Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ ଇଂଲଣ୍ଡ-ଅଷ୍ଟ୍ରେଲିଆ ସିରିଜ ଡ୍ର ରହିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ସିରିଜ ବିଜୟୀ ହେବାରେ ସକ୍ଷମ ହୋଇଛି। ଓ୍ବେଷ୍ଟଇଣ୍ଡିଜକୁ ଏହାର ଘରୋଇ
ମାଟିରେ ୨ ମ୍ୟାଚ ବିଶିଷ୍ଟ ସିରିଜରେ ହରାଇ ଭାରତ ପଏଣ୍ଟ
ଟେବୁଲର ଶୀର୍ଷରେ ରହିଛି…

ଟେଷ୍ଟ ହିଁ କ୍ରିକେଟର ଶ୍ରେଷ୍ଠ ଫର୍ମାଟ। ଟେଷ୍ଟ ଫର୍ମାଟକୁ ଆହୁରି ରୋମାଞ୍ଚକର ଏବଂ ମଜାଦାର କରିବା ପାଇଁ ଆଇସିସି ଭିନ୍ନ ପରିକଳ୍ପନା କରିଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ଭାରତ-ଓ୍ବେଷ୍ଟଇଣ୍ଡିଜ ଏବଂ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଇଂଲଣ୍ଡ-ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜ ଶେଷ ହୋଇଛି। ବିଶ୍ୱ ଟି୨୦ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ସମସ୍ତ ଫର୍ମାଟରେ ପରାସ୍ତ କରି ଟିମ୍‌ ଇଣ୍ଡିଆ କ୍ଲିନ ସୁଇପ୍‌ କରିଛି। ୱେଷ୍ଟଇଣ୍ଡିଜ ଗସ୍ତରେ ଯୁବ ଖେଳାଳିମାନଙ୍କୁ ନେଇ ପ୍ରଭାବୀ ପ୍ରଦର୍ଶନ କରିବା ଟିମ୍‌ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ଏକ ବଡ ସଫଳତା।
ଦୁର୍ବଳ ୱେଷ୍ଟଇଣ୍ଡିଜ ଏକଦା ବିଶ୍ୱ କ୍ରିକେଟରେ ଫାଷ୍ଟ ବୋଲିଂ ପାଇଁ ବିଶେଷ ପରିଚିତ ଥିଲା। ଏହି ଦଳର ବୋଲରଙ୍କୁ ମୁକାବିଲା କରିବା ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ଥିଲା। ମାତ୍ର ଏବେ ସେହି ଦେଶର ଦ୍ରୁତ ବୋଲିଂରେ ଧାର ନ ଥିବା ପ୍ରତୀୟମାନ ହେଉଛି। ଘରୋଇ ମାଟିରେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ସେମାନେ ସେପରି ପ୍ରଭାବ ପକାଇ ପାରିନାହାନ୍ତି। ଫଳରେ ବିରାଟ ବାହିନୀ ସିରିଜ ସୁଇପ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ନିଜର ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଭାରତୀୟ ଦ୍ରୁତ ବୋଲରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଯେପରି ୱେଷ୍ଟଇଣ୍ଡିଜ ବ୍ୟାଟିଂ ଲାଇନକୁ ଧ୍ୱସ୍ତ କଲେ ତାହା ପ୍ରଶଂସାଯୋଗ୍ୟ। ଯଶପ୍ରୀତ୍‌ ବୁମରା ଭାରତ ପାଇଁ ମୁଖ୍ୟ ଦ୍ରୁତ ବୋଲର ସାବ୍ୟସ୍ତ ହୋଇଥିଲେ ମଧ୍ୟ ଅଭିଜ୍ଞ ମହମ୍ମଦ ସାମି ଏବଂ ଇଶାନ୍ତ ଶର୍ମା ମଧ୍ୟ ଚମକତ୍ାର ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ। ଟେଷ୍ଟ ବୋଲର ହିସାବରେ ଇଶାନ୍ତ ଶର୍ମା ଯଥେଷ୍ଟ ଉନ୍ନତି କରିବା ସହିତ ବଲରେ ବିବିଧତା ଆଣିବାରେ ସକ୍ଷମ ହୋଇଥିଲେ। ଟିମ୍‌ ଇଣ୍ଡିଆ ଆଗକୁ ଦେଶ ବିଦେଶରେ ଖେଳିବାକୁ ଥିବା ଟେଷ୍ଟ ସିରିଜ ପ୍ରସ୍ତୁତ। ବୁମରା, ସାମି, ଇଶାନ୍ତ ଏବଂ ଉମେଶ ଯାଦବ ଭାରତୀୟ ପେସ ବୋଲିଂର ମୁଖ୍ୟ ଅସ୍ତ୍ର। ଅଗଷ୍ଟ ୧ରୁ ଆଇସିସି ଦ୍ୱାରା ଘୋଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ୍‌ ସିରିଜରୁ ଆରମ୍ଭ ହୋଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ବିଜୟ ଦ୍ୱାରା ଭାରତ ୧୨୦ ପଏଣ୍ଟ ସହିତ ଟେବୁଲର ପ୍ରଥମସ୍ଥାନ ଅଧିକାର କରିଛି। ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ସିରିଜ ୧-୧ରେ ଡ୍ର ରହିଥିଲା। ଫଳରେ ଉଭୟ ଦଳ ୬୦ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜରେ ଅଷ୍ଟ୍ରେଲିଆ ୨ଟି ଏବଂ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ଟେଷ୍ଟ ଡ୍ର ରହିଥିଲା। ଫଳରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୫୬ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ୨ଟି ଯାକ ଟେଷ୍ଟ ହାରିଥିବାରୁ ପଏଣ୍ଟ ଖାତା ଖୋଲି ପାରିନାହିଁ। ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ପାକିସ୍ତାନ ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ଟେଷ୍ଟ ଖେଳିବା ଆରମ୍ଭ କରି ନାହାନ୍ତି।
ଟେଷ୍ଟ କ୍ରିକେଟ ଏବଂ ଡେଜ୍‌ ମ୍ୟାଚର ଫର୍ମାଟକୁ ଉଜ୍ଜୀବିତ କରି ରଖିବାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏକ ଅଭିନବ ପ୍ରୟାସ। ଏପରି ଏକ ଉଦ୍ୟମ ପାଇଁ ଆଇସିସିକୁ ବିଶ୍ୱର କୋଣ ଅନୁକୋଣରୁ ଭୂୟସୀ ପ୍ରଶଂସା ମିଳିଛି। ୨୦୧୯ରୁ ଆଶେସ୍‌ ସିରିଜରୁ ଆରମ୍ଭ ହୋଇ ୨୦୨୧ ପର୍ଯ୍ୟନ୍ତ ଟେଷ୍ଟ ପ୍ଲେଇଂ ଦେଶଗୁଡିକ ମଧ୍ୟରେ ମ୍ୟାଚ/ସିରିଜ ଅନୁଷ୍ଠିତ ହେବ। ଶେଷରେ ଦୁଇବର୍ଷର ଫଳାଫଳକୁ ନେଇ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଦଳ ମଧ୍ୟରେ ୨୦୨୧ ଜୁନ୍‌ରେ ଇଂଲଣ୍ଡରେ ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ୯ଟି ସଫଳ ଦେଶକୁ ନେଇ ଏହି ଚାମ୍ପିୟନଶିପ୍‌ ଖେଳାଯାଉଛି। ଜିମ୍ବାୱେ ଦଳକୁ ଆଇସିସି ବାସନ୍ଦ କରିଥିବା ବେଳେ ନୂତନ ଭାବେ ଟେଷ୍ଟ କ୍ୟାପ ପାଇଥିବା ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଯୋଗ ପାଇ ନାହାନ୍ତି। ଆଇସିସିର ନିୟମ ଅନୁସାରେ ଏହି ୯ଟି ଦେଶ ଆଗାମୀ ଦୁଇବର୍ଷ ମଧ୍ୟରେ ୬ଟି ଲେଖାଏ ଦ୍ୱିପାକ୍ଷିକ ସିରିଜ ଖେଳିବେ। ଏହା ସେମାନଙ୍କର ବୋର୍ଡ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଇସିସି ଅନୁମୋଦନ ହୋଇଥିବା ଆବଶ୍ୟକ। ଏଥିପାଇଁ ପ୍ରତ୍ୟେକ ଦେଶ ନିର୍ଦ୍ଧାରିତ ୬ଟି ସିରିଜ ମଧ୍ୟରୁ ୩ଟି ସିରିଜ ନିଜ ମାଟିରେ ଖେଳିବାକୁ ଥିବା ବେଳେ ଅନ୍ୟ ୩ଟି ସିରିଜ ବିଦେଶରେ ଖେଳିବା ବାଧ୍ୟତାମୂଳକ। ମାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୯ଟି ଦେଶ ପ୍ରତି ଦଳ ବିପକ୍ଷରେ ଖେଳିବା ବାଧ୍ୟତାମୂଳକ ନୁହେଁ। ପ୍ରତ୍ୟେକ ଦଳ ୮ଟି ଟିମ୍‌ ବିପକ୍ଷରେ ନ ଖେଳି ୬ଟି ଦଳ ସହିତ ଖେଳିବା ଆବଶ୍ୟକ। ପ୍ରତ୍ୟେକ ସିରିଜ ପାଇଁ ୧୨୦ ପଏଣ୍ଟ ରହିଥିବା ବେଳେ କୌଣସି ଦ୍ୱିପାକ୍ଷିକ ସିରିଜରେ ଦୁଇଟିରୁ ପାଞ୍ଚୋଟି ଟେଷ୍ଟ ରହିବ।
ଟିମ୍‌ ଇଣ୍ଡିଆ ଆଗାମୀ ଦୁଇ ବର୍ଷ ମଧ୍ୟରେ ଘରୋଇ ପରିବେଶରେ ୩ଟି ଓ ବାହାରେ ୩ଟି ଟେଷ୍ଟ ସିରିଜ ଖେଳିବ। ଘରୋଇ ଟେଷ୍ଟ ସିରିଜ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଇଂଲଣ୍ଡ ମଧ୍ୟରେ ଖେଳିବା କାର୍ଯ୍ୟକ୍ରମ ରହିଛି। ବିଦେଶ ମାଟିରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ସିରିଜ ଖେଳି ସାରିଥିବାବେଳେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସହିତ ଆଗକୁ ଖେଳିବାକୁ ଅଛି। ଆସନ୍ତା ଅକ୍ଟୋବର, ନଭେମ୍ବରରେ ଦକ୍ଷିଣ ଆଫ୍ରିକା ସହିତ ଘରୋଇ ମାଟିରେ ୩ଟି ଟେଷ୍ଟ, ନଭେମ୍ବରରେ ବାଂଲାଦେଶ ସହିତ ୨ଟି ଟେଷ୍ଟ, ୨୦୨୦ ଫେବୃୟାରୀରେ ବିଦେଶରେ ନ୍ୟୁଜିଲାଣ୍ଡ ସହିତ ୨ଟି ଟେଷ୍ଟ, ଏହିବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ସହିତ ୪ଟି ଟେଷ୍ଟ ଏବଂ ୨୦୨୧ ଜାନୁୟାରୀ-ଫେବୃୟାରୀରେ ଘରୋଇ ମାଟିରେ ଇଂଲଣ୍ଡ ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
