ଫନୀ ମାଡ଼ରେ ଦୋହଲିଗଲା ବିଦ୍ୟୁତ୍‌ ଭିତ୍ତିଭୂମି; ଖାମଖିଆଲ ଓପିଟିସିଏଲ୍‌: ୧୫କୋଟି ବରବାଦ

ଭୁବନେଶ୍ୱର,୪-୯: ଗତ ମେ’ ୩ରେ ପୁରୀ ଉପକୂଳ ଛୁଇଁଥିବା ବାତ୍ୟା ‘ଫନୀ’ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ବ୍ୟାପକ କ୍ଷତି କରିଥିଲା। ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ୍‌ ଭିତ୍ତିଭୂମି। ହଜାର ହଜାର ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ନଷ୍ଟ ହୋଇଥିବାବେଳେ ମୁଖ୍ୟଗ୍ରୀଡ଼କୁ ସଂଯୋଗ କରୁଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବଡ଼ ବଡ଼ ବିଦ୍ୟୁତ୍‌ ଟାଓ୍ବାର ଚୂର୍‌ମାର ହୋଇଯାଇଥିଲା। ମୋଟାମୋଟି କହିବାକୁ ଗଲେ ପୁରୀ, କଟକ, ଖୋର୍ଦ୍ଧା ଜିଲାର ବିଦ୍ୟୁତ୍‌ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁ ଜିଲାବାସୀଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଲା ବୋଲି ଶକ୍ତି ବିଭାଗର କେତେକ ପୂର୍ବତନ ଯନ୍ତ୍ରୀ ମତ ଦେଇଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ଯେ, ୪୦ ବର୍ଷର ପୁରୁଣା ଟାଓ୍ବାର ଛିଡ଼ା ହୋଇଥିବାବେଳେ ମାତ୍ର ୪ ବର୍ଷ ପୂର୍ବରୁ ନିର୍ମିତ ୭୦ଟି ବଡ଼ ଟାଓ୍ବାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୫ କୋଟିରୁ ଊର୍ଦ୍ଧ୍ୱ ହେବ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରେ ଅନୁଷ୍ଠିତ ଶ୍ରୀଜୀଉଙ୍କ ନବକଳେବରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ପାଣ୍ଡିଆବିଲ ପାଓ୍ବାର ଗ୍ରୀଡ଼ ଷ୍ଟେଶନରୁ ପୁରୀ ସମଗରା ଷ୍ଟେଶନକୁ ୨୨୦ କେଭି ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଲକ୍ଷ୍ୟ ଥିଲା ପୁରୀ ସହର ସମେତ ସମ୍ପୂର୍ଣ୍ଣ ଜିଲାକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ। ଓଡିଶା ପାଓ୍ବାର ଟାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ) ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ଏଥିପାଇଁ ପ୍ରତି କିଲୋମିଟରକୁ ୫୩ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା। ଟେଣ୍ଡର ଜରିଆରେ ଏକ ଘରୋଇ କମ୍ପାନୀକୁ ଟାଓ୍ବାର ବସାଇବା ଦାୟିତ୍ୱ ଦିଆଯାଇଥିଲା। ତେବେ ସେହି କମ୍ପାନୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ନ କରି ପାରିବାରୁ ଓପିଟିସିଏଲ୍‌ ଏହାର କାର୍ଯ୍ୟ ନିଜ ହାତକୁ ନେଇଥିଲା। ଗତ ବାତ୍ୟାରେ ଖୋର୍ଦ୍ଧାରୁ ପୁରୀ ମଧ୍ୟରେ ୪୮ଟି ଟାଓ୍ବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୨୨ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ସେହି ସମଗରାରୁ ପୁରୀ ଯାଇଥିବା ୧୩୨ କେଭି ପୁରୁଣା ଟାଓ୍ବାରଗୁଡ଼ିକର ବିଶେଷ କ୍ଷତି ହୋଇନାହିଁ। ସେହିପରି ନିମାପଡ଼ାରୁ ପୁରୀ ଯାଇଥିବା ୪୦ ବର୍ଷର୧୨ ରୁ ୧୪ଟି ଟାଓ୍ବାର ଆଂଶିକ କ୍ଷତି ହୋଇଛି। ତେବେ ଏହି ନୂତନ ଟାଓ୍ବାର କାହିଁକି ଭାଙ୍ଗିଲା ସେ ନେଇ ପ୍ରଶ୍ନ ଉଠିଛି।
