ନୂଆଦିଲ୍ଲୀ,୨୭।୮: ୨୦୨୫ ସେପ୍ଟେମ୍ବର ପହିଲାରୁ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହା ମଧ୍ୟରେ ରୂପାରେ ହଲମାର୍କିଂ, SBI କାର୍ଡ ଉପରେ ବଢ଼ିଥିବା ଚାର୍ଜ, LPG ସିଲିଣ୍ଡରର ନୂଆ ଦର, ATMରୁ ଟଙ୍କା ଉଠାଣ ନିୟମ ଏବଂ ଫିକ୍ସଡ଼ ଡିପୋଜିଟ (FD) ସୁଧ ହାରରେ ସମ୍ଭାବ୍ୟ ପରିବର୍ତ୍ତନ ସାମିଲ ରହିଛି। ଆସନ୍ତୁ ଏହାକୁ ବିସ୍ତାରରେ ଜାଣିବା…
୧. ରୂପାରେ ହଲମାର୍କିଂ ଏବେ ବାଧ୍ୟତାମୂଳକ
ସରକାର ଏବେ ରୂପା ପାଇଁ ମଧ୍ୟ ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି, ଯେପରି ସୁନା ପାଇଁ ପୂର୍ବରୁ ଲାଗୁ ହୋଇଛି। ଏହା ଦ୍ୱାରା ଶୁଦ୍ଧତା ଓ ଦାମରେ ପାରଦର୍ଶିତା ବଢ଼ିବ, କିନ୍ତୁ ଏହା ରୂପାର ଦାମ ଉପରେ ମଧ୍ୟ ପ୍ରଭାବ ପକାଇପାରେ।
୨. SBI କାର୍ଡଧାରୀଙ୍କ ପାଇଁ ନୂଆ ନିୟମ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) କାର୍ଡଧାରୀଙ୍କ ପାଇଁ ୧ ସେପ୍ଟେମ୍ବରରୁ ନୂଆ ନିୟମ ଲାଗୁ ହେବ। ଅଟୋ-ଡେବିଟ ଫେଲ ହେଲେ ଏବେ ୨% ଜୋରିମାନା ଲାଗିବ। ଅନ୍ତର୍ଜାତୀୟ ଲେଣଦେଣ, ଇନ୍ଧନ କ୍ରୟ ଏବଂ ଅନଲାଇନ ସପିଂ ଉପରେ ମଧ୍ୟ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ। ଏହା ସହିତ ରିୱାର୍ଡ ପଏଣ୍ଟଗୁଡ଼ିକର ମୂଲ୍ୟ ମଧ୍ୟ କମିପାରେ।
୩. LPG ସିଲିଣ୍ଡରର ନୂଆ ଦର
ପ୍ରତି ମାସର ପ୍ରଥମ ତାରିଖରେ ଘରୋଇ LPG ସିଲିଣ୍ଡରର ନୂଆ ଦର ନିିର୍ଦ୍ଧାରଣ ହୋଇଥାଏ। ଏଥର ମଧ୍ୟ ୧ ସେପ୍ଟେମ୍ବରରେ ଦାମ ବଦଳିବ। ଯଦି ଦାମ ବଢ଼େ, ତେବେ ରୋଷେଇ ଖର୍ଚ୍ଚ ବଢ଼ିବ, ଆଉ ଯଦି କମେ, ତେବେ ପରିବାରଗୁଡ଼ିକୁ କିଛି ଆରାମ ମିଳିବ।
୪. ATM ଉଠାଣ ଉପରେ ବଢ଼ିବ ଚାର୍ଜ
ଅନେକ ବ୍ୟାଙ୍କ ATMରୁ ମାଗଣା ଉଠାଣର ସୀମା ପରେ ଅଧିକ ଟଙ୍କା ଉଠାଇବା ପାଇଁ ଅତିରିକ୍ତ ଚାର୍ଜ ବଢ଼ାଇବାକୁ ଯାଉଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି ଯେ, ଏବେ ଡିଜିଟାଲ ପେମେଣ୍ଟର ବ୍ୟବହାର ବଢ଼ାଇଲେ ଅତିରିକ୍ତ ଖର୍ଚ୍ଚରୁ ବର୍ତ୍ତିପାରିବେ।
୫. FD ସୁଧ ହାରରେ ପରିବର୍ତ୍ତନ
ସେପ୍ଟେମ୍ବର ମାସରେ ଅନେକ ବ୍ୟାଙ୍କ ସେମାନଙ୍କ ଫିକ୍ସଡ଼ ଡିପୋଜିଟ ସୁଧ ହାରର ସମୀକ୍ଷା କରୁଛନ୍ତି। ବର୍ତ୍ତମାନ ୬.୫%ରୁ ୭.୫% ପର୍ଯ୍ୟନ୍ତ ସୁଧ ମିଳୁଛି, କିନ୍ତୁ ଅନୁମାନ କରାଯାଉଛି ଯେ ସୁଧ ହାର କମିପାରେ। ନିବେଶକମାନେ ଚାହିଁଲେ ଶୀଘ୍ର FDରେ ଟଙ୍କା ଜମା କରି ବର୍ତ୍ତମାନର ହାରକୁ ସୁରକ୍ଷିତ କରିପାରନ୍ତି।
ଏହି ନୂଆ ନିୟମଗୁଡ଼ିକ ଆପଣଙ୍କ ଦୈନନ୍ଦିନ ଖର୍ଚ୍ଚ ଓ ଆର୍ଥିକ ଯୋଜନା ଉପରେ ପ୍ରଭାବ ପକାଇବ। ତେଣୁ ଏହାକୁ ଧ୍ୟାନରେ ରଖି ଆଗୁଆ ଯୋଜନା କରିବା ଜରୁରୀ।

