ପୁରୁଷୋତ୍ତମପୁର,୨୫ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ଲାଗି ମହିଳାମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାଣି ଯୋଗାଇଦେବାକୁ ଦାବିକରି ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାକୁ ଦୁଇଘଣ୍ଟା ଧରି ଅବରୋଧ କରି ଧାରଣା ଦେଇଥଲେ। ଯାହା ଦ୍ବାରା ରାସ୍ତାରେ ଯାତାୟାତ ସମ୍ପର୍ଣ୍ଣ ରୂପେ ବନ୍ଦ ହୋଇପଡ଼ିଛି। ଏହାର ଖବରପାଇ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୪ ମାସ ହେଲା ଗ୍ରାମ୍ୟ ଜଳଯୋଗାଣ ବିଭାଗର ପାଇପ୍ଲାଇନରେ ପାଣି ଆସୁନାହିଁ। ଏହାକୁ ନେଇ ବିଡିଓ ଙ୍କଠାରେ ଦାବି କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାଦ୍ବାରା ବର୍ତ୍ତମାନ ପ୍ରଚଣ୍ଡ ଖରାହେଉଥିବା ବେଳେ ପାଣି ଟୋପାଏ ଲାଗି ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି।

