ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍ (ଆର୍ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ ଚଳାଚଳ ଭିଡ଼ ହ୍ରାସ ପାଇବା ସହ ଯାତ୍ରା ସମୟ ହ୍ରାସ ହୋଇପାରେ ଏବଂ ଜୀବନ ଓ ସମ୍ପତ୍ତିର ସୁରକ୍ଷା ବୃଦ୍ଧି ପାଇଥାଏ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସ୍ତାବିତ ୧୬୬ଟି ରେଲଓ୍ବେ ଓଭରବ୍ରିଜ ନିର୍ମାଣ ଅଗ୍ରଗତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଗତ କିଛିବର୍ଷ ଧରି ଆର୍ଓବି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ମନ୍ଥର ରହିଥିବାବେଳେ ଭାରତ ସରକାରଙ୍କ ୨୦୨୪ ରେଳନୀତିର ବ୍ୟବହାର ଯୋଗୁ ପୂର୍ବତଟ ରେଳପଥ ନିଜ ଖର୍ଚ୍ଚରେ ୯୬ଟି ରେଳ ଓଭରବ୍ରିଜ ନିର୍ମାଣ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଆପ୍ରୋଚ୍ ରୋଡ୍ ପାଇଁ ଜମି ଅଧିଗ୍ରହଣ, ନିର୍ମାଣର ଗୁଣବତ୍ତା, ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ଓ ବିଭିନ୍ନ ରାଜ୍ୟର ପ୍ରଶାସନ ସହ ସମନ୍ବୟ ବୃଦ୍ଧି ନେଇ ଆଲୋଚନା ହୋଇଥିଲା।
୧୧୨ଟି ରେଲଓ୍ବେ ଓଭରବ୍ରିଜ ପାଇଁ ଆପ୍ରୋଚ୍ ରୋଡ୍ର ଜମି ଅଧିଗ୍ରହଣ କାର୍ଯ୍ୟ ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି। ବୈଠକରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗ ଓ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ରାଜ୍ୟରେ ଯାତାୟତ ସୁବିଧା ବୃଦ୍ଧି ସହ ସୁରକ୍ଷା ଓ ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

