ଆନନ୍ଦପୁର,୧୧ା୫(ସୁଶାନ୍ତ କୁମାର ସାହୁ): ମା’ଙ୍କୁ ଡାକ୍ତର ଦେଖାଇବାକୁ ବାହାରି ଥିଲେ ସପରିବାର। ହେଲେ ଦୁର୍ଘଟଣାରେ ଚାଲିଗଲା ମା’ଙ୍କ ଜୀବନ। ସେପଟେ ପୁଅ ଓ ନାତୁଣୀ ଗୁରୁତର ହୋଇଥିବା ବେଳେ ବୋହୂ ଓ ଝିଅ ଆହତ ହୋଇଛନ୍ତି। ହେଲେ ଦେଢ଼ବର୍ଷର ନାତି ଅଳ୍ପକେ ବର୍ତ୍ତିଯାଇଛି।
ରବିବାର ଏମିତି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ଗାଁର ରବି ନାରାୟଣ ମହାପତ୍ରଙ୍କ ପରିବାର କ୍ଷେତ୍ରରେ। ରବି ନାରାୟଣ ନିଜ ମା’ ଜ୍ୟୋତ୍ସ୍ନାମୟୀଙ୍କୁ ସାଙ୍ଗରେ ଧରି କାର୍ ଯୋଗେ ମୟୂରଭଞ୍ଜ ଜିଲା କେନ୍ଦୁଜୁଆଣିର ଜଣେ ଆୟୁର୍ବେଦ ଚିକିତ୍ସକଙ୍କୁ ଦେଖାଇବାକୁ ଯାଉଥିଲେ। ସାଙ୍ଗରେ ଥିଲେ ସ୍ତ୍ରୀ, ଦେଢ଼ବର୍ଷର ପୁଅ, ଭଉଣୀ ବିଶ୍ବବିଜୟିନୀ ଓ ଭାଣିଜୀ ସସ୍ମିତା ା ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ଗୋଡ଼ଭଙ୍ଗା ଘାଟି ଅତିକ୍ରମ କରିବା ପରେ ସାମ୍ନା ପଟୁ ଆସୁଥିବା ଏକ ଜାଳେଣି ଗ୍ୟାସ୍ ବୋଝେଇ ମିନିଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ମା’ ଜ୍ୟୋତ୍ସ୍ନାମୟୀଙ୍କ ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଅନ୍ୟମାନଙ୍କ ମଧ୍ୟରୁ ରବି ନାରାୟଣ ଓ ଭାଣିଜି ସସ୍ମ୍ମିତା ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି। ଦୁର୍ଘଟଣାର ଖବରପାଇ ଅଗ୍ନିଶମବାହିନୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ସେପଟେ ଖବରପାଇ ମହୁଲଡିହା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


