ମାର୍ଶାଘାଇ,୨୯ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଏକ ଅସହ୍ୟ ଦୃଶ୍ୟ, ଏକ ନିର୍ଦ୍ଦୟ ସତ୍ୟ କେନ୍ଦ୍ରାପଡ଼ା ଜିଲା, ମାର୍ଶାଘାଇ ବ୍ଲକ୍ ବଚ୍ଛରାଇ ପଞ୍ଚାୟତର କୂଳସାହି ଏକ ପଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ୫ ଓ ୬ ନମ୍ବର ବିଶିଷ୍ଟ ଏହି ପଡ଼ାରେ ୮୦ରୁ ଶହେ ଘର ଲୋକ ବାସ କରୁଛନ୍ତି। ମାତ୍ର ଏଠାରେ ଘଟୁଥିବା ଦୃଶ୍ୟ ଆଜି ପ୍ରତ୍ୟେକ ମଣିଷର ମନକୁ ହଲାଇ ଦେଉଛି। ଦେଶ ସ୍ବାଧୀନତା ହେବାର ୭୮ ବର୍ଷ ପରେ ବି ଗଁାରେ ମଶାଣି ନ ଥିବାରୁ ମୃତଦେହକୁ ରାସ୍ତାକଡରେ ସଂସ୍କାର କରାଯାଉଛି। ମାନବିକତା ପାଇଁ ଏହାଠାରୁ ବଡ଼ ଲଜ୍ଜା ଆଉ କ’ଣ ହୋଇପାରେ। ପାଟକୁରାରୁ କେନ୍ଦ୍ରାପଡ଼ାକୁ ଯୋଡ଼ିବା ସହ ଏହି ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଲୋକ ଯାତ୍ରା କରିଥାନ୍ତି। କିନ୍ତୁ ସେମାନଙ୍କ ଆଖିରେ ଆଜିକାଲି ପଡ଼ୁଛି ମୃତଦେହ ପୋଡ଼ାଯାଉଥିବା ଦୃଶ୍ୟ ଜୁଇର ତାପ, ଧୂଅଁାର ଗନ୍ଧ, ମାନବ ଶବର ଜଳନ। ଏଥିପାଇଁ ରାସ୍ତା ଦେଇ ଚାଲିବା ସହ ହୃଦୟ ଭାଙ୍ଗିଯାଉଛି। ମନ ମରିଯାଉଛି, ଆଉ ମାନବିକତା ଲଜ୍ଜିତ ହେଉଛି। ମୃତଦେହ ପୋଡା ଗନ୍ଧରେ ଅଞ୍ଚଳ ଓ ରାସ୍ତା ଦେଇ ଯାତାୟାତ ପ୍ରାୟ ଅସହ୍ୟ ବୋଧ ହେଉଛି। ଲୋକମାନେ ନାକ ମୁହଁ ଆଚ୍ଛାଦନକରି ପାର ହେଉଛନ୍ତି। କିନ୍ତୁ ମନରେ ରହିଯାଉଛି ଏକ ଦୁଃଖଦ ଛାପ। ଜୀବନର ଶେଷ ଯାତ୍ରାଟି ମଧ୍ୟ ଏତେ ଅମର୍ଯ୍ୟାଦା।
ଗ୍ରାମର ବରିଷ୍ଠ ନାଗରିକ ଅକ୍ଷୟ ବେଉରା କହିଛନ୍ତି, ଆମର ଏ ପଡ଼ା ଗ୍ରାମ, ଅନାବାଦୀ, ଗୋଚର ଜମି ନାହିଁ କହିଲେ ଚଳେ। ଆଗରୁ ମୃତଦେହ ପୋତାଯାଉଥିଲା। ଯେତିକି ବି ଅଛି ଲୋକମାନେ ଅନାବାଦୀ, ଗୋଚର ଜମି ପାଖରେ ଥିବା ନିଜ ଜମିରେ ଘରକରି ମାଟି ମଡ଼େଇ ଦେଉଥିବାରୁ ଜାଗା ସଂକୀର୍ଣ୍ଣ ହୋଇଯାଉଛି। ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ପ୍ରଧାନ କହିଛନ୍ତି, ୨୦୧୩-୧୪ରେ ସରପଞ୍ଚ ଥିବା ବେଳେ ମଶାଣି ପାଇଁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ତାହା ନିର୍ମାଣ ସମ୍ଭବ ନ ହେବାରୁ ଟଙ୍କା ଅନ୍ୟତ୍ର ଚାଲିଯାଇଥିଲା। ସରପଞ୍ଚ ଛବିଲତା ସେଠୀ କହିଛନ୍ତି, ସରକାରୀ ଜାଗା ଚିହ୍ନଟ ନ ହେବାରୁ ଅନୁଦାନ ରାଶି କାମରେ ଲାଗିପାରୁନାହିଁ। ଲୋକମାନଙ୍କର ଶେଷ ସତ୍କାର ମର୍ଯ୍ୟାଦାର ସହ ହେବା ପାଇଁ ଏଠାରେ ଏକ ସୁବ୍ୟବସ୍ଥିତ ଓ ପରିଷ୍କୃତ ମଶାଣି ନିର୍ମାଣ ପାଇଁ ସଚେତନ ନାଗରିକ ମହଲରୁ ଦାବି ହେଉଛି।
Dharitri – Odisha’s No.1 Odia Daily


