରା ଘଟଣାକ୍ରମ ମୋ ମନକୁ ଆନ୍ଦୋଳିତ କରୁଛି। ପୋଲିସ ଉପରେ ଭରସା ପାଉନି ବୋଲି ପରବିନ୍ଦର ଦୁଃଖର ସହ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅପରାହ୍ନରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାର ଆପାର୍ଟମେଣ୍ଟ ସମ୍ମୁଖରେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପିସିଆର୍‌ ଇନ୍‌ଚାର୍ଜ ସୁବାସ ଚନ୍ଦ୍ର ରାଉତଙ୍କୁ ନିଲମ୍ବିତ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଚାପରେ ନୁହେଁ, ନିରପେକ୍ଷ ତଦନ୍ତ ହେଉ : ପୂର୍ବତନ ଡିଜିପି
ଘଟଣାକୁ ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିଜ ଟୁଇଟର ଆକାଉଣ୍ଟରେ ପ୍ରକାଶ ଲେଖିଛନ୍ତି ଯେ, ପରବିନ୍ଦର ପାଲ ସିଂଙ୍କ ଆକ୍ରମଣ ଘଟଣାକୁ ଦେଖିଲେ ପୂରା ରହସ୍ୟମୟ ଲାଗୁଛି। ଘଟଣା ଧୀରେ ଧୀରେ ଆହୁରି ରହସ୍ୟ ଭିତରକୁ ଚାଲିଯାଉଛି। ପୋଲିସ ଚାପରେ ନ ଆସି ଘଟଣାର ନିରପେକ୍ଷ ତଦନ୍ତ କରି ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କାକୁ ଶୀଘ୍ର ଦୂର କରନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି।

ଅନ୍ୟମାନଙ୍କୁ ଧରିବାକୁ ହାତ ଯାଉନି
ଘଟଣାକୁ ନେଇ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆକ୍ରମଣ ଘଟଣାରେ ୭ରୁ ୮ଜଣ ସମ୍ପୃକ୍ତ ଥିଲେ ମଧ୍ୟ ପୋଲିସ କେବଳ ୩ଜଣଙ୍କୁ ଗିରଫ କରି ବସି ପଡିଛି। ଅନ୍ୟମାନଙ୍କୁ ଗିରଫ କରିବାକୁ ପୋଲିସର ହାତ ଯାଉ ନ ଥିବାରୁ ପୂର୍ବରୁ ଗିରଫ ହୋଇଥିବା ଯୁବକମାନେ ପ୍ରକୃତ ଅଭିଯୁକ୍ତ କି ନୁହେଁ, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଯେଉଁମାନଙ୍କୁ ଗିରଫ କରାଗଲା ବୋଲି ଦର୍ଶାଯାଇଛି, ସେମାନଙ୍କ ବଦଳରେ ଅନ୍ୟ କେତେଜଣଙ୍କୁ ମୁହଁଘୋଡ଼ାଇ କୋର୍ଟରେ ହାଜର କରାଯାଇଥିବା ମଧ୍ୟ ଅଭିଯୋଗ ଉଠୁଛି। ଶୁକ୍ରବାର ମଧ୍ୟ ପୋଲିସର କାର୍ଯ୍ୟଧାରାକୁ ନେଇ ବରିଷ୍ଠ ଆଇନିଜୀବୀ ଚିତ୍ତରଞ୍ଜନ ଦାସ ପ୍ରଶ୍ନ କରିଥିଲେ।

ଦଫାକୁ ଠିକ୍‌ ନ ବୁଝି ଉଦ୍‌ଭ୍ରାନ୍ତ କରାଯାଉଛି: ପୋଲିସ କମିଶନର
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପୋଲିସ ଯାହା ପ୍ରମାଣ ପାଇଥିଲା, ସେହି ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଡାକ୍ତରୀ ରିପୋର୍ଟ ଆଧାରରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। କୋର୍ଟ ଉଭୟ ପକ୍ଷଙ୍କ କଥା ଶୁଣିବେ। କୋର୍ଟ ହୃଦବୋଧ କଲେ ଅଧିକ ଦଫା ଲଗାଇ ପାରନ୍ତି। ଡାକ୍ତରୀ ରିପୋର୍ଟ ନ ଦେଖି ଅଯଥା ମତ ଦେବା ଠିକ୍‌ ନୁହେଁ। ୩୦୭ ଦଫାକୁ ଠିକ୍‌ ନ ବୁଝି ଲୋକଙ୍କୁ ଉଦ୍‌ଭ୍ରାନ୍ତ କରାଯାଉଛି। କୋର୍ଟ ଯଦି ବେଲ୍‌ ଦେଲେ ପୋଲିସକୁ ଦୋଷ ଦେବା ଠିକ୍‌ କି ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri