ଭବାନୀପାଟଣା,୨୧ା୮(ଉତ୍ତମ କୁମାର ଦାଶ):ବର୍ଷେ କି ଦୁଇବର୍ଷ ନୁହଁ। ଦୀର୍ଘ ୭୪ ବର୍ଷର ପୌରପାଳିକା କାର୍ଯ୍ୟାଳୟର ନିଜସ୍ବ ଗୃହ ନାହିଁ। ରାଜାରାଜୁଡା ଅମଳରୁ ନର୍ମିତ ଏକ କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ। ହେଲେ ଏହି କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ। ପୌରପାଳିକା ୧୯୫୧ ମସିହାରେ ସ୍ଥାପନ ହୋଇଥିବାବେଳେ ବର୍ତ୍ତମାନ ଯାଏ ୩୬ ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଓ ଅଧିକାରୀ ଦାୟିତ୍ୱରେ ରହିଥିବା ସୂଚନା ଫଳକରୁ ଜଣାପଡିଛି। ଏହି ପୌରପାଳିକାରେ ୨୦ ୱାର୍ଡ ରହିଥିବାବେଳେ ସହରର ଜନସଂଖ୍ୟା ପାଖାପାଖି ଲକ୍ଷେ ୧୦ ହଜାର ଟପିଲାଣି। ବିଗତ ଦିନରେ ପୌରପାଳିକା ପକ୍ଷରୁ ସହରରେ ବିଭିନ୍ନ ଯୋଜନାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଲାଣି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜସ୍ବ କୋଠା ହୋଇ ନ ପାରିବା ପରିତାପର ବିଷୟ ହୋଇଛି। ଏହା ପ୍ରଶାସନିକ ଅବହେଳା ନା ପୌରପାଳିକାର ଅବହେଳା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌରପାଳିକା ଆରମ୍ଭରୁ ବର୍ତ୍ତମାନ ଯାଏ ଯେଉଁ କୋଠାରେ କାର୍ଯ୍ୟାଳୟ ଚାଲୁଛି ତାହା କଳାହାଣ୍ଡି ରାଜା ଶାସନ ସମୟର ବୋଲି ଜଣାପଡିଛି। ଏହି କୋଠାଟିକୁ ତତ୍କାଳୀନ ରାଜା ୧୯୨୫ରେ ନିର୍ମାଣ କରିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଏହି କୋଠାଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ପାରିପାର୍ଶ୍ୱିକ ଚିତ୍ରରୁ ଦେଖିବାକୁ ମିଳିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାବେଳେ ଓ ସିମେଣ୍ଟ ଖଣ୍ଡ ଖସୁଥିବା ଦେଖାଯାଉଛି। ଫଳରେ ଅଫିସ କାମରେ ବାଧା ସୃଷ୍ଟି ହେଉଥିବା ନଜିର ରହିଛି। ସିମେଣ୍ଟ ଖଣ୍ଡ ଖସିଥିବା ସ୍ଥାନରେ ଲୁହା ରଡ ଜଳ ଜଳ ହୋଇ ଦେଖାଯାଉଛି। ଏଥିଯୋଗୁ ତଳେ ବସୁଥିବା ଅଧିକାରୀ, କର୍ମଚାରୀଙ୍କ ପ୍ରତି ମଧ୍ୟ ବିପଦ ରହିଛି। ଏ ନେଇ ଭବାନୀପାଟଣା ପୌରପାଳିକାର ଭାରପ୍ରାପ୍ତ ନଗରପାଳ ବିଷ୍ଣୁ ପ୍ରଧାନଙ୍କୁ ପଚାରିବାରୁ ନୂତନ କାର୍ଯ୍ୟାଳୟ କୋଠା ପାଇଁ ସ୍ଥାନ ଚିହ୍ନଟ ଚାଲିଛି। ଚିହ୍ନଟ ହେବା ପରେ ଡିପିଆର୍ ପ୍ରସ୍ତୁତ କରି ସରକାରଙ୍କୁ ପଠାଯିବ ବୋଲି କହିଥିଲେ।


