ନୂଆଦିଲ୍ଲୀ, ୨୧ା୭:ଦିଲ୍ଲୀର ରୋହିଣୀ କୋର୍ଟରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଏକ ସମ୍ପତ୍ତି ବିବାଦ ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ (ଫାର୍ଷ୍ଟ କ୍ଲାସ୍) ରୋହିତ କୁମାର ଅଭିଯୁକ୍ତଙ୍କୁ ଜାମିନ ଦେବା ସମୟରେ ଏକ କବିତା ଶୁଣାଇଛନ୍ତି। ଏହି କବିତା ମାଧ୍ୟମରେ ସେ ସମ୍ପତ୍ତି ପାଇଁ ଘରେ ଘରେ ଦେଖାଦେଉଥିବା ବିଭିନ୍ନ ପାରିବାରିକ ବିବାଦ ଏବଂ ଭାଙ୍ଗିଯାଉଥିବା ସମ୍ପର୍କକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସମ୍ପତ୍ତି ବିବାଦର ସାମାଜିକ ପ୍ରଭାବକୁ ସେ କବିତା ମାଧ୍ୟମରେ ଶୁଣାଇଥିଲେ। ଉକ୍ତ ମାମଲାରେ ଇନ୍ଦୁ ସୋନି ନାମ୍ନୀ ଜଣେ ମହିଳା ନିଜ ପୁଅ ନୀତିନ ସୋନିଙ୍କ ବିରୋଧରେ ତାଙ୍କ ସମ୍ପତ୍ତିକୁ ବେଆଇନ ଭାବେ ଦଖଲ କରି ରଖିଥିବା ନେଇ ଅଭିଯୋଗ କରିଥିଲେ। ନୀତିନ ଓ ତାଙ୍କ ସ୍ତ୍ରୀ ତାଲା ଭାଙ୍ଗି ଘରେ ପଶିଥିଲେ ଏବଂ ତାଙ୍କୁ ଆକ୍ରମଣ କରିଥିବା ଦର୍ଶାଇ ଇନ୍ଦୁ ଥାନାରେ ଏତଲା ଦେଇଥିଲେ। ତେବେ ନୀତିନ ପୂର୍ବରୁ ଉକ୍ତ ସମ୍ପତ୍ତିର ମାଲିକ ହୋଇସାରିଥିବା ନେଇ ଜଣାପଡ଼ିବା ପରେ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ମୌଖିକ ଚୁକ୍ତିନାମା ଅନୁଯାୟୀ, ଇନ୍ଦୁ ପୂର୍ବରୁ ତାଙ୍କ ସମ୍ପତ୍ତି ନୀତିନଙ୍କୁ ହସ୍ତାନ୍ତର କରିଥିଲେ ବୋଲି ନୀତିନଙ୍କ ଓକିଲ କହିଛନ୍ତି।

