ଭବାନୀପାଟଣା,୨୪ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ରବି ଧାନ କିଣା ଅବ୍ୟସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଅନେକ ମଣ୍ଡିରେ ଏବେ ମଧ୍ୟ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ଲଗାଣ ବର୍ଷା ଚାଷୀଙ୍କ ସମସ୍ୟାକୁ ଆହୁରି ଦ୍ବିଗୁଣିତ କରି ଦେଉଛି। ବର୍ଷାରେ ଧାନ ଭିଜୁଥିବାରୁ ଗଜା ହେବା ସହ ରଙ୍ଗ ବିହୀନ (ଡିସ୍କଲର) ହେଉଛି। ଏଥିଯୋଗୁ ମିଲର ଧାନ ଉଠାଉ ନାହିଁ। ଟୋକନ ଅବଧି ମଧ୍ୟ ଶେଷ ହୋଇଯାଉଛି। ହେଲେ ମଣ୍ଡିରୁ ଧାନ ଉଠୁନାହିଁ। ଜିଲାର ଜୁନାଗଡ଼ ବ୍ଲକ ଦେଉଣ୍ଡି ମଣ୍ଡିରେ ୬ ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ପରେ ମଧ୍ୟ ଧାନ ଉଠିପାରି ନ ଥିଲା। ସ୍ଥାନୀୟ ଧାନକ୍ରୟ ଅଧିକାରୀ ମଧୁସୂଦନ ହଂସ ଧାନ ଡିସ୍କଲର ଯୋଗୁ ଧାନ ଉଠି ନ ଥିଲା ବୋଲି ସଫେଇ ଦେଇଛନ୍ତି। ତେବେ ସପ୍ତାହରୁ ଊଦ୍ଧର୍ବ ଧରି ଏହି ଚାଷୀଙ୍କ ଧାନ ମଣ୍ଡିରୁ ଉଠାଣ କରାଯାଇ ନ ଥିଲା। ଫଳରେ ବର୍ଷା ଯୋଗୁ ସେମାନଙ୍କ ଧାନ ଡିସ୍କଲର ହୋଇଯାଇଥିଲା। ସ୍ଥାନୀୟ ଧାନ କ୍ରୟ ଅଧିକାରୀଙ୍କ ଅବହେଳା ପାଇଁ ସେମାନଙ୍କ ଧାନ ଉଠି ନ ଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ଏହି ମଣ୍ଡିରେ ଏବେ ମଧ୍ୟ ୮୫ ଜଣ ଚାଷୀଙ୍କ ୪୬୭୮ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ରବିବାର ସୁଦ୍ଧା ୪୦ ହଜାର ୯୦୪ ଚାଷୀଙ୍କ ୨୮ ଲକ୍ଷ ୭୧ ହଜାର ୨୦୮ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ସେଥିମଧ୍ୟରୁ ରବିବାର ଗୋଟିଏ ଦିନରେ ୧୧୮୨ ଜଣ ଚାଷୀଙ୍କ ୮୮ ହଜାର ୮୯୭ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ଜିଲାରେ ରବି ଧାନ କିଣା ଟାର୍ଗେଟ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ୨୨ ହଜାର ରହିଥିବାବେଳେ ଅବଶିଷ୍ଟ ଧାନ ଏବେ ବି ବିକ୍ରି ନ ହୋଇ ମଣ୍ଡିରେ ପଡିଛି। ସେହିପରି ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୪ ଟି ଧାନ ମଣ୍ଡି ରହିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪୬ ଟି ମଣ୍ଡିରେ ଧାନ କିଣା ସରିଥିବା ଜଣାପଡିଛି। ପ୍ରକାଶ ଯେ, ଏହି ସମୟରେ ଚାଷୀମାନେ ରବି ଧାନ ଅମଳ ପ୍ରକ୍ରିୟା ସାରି ଖରିଫ ଚାଷ ପାଇଁ ସଜବାଜ ହେବା କଥା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରବି ଧାନ ବିକ୍ରି ଶେଷ ହୋଇ ନାହିଁ। ଜିଲାର ଆଟିଗାଁ, ବାଲିଛଡ଼ା, ନକଟିଗୁଡା, ମାଟିଗାଁ, ଦାସିଗାଁ, କୁଲିହାରି, କଲେଇଗାଁ, ଚିଚୈଗୁଡା, ମହିଚଳା, କଳିଆକୁଣ୍ଡଲ, ଦେଉଣ୍ଡି, ଚିଙ୍ଗୁଡ଼ିସର ଆଦି ମଣ୍ଡିରେ ଅନେକ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡି ରହିଛି।


