ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାନୁଆରି ୭ ତାରିଖରେ ପ୍ରେସ କ୍ଲବର ନୂତନ କମିଟି ଚୟନ ପରେ ଏହା ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିବାରୁ କ୍ଲବର ସଦସ୍ୟମାନେ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଥିଲା । ପ୍ରେସ କ୍ଲବ ସଭାପତି ସଂଗ୍ରାମ କେଶର ପଟନାୟକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ୱାଇ.ଦାମୋଦର ରାଓ, ସଂଗଠନ ସମ୍ପାଦକ ସୁଶାନ୍ତ ପ୍ରଧାନ ଓ ଯୁଗ୍ମ ସମ୍ପାଦକ ସୁଶାନ୍ତ ଦାସ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତେବେ ବନ୍ଧୁ ମିଳନ ଭୋଜି ପରେ କ୍ଲବ ସଭାପତି ସଂଗ୍ରାମ ଓ ସଦସ୍ୟ ବି.ଶ୍ରୀନିବାସଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ଉକ୍ତ ସେବା ସମାଜ ଗୃହ ପଡ଼ିଆ ସଫା କରି ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ । ଭୋଜିଭାତ କରିବା ପରେ ଅଳିଆ ସଫା କରି ଦୂରରେ ଫୋପାଡ଼ିଲେ ଉକ୍ତ ଅଂଚଳର ପରିବେଶ ସୁସ୍ଥ ରହିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଏଡିଆଇପିଆରଓ ଦେବରାଜ ଟାକିରି, ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା, ଜେକେ ପେପରମିଲର ଲୋକସମ୍ପର୍କ ଅଧିକାରୀ ସ୍ମୃତିରେଖା କର ଓ ଟିମ୍, ଉତ୍କଳ ଆଲୁମିନା ଇଂଟରନେସନାଲ କମ୍ପାନୀର ଜିଏମ୍ ପିତାମ୍ବର ବେହେରା, ସହ ଲୋକସମ୍ପର୍କ ଅଧିକାରୀ ଅମଜଦ୍ ଅଲୀ, ଆଦିତ୍ୟ ଆଲୁମିନା ରିଫାଇନେରୀ କମ୍ପାନୀର ସିଏସଆର ମୁଖ୍ୟ ତନ୍ମୟ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ବୈଠକରେ ପ୍ରେସ କ୍ଲବର ଉପସ୍ଥିତ ସଦସ୍ୟମାନେ ସାମ୍ବାଦିକଙ୍କ ସୁରକ୍ଷା ବୀମା ଓ ବିକାଶ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋର୍ କମିଟି ସଦସ୍ୟ ସୁବ୍ରତ ଚୌଧୁରୀ, ପୂର୍ବତନ ସଭାପତି ଯୋଗେଶ୍ୱର ଦାସ, ପୂର୍ବତନ ଉପସଭାପତି ସିଏଚ.ଶ୍ରୀନିବାସ, କେ.ନୀତିନ ଚୌଧୁରୀ, ଗୋପାଳ ଅଧିକାରୀ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