କ୍ରିକେଟ୍‌ର ଏହି ପାରମ୍ପରିକ ଫର୍ମାଟର ପରିକଳ୍ପନା ବାସ୍ତିବକ୍‌ ପ୍ରଶଂସାଯୋଗ୍ୟ। ଦିନକୁ ଦିନ ଟେଷ୍ଟ ମ୍ୟାଚରୁ କ୍ରୀଡାପ୍ରେମୀଙ୍କ ଆଗ୍ରହ କମିଯାଉଥିବାରୁ ଆଇସିସିର ଏହି ନୂତନ ପରିକଳ୍ପନାକୁ ସବୁ ଦେଶରୁ ପୂର୍ଣ୍ଣ ସମର୍ଥନ ମିଳିବାକୁ ଲାଗିଛି। ସମସ୍ତ ପୁରାତନ ଟେଷ୍ଟ ଖେଳାଳି ଏହାକୁ ସ୍ବାଗତ କରିବା ସହ ନୂଆ ପଦକ୍ଷେପ ଟେଷ୍ଟକୁ ନୂଆ ରୂପ ଦେବ ବୋଲି କହିଛନ୍ତି। ଗତ ଆଶେସ ଟେଷ୍ଟର ୩ୟ ମ୍ୟାଚରେ ଅମ୍ପାୟରଙ୍କ ଭୂମିକାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଅନୁରୋଧ କ୍ରମେ ଆଇସିସି ଅମ୍ପାୟର ଜୋଏଲ ୱିଲ୍‌ସନ୍‌ ଏବଂ କ୍ରିସ୍‌ ଗାଫନିଙ୍କୁ ମ୍ୟାଚ ପରିଚାଳନାରୁ ଅନ୍ତର କରିଥିଲା। ଡିଆରଏସ୍‌କୁ ନେଇ ମଧ୍ୟ ସମାଲୋଚନା ଆରମ୍ଭ ହୋଇଛି। ଏପରିକି ଆଇସିସିର ଟେକ୍ନିକାଲ୍‌ କମିଟି ଏହାକୁ ପୁନର୍ବିଚାର କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ମତି ଦେଇଛି। ଏଥିମଧ୍ୟରେ ’କ୍ୟାରମ ବଲ୍‌’ର ଜନକ ରହସ୍ୟମୟ ଶ୍ରୀଲଙ୍କା ସ୍ପିନର ଅଜନ୍ତା ମେଣ୍ଡିସ ନିଜର ଆକସନ୍‌ ପାଇଁ ଦୀର୍ଘ ୪ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବା ପରେ ଅବସର ଘୋଷଣା କରିଛନ୍ତି। ୨ୟ ଟେଷ୍ଟରେ ଯଶପ୍ରୀତ ବୁମରା ହ୍ୟାଟ୍ରିକ୍‌ ନେବାପରେ ପୂର୍ବତନ ଖେଳାଳି ଏବଂ ବର୍ତ୍ତମାନର କ୍ରିକେଟ ଭାଷ୍ୟକାର ଇଆନ୍‌ ବିଶପ୍‌ ତାଙ୍କର ବୋଲିଂ ଆକସନ୍‌କୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଜିମ୍ବାୱେର ପୁନଃ ପ୍ରତ୍ୟାବର୍ତ୍ତନକୁ ନେଇ ଆଲୋଚନା ଚାଲିଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପରିକଳ୍ପନାର ବାସ୍ତବତା ଏବଂ ସଫଳତା ଆଇସିସି ପାଇଁ ବେଶ୍‌ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ପଏଣ୍ଟ ଟେବୁଲ
ଦଳ ମ୍ୟାଚ ଜିତିଛି ହାରିଛି ଡ୍ର ପଏଣ୍ଟ
ଭାରତ ୨ ୨ ୦ ୦ ୧୨୦
ନ୍ୟୁଜିଲାଣ୍ଡ ୨ ୧ ୧ ୦ ୬୦
ଶ୍ରୀଲଙ୍କା ୨ ୧ ୧ ୦ ୬୦
ଅଷ୍ଟ୍ରେଲିଆ ୫ ୨ ୨ ୧ ୫୬
ଇଂଲଣ୍ଡ ୫ ୨ ୨ ୧ ୫୬
ଓ୍ବେଷ୍ଟଇଣ୍ଡିଜ ୨ ୦ ୨ ୦ ୦
ଦ.ଆଫ୍ରିକା ୦ ୦ ୦ ୦ ୦
ବାଂଲାଦେଶ ୦ ୦ ୦ ୦ ୦
ପାକିସ୍ତାନ ୦ ୦ ୦ ୦ ୦

-ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri