ପୁରୁଷୋତ୍ତମପୁର,୨୬ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମ ପୁଣି ଅଶାନ୍ତ ହୋଇଉଠିଛି। ଦୀର୍ଘଦିନ ହେଲା ଏଠାରେ ବିଭିନ୍ନ କରଣକୁ ନେଇ ବିବାଦ ଲାଗିରହିଛି। ବିଭିନ୍ନ ସମୟରେ ବିବାଦୀୟ ପରିସ୍ଥିତି ଉପୁଜି ଗ୍ରାମରେ ଛୋଟମୋଟ ଗଣ୍ଡଗୋଳ ଘଟି ବିଶୃଙ୍ଖଳା ଦେଖାଦେଉଥିବା ବେଳେ ଏପରିକି ଗୁଳିକାଣ୍ଡ ଘଟିବା ସହ ଦୁଇବର୍ଷରେ ଦୁଇ ଦୁଇଟ ହତ୍ୟାକାଣ୍ଡ ମଧ୍ୟ ଘଟିଛି। ବର୍ତ୍ତମାନ ପୁଣି ବୁଧବାର ସନ୍ଧ୍ୟାରେ ୫ ଜଣ ଯୁବକ ହାତରେ ମାଉଜର ଧରି ଶିକୁଳା ତଳ ବଜାରଠାରେ ଆତଙ୍କ ରାଜ ଚଳାଇଥିଲେ। ଏହି ସମୟରେ ଜଣେ ଯୁବକଙ୍କ ସମେତ ଦୁଇଜଣ ମହିଳାଙ୍କୁ ମଧ୍ୟ ମାଡ଼ ମାରି ଆକ୍ରମଣ କରିଥିବାର ଜାଣିବାକୁ ମିଳିଛି। ଏହି ଆତଙ୍କରାଜ ଯୋଗୁ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ଭୟରେ ମୁହଁ ଖୋଲୁ ନ ଥିବା ସହ ସମ୍ପୂର୍ଣ୍ଣ ତଳବଜାର ଶୂନ୍ଶାନ ହୋଇପଡ଼ିଛି।
Dharitri – Odisha’s No.1 Odia Daily

