ସିଙ୍ଗୁର୍,୧୯ା୧
ପଶ୍ଚିମବଙ୍ଗ ଜନସାଧାରଣ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ କ୍ଷମତାରୁ ହଟାଇବା ସହ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ୧୫ ବର୍ଷର ମହା ଜଙ୍ଗଲରାଜର ଅନ୍ତ ଘଟାଇବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସିଲିଗୁଡ଼ିଠାରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୮୩୦ କୋଟି ଟଙ୍କା ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ କୋଲକାତାରୁ ଦେଶର ଅନ୍ୟ ଭାଗକୁ ସଂଯୋଗ କରୁଥିବା ୩ଟି ଅମୃତ ଭାରତ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଟିଏମ୍ସିର ମହା ଜଙ୍ଗଲରାଜକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ବହୁସଂଖ୍ୟାରେ ମା’, ଭଉଣୀ ଓ କୃଷକ ପ୍ରକୃତ ପରିବର୍ତ୍ତନ ଚାହଁାନ୍ତି। ପ୍ରତ୍ୟେକ ଜଙ୍ଗଲରାଜର ଅନ୍ତ ଚାହୁଁଛନ୍ତି। ଭାଜପା ପୁଣିଥରେ ବିହାରରେ ଜଙ୍ଗଲରାଜକୁ ରୋକିଥିବାବେଳେ ଏଥର ପଶ୍ଚିମବଙ୍ଗରେ ଟିଏମ୍ସିର ମହା ଜଙ୍ଗଲରାଜକୁ ବିଦାୟ ଦେବାକୁ ପ୍ରସ୍ତୁତ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସୁରକ୍ଷା ଓ ସୀମାନ୍ତ ସ୍ଥିତିକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଟିଏମ୍ସି ସରକାର ରାଜ୍ୟ ଓ ଦେଶର ସୁରକ୍ଷା ସହ ଖେଳୁଛନ୍ତି। ତେଣୁ ଏଠାକାର ଯୁବବର୍ଗଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ। ରାଜ୍ୟରେ ଅନୁପ୍ରବେଶ ପାଇଁ ଟିଏମ୍ସି ସବୁ ପ୍ରକାର ସୁବିଧା କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଏହି ଦଳ ବିକ୍ଷୋଭ କରୁଛି। ଗତ ୧୧ ବର୍ଷ ହେଲା କେନ୍ଦ୍ର ସରକାର ବାରମ୍ବାର ଟିଏମ୍ସି ସରକାରଙ୍କୁ ପତ୍ର ଲେଖି ରାଜ୍ୟ ସୀମାରେ ତାରବାଡ଼ ଲଗାଇବାକୁ କହିଆସୁଛି। ଏଥିପାଇଁ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ଟିଏମ୍ସି ଏହାକୁ ଭ୍ରୂକ୍ଷେପ କରୁନାହିଁ। ଅନୁପ୍ରବେଶକାରୀ ଗ୍ୟାଙ୍ଗଗୁଡ଼ିକୁ ସୁରକ୍ଷା ପ୍ରଦାନ ଏବଂ ସେମାନଙ୍କ ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିବାରେ ଶାସକ ଦଳ ପୃଷ୍ଠପୋଷକତା ପ୍ରଦାନ କରୁଛି। ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ସମୟ ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
Dharitri – The Largest & Most Trusted Odia Daily

