ବଲାଙ୍ଗୀର,୧୫ା୬(ସୁନୀଲ କୁମାର ମହାନ୍ତି): ଆସନ୍ତା ୧୭ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଲାଙ୍ଗୀର ପଥରଚେପାଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି ଜିଲା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରବିବାର ବଲାଙ୍ଗୀର ଜିଲା ଉନ୍ନୟନ ବିକାଶ ପରିଷଦ ଦାବି କରିଛି। ଦେଓଗାଁ ଚିନି କାରଖାନାକୁ କାର୍ଯ୍ୟକ୍ଷମ କରିବା, ଅନୁଦାନ ଆସିଥିବା ବିଭିନ୍ନ ପ୍ରକଳ୍ପର କାମକୁ ଶୀଘ୍ର ଆରମ୍ଭ କରିବା, ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟ ସ୍ଥାପନ ଘୋଷଣା କରିବା, ବିଭିନ୍ନ ପ୍ରକଳ୍ପରେ କାମ ନ ହୋଇ ଟଙ୍କା ପଡି ରହିଥିବା ପ୍ରକଳ୍ପଗୁଡ଼ିକର କାମ ତ୍ୱରାନିତ କରିବା ପାଇଁ ବିକାଶ ଉନ୍ନୟନ ପରିଷଦ ଦାବି କରିଛି। ପରିଷଦ ସଭାପତି ଲକ୍ଷ୍ମଣ ମେହେର, ସମ୍ପାଦକ ଯତି ପ୍ରଧାନ ଓ କୋଷାଧ୍ୟକ୍ଷ ଗୁଣ ସାଗର ମାଝୀ ଉପସ୍ଥିତ ଥିଲେ।


