ଦାରିଙ୍ଗବାଡି, ୧୧।୧ (ଅରୁଣ ସାହୁ ): ଦାରିଙ୍ଗବାଡିର ଚଳଚଞ୍ଚଳ ରାସ୍ତା ମଧ୍ୟରେ ଚାରିଛକ ଠାରୁ ବ୍ଲକ ରାସ୍ତା ଏବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଦୈନିକ ଉକ୍ତ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି । ପ୍ରକାଶ ଯେ, ୫୯ନଂ ଜାତୀୟ ରାଜପଥର ଚାରିଛକ ଠାରୁ ପର୍ତ୍ତମାହା ଦେଇ କୋଟଗଡ଼କୁ ସଂଯୋଗ କରୁଥିବା ରାସ୍ତା ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ତେବେ ଚାରିଛକ ଠାରୁ ବ୍ଲକ ରାସ୍ତାର ଉଭୟ ପାଖରେ ରାଶନ ଦୋକାନ ସମେତ କପଡ଼ା, ଔଷଧ, ମୋବାଇଲ, ଷ୍ଟେସେନାରୀ, ଜଳଖିଆ ହୋଟେଲ ଆଦି ରହିଛି । ଯାହାକି ରାସ୍ତାକୁ ଲାଗି ଏହି ବ୍ୟବସାୟ ଅନୁଷ୍ଠାନ ଗୁଡିକ ରହିଛି । ରାସ୍ତା ସମ୍ପ୍ରସାରଣ ପୂର୍ବରୁ ଜବରଦଖଲ ଉଚ୍ଛେଦ କରାଯିବାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । କିନ୍ତୁ ରାସ୍ତାରେ ପିଚୁ କାର୍ଯ୍ୟ ସରିଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ଘଟୁଛି । ଫଳରେ ଏକାଧିକ ହୋଲସେଲ ରାଶନ ଦୋକାନ ଗୁଡିକ ରହିଥିବାରୁ ଦିନରେ ଭାରୀଯାନ ଗୁଡିକ ଦୋକାନ ସମ୍ମୁଖରେ ପାର୍କିଂ କରୁଛନ୍ତି ଯେଉଁ ସମୟରେ ଏହି ପାର୍କିଂ ହେଉଛି । ସେହି ସମୟରେ ହିଁ ବ୍ଲକ କାର୍ଯ୍ୟାଳୟ ସମେତ ସ୍ବାସ୍ଥ୍ୟକେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ସ୍କୁଲ ଓ କଲେଜକୁ ଲୋକଙ୍କ ଯାତାୟାତ ରହୁଛି । ଫଳରେ ଟ୍ରାଫିକ ଭିଡ଼ ଯୋଗୁ ଗାଡିମୋଟର ଯାତାୟାତ ସମସ୍ୟା ଉପୁଜୁଛି। ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ ମଧ୍ୟ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଉକ୍ତ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ପୋଲିସ ଏବଂ ତହସିଲଦାରଙ୍କ ଦୃଷ୍ଟିକୁ ନେଇଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉନଥିବା ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି । ଏନେଇ ଦାରିଙ୍ଗବାଡି ତହସିଲଦାର ଧୀରଜ ପାତ୍ରଙ୍କ ସହ ଯୋଗାଯୋଗ କରାଯିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି -ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଆମେ ଘୋଷଣା କରି ଗୋଟିଏ ସପ୍ତାହ ମଧ୍ୟରେ ଜବରଦଖଲ ଉଚ୍ଛେଦ କରିବୁ ।


