ପୁରୁଷୋତ୍ତମପୁର,୩୧।୫(ସୀମାଞ୍ଚଳ ମିଶ୍ର): ପୁଣି ବିଜେଡିକୁ ଝଟ୍କା। ଗଞ୍ଜାମ ଜିଲାର ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଶନିବାର ଦଳ ଛାଡିଛନ୍ତି। ସେ ତାଙ୍କର ଇସ୍ତପାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସ୍ନେହଲତା ଦଳ ଛାଡିବା ଏବେ ପୁରୁଷୋତ୍ତମପୁର ସମେତ ଗଞ୍ଜାମ ଜିଲା ବିଜେଡିକୁ ଏକ ଶକ୍ତଧକ୍କା ଲାଗିଛି।
ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୀର୍ଘ ୩୦ ବର୍ଷଧରି ଜନତାଦଳ ଓ ବିଜୁଜନତା ଦଳରେ ରହିବା ସାଙ୍ଗକୁ ୩ ଥର ଜିଲାପରିଷଦ ସଭ୍ୟା, ଥରେ ସମିତିସଭ୍ୟା, ରାଜ୍ୟମହିଳା ସାଧାରଣ ସମ୍ପାଦିକା, ଜିଲାମହିଳା ଉପସଭାନେତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରେ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲେ। ନବୀନଙ୍କ ସ୍ବଚ୍ଛଭାବମୂର୍ତ୍ତିକୁ ନେଇ ଆନ୍ତରିକତାର ସହ ସମ୍ମାନ ଜଣାଉଛି।
ଏପରିକି ଏହିସମ୍ମାନ ଆଗାମି ଦିନରେ ମଧ୍ୟ ବଜାୟ ରହିବ। ମାତ୍ର ଦୀଘ ୫ ବର୍ଷହେଲା ୨୦୧୯ରୁ ଦଳ ପକ୍ଷରୁ ତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବା ସହ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଉନାହିଁ। ଏଣୁ ସେ ଦଳରୁ ଇସ୍ତଫା ଦେଇଥିବା କହିଥିବା ବେଳେ ପରବର୍ତ୍ତୀ ସମୟରେ କେଉଁଦଳକୁ ଯିବେ କି କ’ଣ କରିବେ ସେ ନେଇ ଆଗାମୀ ଦିନରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ଅଞ୍ଚଳଟି ବିଜେଡିର ଗଡ଼ ଭାବେ ପରିଚିତ ଥିବାବେଳେ ଦଳୀୟ ଅଣଦେଖା କାରଣରୁ ଜଣକପରେ ଜଣେ ବରିଷ୍ଠନେତା ଦଳ ଛାଡୁଛନ୍ତି।


