ଭଞ୍ଜନଗର,୧୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କଦଳିଆ ନାଳ ଓ ତତ୍ ସଲଗ୍ନ ଶାଖା ନାଳଗୁଡ଼ିକର ଜଳ ନିଷ୍କାସନ ନିମନ୍ତେ ଉକ୍ତ ନାଳର ପୁନରୁଦ୍ଧାର ପାଇଁ ରବିବାର ଶିଳାନ୍ୟାସ କରାଯାଇଥିଲା। ଏନେଇ ଭଞ୍ଜନଗର ବ୍ଲକ ଗୋଲାପଡ଼ା ପଞ୍ଚାୟତରେ ଶିଳାନ୍ୟାସ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଉକ୍ତ ନାଳର ପୁନରୁଦ୍ଧାର ପାଇଁ ୩ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ହେଉଛି। ନାଳ ପୁନରୁଦ୍ଧାର କାର୍ଯ୍ୟ ସରିଲେ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ତାହାର ସୁଫଳ ପାଇବେ। ରାଜ୍ୟ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଅନେକ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହିଭଳି ଭଞ୍ଜନଗର ନିର୍ବାଚନମଣ୍ଡଳୀର ଚାଷୀମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ ଆଲୋଚନା ସମୟରେ କହିଥିଲେ।
ଏଥିସହ ବିଧାୟକ ଭଞ୍ଜନଗରରେ ଏକ ସଭାରେ କହିଥିଲେ, ରାଜ୍ୟର ଏବେବି ଅନେକ ଗ୍ରାମର ଶିଶୁ ପୁସ୍ତକ ଦେଖିନାହାନ୍ତି। ସେମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚି ପାରିନାହିଁ। ଭଞ୍ଜନଗର ନିର୍ବାଚନମଣ୍ଡଳୀ ଦୋମୁହାଣି ପଞ୍ଚାୟତ ଗପଦର ଗ୍ରାମବାସୀ ମଧ୍ୟ ଦେଶ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ସ୍ବାଧୀନତାର ସ୍ବାଦ ଜାଣିପାରିନାହାନ୍ତି। ମୁଁ ବିଧାୟକ ନିର୍ବାଚିତ ହେବା ପରେ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲି। ଏହା ପରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉକ୍ତ ଗ୍ରାମର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲି। ବର୍ତ୍ତମାନ ଉକ୍ତ ଗ୍ରାମର ବିକାଶ ଆରମ୍ଭ ହୋଇଛି ବୋଲି ବିଧାୟକ ନାୟକ କହିଥିଲେ।
ଗୋଲାପଡ଼ାଠାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ (ଡ୍ରେନେଜ) ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ,ସହକାରୀ ଯନ୍ତ୍ରୀ କାଳୀ ଚରଣ ହୋତା, ଭାଜପା ଘୁମୁସର ସାଙ୍ଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର, ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ରବୀନ୍ଦ୍ର ଗୌଡ଼, ସମିତିସଭ୍ୟ ପୀତବାସ ପ୍ରଧାନ,ଟୁଟୁ ପ୍ରଧାନ, ସରପଞ୍ଚ ସୁକାନ୍ତ କୁମାର ମଳିକ, ଟୁଟୁ ପ୍ରଧାନ, ଅବସରପ୍ରାପ୍ତ ତହସିଲଦାର ପ୍ରମୋଦ ଦଳବେହେରା,ଭାଜପା ନେତା ସୁବାସ ବରାଡ଼, ମାନସ ଜେନା, ସୁନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


