ନୂଆଦିଲ୍ଲୀ,୩୦।୧୧: ଟେସଲା ଏବଂ ସ୍ପେସ୍ ଏକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍ ମସ୍କ ପ୍ରକାଶ କରିଛନ୍ତି ଯେ ତାଙ୍କ ପାର୍ଟନର ସ୍ତ୍ରୀ ଶିଭୋନ୍ ଜିଲିସ୍ ଅଧା-ଭାରତୀୟ। ଜେରୋଧା ପ୍ରତିଷ୍ଠାତା ନିଖିଲ କାମାଥଙ୍କ ‘WTF is?’ ପଡକାଷ୍ଟରେ ଯୋଗ ଦେଇ ମସ୍କ ଏହି ବ୍ୟକ୍ତିଗତ ତଥ୍ୟ ଖୁଲାସା କରିଛନ୍ତି।
ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଜିଲିସ୍ଙ୍କ ସହ ତାଙ୍କର ଜଣେ ପୁଅର ମଧ୍ୟ ନାମ ହେଉଛି ‘ଶେଖର’। ଏହି ନାମଟି ଭାରତୀୟ-ଆମେରିକୀୟ ପଦାର୍ଥ ବିଜ୍ଞାନୀ ତଥା ନୋବେଲ୍ ପୁରସ୍କାର ବିଜେତା ସୁବ୍ରମଣ୍ୟମ୍ ଚନ୍ଦ୍ରଶେଖରଙ୍କ ନାମରେ ରଖାଯାଇଛି। ମସ୍କ କହିଥିଲେ, “ମୁଁ ନିଶ୍ଚିତ ନୁହେଁ ଯେ ଆପଣ ଏହା ଜାଣିଛନ୍ତି କି ନାହିଁ, କିନ୍ତୁ ମୋ ପାର୍ଟନର ଶିଭୋନ୍ ଅଧା ଭାରତୀୟ… ତାଙ୍କ ସହ ମୋର ଥିବା ପୁଅମାନଙ୍କ ମଧ୍ୟରୁ ଜଣକର ମଧ୍ୟ ନାମ ହେଉଛି ‘ଶେଖର’, ଯାହା ଚନ୍ଦ୍ରଶେଖରଙ୍କ ନାମ ଅନୁସାରେ ରଖାଯାଇଛି।”
ଶିଭୋନ୍ ଜିଲିସ୍ କାନାଡ଼ାରେ ବଢ଼ିଛନ୍ତି ଏବଂ ଶିଶୁ ଅବସ୍ଥାରେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିଲା। ତାଙ୍କ ବାପା ଜଣେ ବିଶ୍ୱବିଦ୍ୟାଳୟର ବିନିମୟ ଛାତ୍ର ଥିଲେ ବୋଲି ମସ୍କ ସୂଚନା ଦେଇଛନ୍ତି। ଶିଭୋନ୍ ବର୍ତ୍ତମାନ ମସ୍କଙ୍କ ଏଆଇ କମ୍ପାନୀ ‘ନ୍ୟୁରାଲିଙ୍କ୍’ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ପ୍ରତିଭାମାନଙ୍କ ଦ୍ୱାରା ଆମେରିକା ବହୁତ ଉପକୃତ ହୋଇଛି, କିନ୍ତୁ ବର୍ତ୍ତମାନ ଆମେରିକାରେ ଭିସା କଟକଣା ଏବଂ ନୀତିଗତ ଅନିଶ୍ଚିତତା ବଢ଼ୁଥିବାରୁ ଏହି ଧାରା ବଦଳୁଥିବା ମନେ ହେଉଛି।