ଅଧିକାଂଶ ସମୟରେ ବାତ୍ୟା ଯୋଗୁ ବିଦ୍ୟୁତ୍‌ ଭିତ୍ତିଭୂମିର ବ୍ୟାପକ କ୍ଷତି ହେଉଛି। ୨୦୧୩ ଫାଇଲିନ ବାତ୍ୟାରେ ଗଞ୍ଜାମ ଓ ଗଜପତି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକ ବିଦ୍ୟୁତ୍‌ ଟାଓ୍ବାର ନଷ୍ଟ ହୋଇଥିଲା। ରେଳ ବିଭାଗର ବିଦ୍ୟୁତ୍‌ ଖୁଣ୍ଟ କିଛି ହୋଇ ନ ଥିବାବେଳେ ଟାଓ୍ବାରଗୁଡିକ କାହିଁକି କ୍ଷତିଗ୍ରସ୍ତ ହେଲା ସେ ନେଇ ତତ୍‌କାଳୀନ ଶକ୍ତି ସଚିବ ପ୍ରଦୀପ ଜେନା ତଦନ୍ତ କରାଇଥିଲେ। ଅଭିଜ୍ଞ ଯନ୍ତ୍ରୀମାନଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ ହୋଇଥିଲା । ଏହି କମିଟି ପରବର୍ତ୍ତୀ ସମୟରେ ଟାଓ୍ବାର ନିର୍ମାଣ ପାଇଁ କେତେକ ପରାମର୍ଶ ଦେଇଥିଲା। ଟାଓ୍ବାର ଭିତ୍ତିଭୂମିକୁ ମଜଭୁତ କରିବା ସହ ୧୭୦ରୁ ୨୭୦ କିମି ପର୍ଯ୍ୟନ୍ତ ପବନ ମାଡ଼କୁ ଯେପରି ଏହା ସମ୍ଭାଳିପାରିବ ସେ ନେଇ କମିଟି ଶକ୍ତି ବିଭାଗକୁ ସୁପାରିସ କରିଥିଲା। ଟାଓ୍ବାରଗୁଡିକ ଦ୍ୱିତୀୟ ଶ୍ରେଣୀର ଲୁହାରେ ନିର୍ମାଣ ହେବ ନାହିଁ। ମୂଳଦୂଆକୁ ଅତ୍ୟନ୍ତ ସୁଦୃଢ କରାଯିବ। ହେଲେ ଏହି ସୁପାରିସକୁ ଅଣଦେଖା କରି ଓପିଟିସିଏଲ କର୍ତ୍ତୃପକ୍ଷ ନବକଳେବର ପାଇଁ ନିର୍ମାଣ କରାଯାଉଥିବା ନୂତନ ଟାଓ୍ବାରଗୁଡ଼ିକର ଗୁଣବତ୍ତାକୁ ସମ୍ପୂର୍ଣ୍ଣ ଅଣଦେଖା କଲେ। ଏହି କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ବିଦା କରିବା ପରେ ଓପିଟିସିଏଲ୍‌ ‘ଟର୍ନ କୀ ବେସିସ୍‌’ରେ ଏକ ଘରୋଇ ଠିକାଦାର ଜରିଆରେ ଟାଓ୍ବାର ସାମଗ୍ରୀ ରାୟପୁରରୁ ମଗାଇଥିଲେ। ତେବେ ଏହାର ଗୁଣବତ୍ତାକୁ ଓପିଟିସିଏଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଲେ ନାହିଁ। ଏହାର ମାନ ଯାଞ୍ଚ କରାଗଲା ନାହିଁ। ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ୍‌ ଭିିତ୍ତିଭୂମି ନିର୍ମାଣ କରୁଥିବା ଓପିଟିସିଏଲ୍‌ରେ ମାନ ନିର୍ଦ୍ଧାରଣ ଉଇଙ୍ଗ କିମ୍ବା ଡିଜାଇନ ୟୁନିଟ ନାହିଁ। ଠିକାଦାର ଉପରେ ଟାଓ୍ବାର ଡିଜାଇନ ଓ ନିର୍ମାଣ ସାମଗ୍ରୀ ଯୋଗାଣ ଦାୟିତ୍ୱ ସମ୍ପୂର୍ଣ୍ଣ ଛାଡି ଦିଆଯାଉଛି। ଏଥିଯୋଗୁ ଏହି କାର୍ଯ୍ୟରେ ବ୍ୟାପକ ହେର୍‌ଫେର ହୋଇଥିବା ସ୍ପଷ୍ଟ ବାରି ହେଉଛି। ଓପିଟିସିଏଲ ତତ୍‌କାଳୀନ ସିଏମ୍‌ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଓପିଟିସିଏଲରେ ପୁଳାପୁଳା ଯନ୍ତ୍ରୀ ଥାଇ ମଧ୍ୟ ଏଭଳି ନିମ୍ନମାନର କାର୍ଯ୍ୟ କାହାର ସ୍ବାର୍ଥରେ ହୋଇଛି ସେ ନେଇ ଏବେ ପ୍ରଶ୍ନ ଉଠିଛି। ଘର ବୁଡି ଗଲା ପରେ ବୁଦ୍ଧି ଦିଶିବା ଭଳି ପ୍ରାୟ ୧୫ କୋଟି ଟଙ୍କାର ଟାଓ୍ବାର ନଷ୍ଟ ହେବାପରେ ଓପିଟିସିଏଲ କର୍ତ୍ତୃପକ୍ଷ ଟାଓ୍ବାର ମାନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଟାଓ୍ବାର ଯୋଗାଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓପିଟିସିଏଲ ଅଣ୍ଟା ଭିଡୁଛି। ଓପିଟିସିଏଲ ନିର୍ଦ୍ଦେଶକ(ପ୍ରକଳ୍ପ) ଆର. ଆର. ପଣ୍ଡା କହିଛନ୍ତି ଯେ ଟାଓ୍ବାର ଗୁଣବତ୍ତା ପରୀକ୍ଷା କରିବାକୁ ଲାବୋରେଟୋରିକୁ ପଠାଯାଇଛି। ପବନର ବେଗ ଅଧିକ ହେବା ଓ ଘୂର୍ଣ୍ଣିଝଡ଼ ଯୋଗୁ ଟାଓ୍ବାରଗୁଡ଼ିକ ମୋଡି ହୋଇଯାଇଥିଲା। ତେବେ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ। କେବଳ ନୂଆ ନୁହେଁ ଅନ୍ୟ ଟାଓ୍ବାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।

(ଅନିଲ ଦାସ)


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri