ଭଞ୍ଜନଗର,୪ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପିଇଓ ବିରେନ୍ଦ୍ର କୁମାର ଶାସ୍ତ୍ରୀଙ୍କୁ ତାରସିଂ ପୋଲିସ ଗୁରୁବାର ଗିରଫ କରିଛି। ବିରେନ୍ଦ୍ର ପଞ୍ଚାୟତ ଆକାଉଣ୍ଟରେ ଥିବା ବାର୍ଦ୍ଧକ୍ୟ ଭତ୍ତା ଏବଂ ଅଖା ବିକ୍ରି ଟଙ୍କାଙ୍କୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ୬ ଲକ୍ଷ ୭୦ ହଜାର ଟଙ୍କା ସେ ଉଠାଇ ନେଇଥିଲେ। ଏନେଇ ତାରସିଂ ପୋଲିସ ୪୨୫/୨୫ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଟଙ୍କା ଉଠାଇବା ସମୟରେ ଏକାଧିକ ବ୍ୟକ୍ତିଙ୍କ ଦସ୍ତଖତ ଦରକାର ପଡ଼ୁଛି। ତେଣୁ ଦସ୍ତଖତ କରିଥିବା କର୍ମଚାରୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଏଥିରେ ଯଦି ସେମାନେ ମଧ୍ୟ ଜଡ଼ିତ ଥିବାର ପ୍ରମାଣ ମିଳିବ ତେବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକର ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତ।
ପ୍ରକାଶ ଯେ, ପଞ୍ଚାୟତ ଆକାଉଣ୍ଟଗୁଡ଼ିକ ଠିକ୍ ଭାବେ ପରିଚାଳିତ ହେଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏହିଭଳି ପରିସ୍ଥିତିରେ ଗତମାସରେ ବିଡିଓ ଭାରତୀ ଦେବୀ କେତେକ ପଞ୍ଚାୟତରୁ ଏଭଳି ଅଭିଯୋଗ ପାଇବା ପରେ ଏକ ଟିମ୍ ଗଠନ କରିଥିଲେ ତଦନ୍ତ ପାଇଁ। ତଦନ୍ତ ସମୟରେ ବ୍ରାହ୍ମଣପଦର ପିଇଓ ପଞ୍ଚାୟତ ଆକାଉଣ୍ଟରୁ ଉକ୍ତ ଟଙ୍କା ଉଠାଇଥିବା ଜଣାପଡ଼ିଥିଲା। ତଦନ୍ତ ଟିମ୍ ଉଠା ଯାଇଥିବା ନଗଦ ଟଙ୍କା ପଞ୍ଚାୟତ ଲକରରେ ଅଛି କି ଜାଣିବାକୁ ଚାହିଁଥିଲେ। କିନ୍ତୁ ଟଙ୍କା ସେଠି ମଧ୍ୟ ନ ଥିଲା। ତେଣୁ ବେନିୟମ ଭାବେ ଟଙ୍କା ଉଠାଇ ଅର୍ଥ ଆତ୍ମସାତ କରିଥିବା ନେଇ ଟିମ୍ ବିଡିଓଙ୍କୁ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ବିଡିଓ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରି ଆଜି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ଏହିଭଳି ଅର୍ଥ ଆତ୍ମସାତ୍ ଆଉ କିଛି ପଞ୍ଚାୟତରେ ମଧ୍ୟ ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ତଦନ୍ତକୁ ଜୋରଦାର କରାଯାଇଛି।
Dharitri – Odisha’s No.1 Odia Daily


