ନୂଆଦିଲ୍ଲୀ,୧।୧୨: ଭାରତ ସରକାରଙ୍କ ଟେଲିକମ୍ ମନ୍ତ୍ରଣାଳୟ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଡିଭାଇସ୍ରେ ସରକାରୀ ସାଇବର ସୁରକ୍ଷା ଆପ୍ ‘ସଞ୍ଚାର ସାଥୀ’କୁ ପୂର୍ବରୁ ହିଁ ଇନ୍ଷ୍ଟଲ୍ କରିବାକୁ ହେବ ଏବଂ ଏହାକୁ ବ୍ୟବହାରକାରୀମାନେ ଡିଲିଟ୍ କରିପାରିବେ ନାହିଁ। ଏହି ପଦକ୍ଷେପ ଆପଲ୍ ଭଳି କମ୍ପାନୀ ଏବଂ ଗୋପନୀୟତା ସମର୍ଥକମାନଙ୍କୁ ଚିନ୍ତାରେ ପକାଇଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ କରିଛି ଯେ ନଭେମ୍ବର ୨୮ରେ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ, ପ୍ରମୁଖ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକୁ ନୂଆ ମୋବାଇଲ୍ ଫୋନରେ ଏହି ଆପ୍ ଇନ୍ଷ୍ଟଲ୍ କରିବାକୁ ୯୦ ଦିନ ସମୟ ଦିଆଯାଇଛି। ନିର୍ଦ୍ଦେଶରେ ସ୍ପଷ୍ଟ କୁହାଯାଇଛି ଯେ, ଉପଭୋକ୍ତାମାନେ ଏହି ଆପ୍କୁ ନିଷ୍କ୍ରିୟ ବା ଡିଲିଟ୍ କରିପାରିବେ ନାହିଁ।
ସରକାରଙ୍କ କହିବାନୁଯାୟୀ, ନକଲି କିମ୍ବା ଜାଲ୍ IMEI (International Mobile Equipment Identity) ନମ୍ବର ଯୋଗୁଁ ହେଉଥିବା ଠକାମି ଏବଂ ନେଟୱର୍କର ଅପବ୍ୟବହାରକୁ ରୋକିବା ପାଇଁ ଏହି ଆପ୍ ଅତ୍ୟନ୍ତ ଜରୁରୀ। ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ଆପ୍ ଜରିଆରେ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ହଜିଯାଇଥିବା ଫୋନ୍ ଉଦ୍ଧାର କରାଯାଇଛି ଏବଂ ୩.୭ ମିଲିୟନରୁ ଅଧିକ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ଫୋନ୍ ବ୍ଲକ୍ କରାଯାଇଛି। ଏହା ବ୍ୟତୀତ ୩୦ ମିଲିୟନରୁ ଅଧିକ ଜାଲ୍ ସଂଯୋଗ (fraudulent connections) ବନ୍ଦ କରାଯାଇଛି।
ଆପଲ୍, ସାମସଙ୍ଗ, ଭିଭୋ, ଓପୋ ଏବଂ ଶାଓମି ଭଳି କମ୍ପାନୀମାନେ ଏହି ନୂଆ ନିୟମ ପାଳନ କରିବାକୁ ବାଧ୍ୟ। ତେବେ, ଆପଲ୍ ସାଧାରଣତଃ ନିଜର ଉପକରଣରେ ସରକାରୀ କିମ୍ବା ତୃତୀୟ ପକ୍ଷର (third-party) ଆପ୍କୁ ପୂର୍ବରୁ ଇନ୍ଷ୍ଟଲ୍ କରିବାକୁ ବାରଣ କରିଥାଏ, ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।


