କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆୟୋଜିତ ବୈଠକରେ ଦଳର ବିଗୁଲ ବାଜିଛି। ଭାଜପାର ରାଜ୍ୟ ଉପସଭାପତି ତଥା କୋରାପୁଟ ଜିଲା ପ୍ରଭାରୀ ଭବେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ ସାଙ୍ଗଠନିକ ବୈଠକରେ ପଞ୍ଚାୟତସ୍ତରରେ ଦଳକୁ ଅଧିକ ମଜବୂତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜିଲା ସଭାପତି ଶିବ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ ତଥା ଜିଲା ପ୍ରଭାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡାଳକୁ ଅଧିକ ସୁଦୃଢ କରିବା, ସରକାରଙ୍କ ଯୋଜନା ଗ୍ରାମାଞ୍ଚଳ ଜନତାଙ୍କ ନିକଟରେ ପହଞ୍ଚାଇବା ଏବଂ ଦାଦନ ଶ୍ରମିକ ରୋକିବା ସହ ସ୍ବଛ ଶାସନ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା ନେଇ ପରାମର୍ଶ ଦେଇଥିଲେ। ଏଥିସହିତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଉକ୍ତ ଯୋଜନାକୁ କେନ୍ଦ୍ର ସରକାରଙ୍କ ପରିବର୍ତ୍ତନ କରାଯାଇ ଗରିବ ଲୋକଙ୍କ ବିକାଶ ଦିଗରେ ଭିବିଜି ରାମଜି ଯୋଜନା ପ୍ରଣୟନ କରାଯାଇଛି। ଏ ନେଇ ଦଳୀୟ କର୍ମୀଙ୍କ ସୂଚନା ଦିଆଯିବା ସହ ବର୍ତ୍ତମାନ ଅଣାଯାଇଥିବା ଭିବିଜି ରାମଜି ଯୋଜନାର ସ୍ବଚ୍ଛତା ଓ ଉପକାରୀତା ବିଷୟରେ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା।
ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଏଥିପାଇଁ କର୍ମୀମାନେ ତୃଣମୂଳସ୍ତରରେ ଲୋକଙ୍କ ନିକଟତର ହୋଇ ଡବଲ ଇଞ୍ଜିନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ପ୍ରତି ପଞ୍ଚାୟତସ୍ତରରେ ଲୋକଙ୍କୁ ଭାଜପା ଦଳର ଆଭିମୁଖ୍ୟ ଓ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଆକୃଷ୍ଟ କରିବାକୁ ଉପସ୍ଥିତ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦଳୀୟ ସାଙ୍ଗଠନିକ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ବିଧାୟକ ରଘୁରାମ ମାଛ, ଜିଲା ଭାଜପା ସଭାପତି ଶିବ ମୁଦୁଲି, ଏମ୍ପି ପ୍ରାର୍ଥୀ କାଳୀରାମ ମାଝୀ, ଜୟପୁର ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଓ କର୍ମୀମାନେ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily