କେସିଙ୍ଗା,୨୯/୧୧( ତୁମେଶ୍ୱର ସାହୁ): ଗତ ବିଜେଡି ସରକାର ଥିବା ସମୟରେ ମିଶନ ଶକ୍ତିକୁ ଶକ୍ତିଶାଳୀ କରିବା ସହ ଅନେକ ମହିଳା ଗ୍ରୁପକୁ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ସହରର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଥିଲା। ମହିଳା ଗ୍ରୁପକୁ କିପରି ଦୁଇ ପଇସା ରୋଜଗାର ମିଳିବ ସେଥିପ୍ରତି ତତ୍କାଳୀନ ବିଜେଡି ସରକାର ଦୃଷ୍ଟି ଦେଉଥିଲା। ବର୍ତ୍ତମାନ ଭାଜପା ସରକାର ଶାସନର ୧୮ ମାସ ବିତିଯାଇଥିଲେ ମଧ୍ୟ ମିଶନ ଶକ୍ତି ଗୃହ,ମିଶନଶକ୍ତି କାଫେ କାର୍ଯ୍ୟକ୍ଷମ କରୁ ନ ଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହିପରି ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲା କେସିଙ୍ଗା ସହରରେ। ଏଠାରେ ଦୁଇଟି ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଛି। ପ୍ରଥମେ ମାଁ ଅମ୍ବେ ମନ୍ଦିର ସମ୍ମୁଖରେ ତିଆରି କରାଯାଇ ସହରର ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ଗୃହ ଦିଆଯାଇଥିଲା। ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ କିଛି ଦିନ ବେଶ ଭଲ ଭାବରେ ଚା’ ଜଳଖିଆ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ନୂତନ ଭାଜପା ସରକାର ଆସିବାର କିଛି ମାସ ଆଗରୁ କଣ ହେଲା କେଜାଣି ତାହା ବନ୍ଦ ହୋଇଗଲା। ବେପାର ହେଲା ନାହିଁ ବୋଲି ବନ୍ଦ ହେଲା ନା ଭାଜପା ସରକାର ଆସିଲା ବୋଲି ବନ୍ଦ ହେଲା ତାହା ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି କି କାହାରି ପାଖରେ ଉତ୍ତର ମଧ୍ୟ ନାହିଁ।
ପରେ ଆଉ ଗୋଟିଏ ମିଶନଶକ୍ତି କାଫେ ଗୃହ ବ୍ଲକ କାର୍ଯ୍ୟାଳୟ ପରିସରରେ ସହରର ମୁଖ୍ୟ ଓ ମଧ୍ୟ ଭାଗରେ ଗତ ବିଜେଡି ସରକାର ଅମଳରେ ବିଲ୍ଡିଂ ନିର୍ମାଣ କରାଗଲା, ଯାହାର କାମ ଶେଷ ହୋଇ ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ନୂତନ ସରକାର ଆସି ଦେଢ଼ ବର୍ଷ ପରେ ମଧ୍ୟ କୌଣସି ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇପାରୁ ନାହିଁ। ନିର୍ବାଚନର ଠିକ ଆଗରୁ ଉଦ୍ଘାଟନ ହେବାର ଥିଲେ ମଧ୍ୟ କୋଡ ଅଫ କଣ୍ଡକ୍ଟ ଲାଗି ଯିବାରୁ ତାହା ଉଦ୍ଘାଟନ ହୋଇ ପାରିଲା ନାହିଁ। ନିର୍ବାଚନ ସମୟରେ ଲାଗିଥିବା କୋଡ ଅଫ କଣ୍ଡକ୍ଟ ଦୁଇ ବର୍ଷ ପରେ ମଧ୍ୟ ଉଠି ନ ଥିବା ସହରରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଅଞ୍ଚଳର ବୁଦ୍ଧିଜିବୀମାନେ ବିଲ୍ଡିଂର ରଙ୍ଗ ବଦଳା ଯାଇନାହିଁ ବୋଲି ଉକ୍ତ କାଫେଟି ଉଦ୍ଘାଟନ ହୋଇ ପାରୁନାହିଁ ବୋଲି ସହରରେ ଚର୍ଚ୍ଚା ହେଉଛି। ବ୍ଲକ କାର୍ଯ୍ୟାଳୟରେ ଦୈନିକ ଶହ ଶହ ଲୋକମାନେ ଆସୁଛନ୍ତି। ସମ୍ମୁଖରେ କାଫେ ଗୃହ ଅଛି। ଯେକୌଣସି ମହିଳା ଗୃପକୁ ଦେଲେ ଦୋକାନ ଖୋଲିଲେ ସୁବିଧାରେ ଲୋକମାନେ ଜଳଖିଆ, ଚା’, ମିଲସ ଇତ୍ୟାଦି ଖାଇବା ପିଇବା ପାଇଁ ସୁବିଧା ମିଳନ୍ତା। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ନୂଆଖାଇ ପୂର୍ବରୁ ଖୋଲିବା କଥା,କିନ୍ତୁ ହୋଇପାରିଲା ନାହିଁ,ଚେଷ୍ଟା କରୁଛୁ ଅଳ୍ପ ଦିନ ମଧ୍ୟରେ ଖୋଲାଯିବ ବୋଲି କହିଥିଲେ।
Dharitri – Odisha’s No.1 Odia Daily

