ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଡିଜିଟାଲ ମୁଦ୍ରା ମାଧ୍ୟମରେ କାରବାର କରିବା ପାଇଁ RBI ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଏହି ପଦକ୍ଷେପ ଦ୍ୱାରା ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପେମେଣ୍ଟ ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ଆଶା କରାଯାଉଛି।
ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ୨୦୨୬ ବ୍ରିକ୍ସ ସମ୍ମିଳନୀ। ଏଠାରେ ଏହି ପ୍ରସ୍ତାବକୁ ସାମିଲ କରିବା ପାଇଁ ଆରବିଆଇ ସରକାରଙ୍କୁ ସୁପାରିଶ କରିଛି। ଯଦି ଏହି ପ୍ରସ୍ତାବ ଗୃହିତ ହୁଏ, ତେବେ ଏହା ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଏକ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ ହେବ। ଏହା ଦ୍ୱାରା ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମିପାରେ।
ବ୍ରିକ୍ସରେ ବ୍ରାଜିଲ, ରୁଷ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ସହିତ ୟୁନାଇଟେଡ ଆରବ ଏମିରେଟ୍ସ, ଇରାନ ଏବଂ ଇଣ୍ଡୋନେସିଆ ଭଳି ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।
ଭାରତର ଡିଜିଟାଲ ମୁଦ୍ରା ‘ଇ-ରୁପି’ ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇ ପ୍ରାୟ ୭୦ ଲକ୍ଷ ଉପଭୋକ୍ତା ପାଇସାରିଛି। ଭାରତ ଚାହୁଁଛି ଯେ ଏହି ଡିଜିଟାଲ ମୁଦ୍ରା ଅନ୍ୟ ଦେଶର CBDC ସହ ସଂଯୋଗ ହୋଇ ବିଶ୍ୱସ୍ତରରେ ଭାରତୀୟ ମୁଦ୍ରାର ବ୍ୟବହାର ବୃଦ୍ଧି ପାଉ।

