ଭୁବନେଶ୍ୱର,(ସତ୍ୟଜିତ ରାଉତ)/ବାଲେଶ୍ୱର, ୬ା୧୦ (ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍ବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ମାମଲାରେ ବାଲେଶ୍ୱରରୁ ଷଷ୍ଠ ମଧ୍ୟସ୍ଥଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ଆଣିଛି। ସେ ହେଲେ ଚନ୍ଦନ ମଲ୍ଲିକ।
ବାଲେଶ୍ୱର ସଦର ବ୍ଲକ ଚାନ୍ଦିପୁର ଥାନା ରଣସାହି ପଞ୍ଚାୟତ ତପସ୍ବୀ ଗ୍ରାମସ୍ଥିତ ଘରୁ ଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ କାବୁ କରଛି। ତେବେ ତାଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍ ଜେରା କରି ପ୍ରମାଣ ସଂଗ୍ରହ କରିବାରେ ଲାଗିଛି। ଚନ୍ଦନଙ୍କୁ ପଚରାଉଚରା ବେଳେ ଘଟଣା ସହ ରାଜନୈତିକ ଲିଙ୍କ୍ର ସୁରାକ ମିଳିଥିବା ସୂଚନା ମିଳିଛି।
ରବିବାର ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର (ପଞ୍ଚମ ମଧ୍ୟସ୍ଥ) ଅରବିନ୍ଦ ଦାସଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଥିବା ବେଳେ ତାଙ୍କଠାରୁ ଚନ୍ଦନଙ୍କ ଲିଙ୍କ୍ ମିଳିଥିଲା। ଚନ୍ଦନ ଜାଲିଆତିର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ପଞ୍ଚସଫ୍ଟ ସମେତ ବିଭିନ୍ନ ସଂସ୍ଥାର ମାଲିକ ଶଙ୍କର ପୃଷ୍ଟିଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ ବୋଲି ସୂଚନା ମିଳିଛି।
ଚନ୍ଦନ ହେଉଛନ୍ତି ଏକ ରାଜନୈତିକ ଦଳର ଯୁବନେତା। ଏଥିସହ ସେ ନିଜକୁ ସମାଜସେବୀ ବୋଲି ପରିଚୟ ଦିଅନ୍ତି। ବାଲେଶ୍ୱର ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ରାଜନୈତିକ ପତିଆରା ରହିଛି। ନିର୍ଦ୍ଦିଷ୍ଠ ରାଜନୈତିକ ଦଳର ଆଗଧାଡିର ନେତାମାନଙ୍କ ସହ ଚନ୍ଦନଙ୍କ ଅନେକ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି।
ସେପଟେ ଶଙ୍କର ଏବଂ ତାଙ୍କ ସହଯୋଗୀ କଟକ ବାଙ୍କୀର ମୁନା ମହାନ୍ତି ଫେରାର ଥିବା ବେଳେ କ୍ରାଇମବ୍ରାଞ୍ଚ ଏଯାଏ ଉଭୟଙ୍କ ପତ୍ତା ପାଇପାରିନାହିଁ। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ପ୍ଲଟ୍ ନଂ.୩୨୦/୩୫୯୦ରେ ଥିବା ଅନ୍ଲାଇନ ପରୀକ୍ଷା କେନ୍ଦ୍ର (ଶ୍ରୀ ଲିଙ୍ଗରାଜ ଇନ୍ଫୋସୋଲ୍)ରେ କ୍ରାଇମବ୍ରାଞ୍ଚ ଟିମ୍ ରବିବାର ଚଢ଼ାଉ କରିଥିଲା। ଆଗକୁ ଅନ୍ଲାଇନ୍ ପରୀକ୍ଷା କେନ୍ଦ୍ରଗୁଡିକରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିବ ବୋଲି ତାଲିକା ପ୍ରସ୍ତୁତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୫ଜଣ ମଧ୍ୟସ୍ଥଙ୍କ ସମେତ ୧୧୯ ଗିରଫ ହୋଇ ଜେଲ୍ରେ ଅଛନ୍ତି।
Dharitri – Odisha’s No.1 Trusted Odia Daily


