ଭୁବନେଶ୍ୱର,୪ା୯(ରବିନାରାୟଣ ଜେନା): ରାଜ୍ୟର ପଶ୍ଚିମ ଓଡ଼ିଶାରେ ଏବେ ଶ୍ରମିକ ଚାଲାଣ ଜୋର୍ଦାର ଆରମ୍ଭ ହୋଇଯାଇଛି। ଠିକାଦାରମାନେ ଲୁଚାଛପାରେ ଲୋକଙ୍କୁ ବାହାର ରାଜ୍ୟକୁ କାମ କରାଇବାକୁ ନେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତୁରନ୍ତ ସମ୍ପୃକ୍ତ ଅଞ୍ଚଳରେ ଜୋର୍ଦାର ଚଢ଼ାଉ କରିବା ଲାଗି ଜଙ୍ଗଲ ଓ ପରିବେଶ ଏବଂ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।
ମନ୍ତ୍ରୀ ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି, ରାଜ୍ୟର ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ପ୍ରଭୃତି ଅଞ୍ଚଳରେ ଶ୍ରମିକ ଚାଲାଣ ନେଇ ଦୟନୀୟ ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଆସୁଛି। ଲୋକେ ଦୁଃଖଦଜନକ ଭାବରେ ଚାକିରି ତଥା କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଏହି ୩ଟି ଜିଲାରେ ବହୁ ଠିକାଦାର ବେଆଇନ କାମ କରୁଛନ୍ତି ଏବଂ ଶ୍ରମିକମାନଙ୍କୁ ଅବାଧରେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଶ୍ରମିକମାନଙ୍କୁ ରାତିଅଧିଆ ଟ୍ରେନ୍ରେ ବିଭିନ୍ନ ରାଜ୍ୟ ଓ ଦେଶକୁ ସ୍ଥାନାନ୍ତର କରୁଥିବା ଅଭିଯୋଗ ଆସିଛି। ଠିକାଦାରମାନେ କେବଳ ଯେ ଶ୍ରମିକମାନଙ୍କୁ ନେଇ ବାହାର ରାଜ୍ୟରେ କର୍ମସଂସ୍ଥାନ ଯୋଗାଉଛନ୍ତି ତାହା ନୁହେଁ, ଅଶିକ୍ଷିତ ପ୍ରବାସୀ ଶ୍ରମିକମାନଙ୍କୁ ଆର୍ଥିକ ଏବଂ ଶାରୀରିକ ଭାବେ ଶୋଷଣ କରୁଛନ୍ତି। ଫଳରେ ଦାଦନପ୍ରବଣ ରାଜ୍ୟ ଭାବେ ଏକ ଖରାପ ଛବି ସୃଷ୍ଟି ହେଉଛି।
ବିଭାଗକୁ ମିଳିଥିବା ତଥ୍ୟ ଅନୁଯାୟୀ, ଶ୍ରମିକମାନଙ୍କୁ ଟିଟିଲାଗଡ଼, ମୁରିବାହାଲ, ଲାଠୋର, ରାଇନଭାଟା, କଣ୍ଟାବାଞ୍ଜି, ନୂଆପଡ଼ା ଏବଂ ଖରିଆର ରୋଡ୍ ଆଦି ରେଳଷ୍ଟେଶନରୁ ବାହାରକୁ ପଠାଯାଉଛି। ଏସବୁକୁ ତୁରନ୍ତ ରୋକାଯିବାର ଆବଶ୍ୟକତା ରହିଛି। ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ରେଲଓ୍ବେ କର୍ତ୍ତୃପକ୍ଷଙ୍କ ସମନ୍ବୟରେ ସଂପୃକ୍ତ ଅଞ୍ଚଳରେ ଚଢ଼ାଉ ଜୋର୍ଦାର କରିବାକୁ ମନ୍ତ୍ରୀ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ବ୍ୟକ୍ତିଗତ ଭାବେ ପ୍ରଦାନ କରିଥିବା ନୋଟ୍ଶିଟ୍ରେ ଦର୍ଶାଇଛନ୍ତି ଯେ, ଉକ୍ତ ରେଳଷ୍ଟେଶନଗୁଡ଼ିକରେ ରାତିରେ ଚଢ଼ାଉ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଅ। ଫଳରେ ଅବାଧ ଶ୍ରମିକ ଚାଲାଣକୁ ରୋକାଯାଇପାରିବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ଅତିକମ୍ରେ ୨୦୦ ଦିନର କାମ ଯୋଗାଇଦେବାକୁ ବ୍ୟବସ୍ଥା ରହିଛି। ହେଲେ ବାସ୍ତବ କ୍ଷେତ୍ରରେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି।


