ପାରାଦୀପ,୪।୫: ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦନ ଜେନା ଏବଂ ରତ୍ନାକର ସ୍ବାଇଁ ବୋଲି ସୂଚନା ମିଳିଛି। ଏକ ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ ଆଇପିଟି ଡମ୍ପରକୁ ଧକ୍କା ଦେଇଥିଲା। ଏନେଇ ଡମ୍ପରଟି ଓଲଟି ପଡ଼ିଥିଲା। ଫଳରେ ଗାଡିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ମିଳିଥିବା ସୂଚନା ମୁତାବକ, ଏକ ଡମ୍ପର ଖରାପ ହୋଇଥିବାରୁ ଏହାର ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଡାକି ଇଞ୍ଜିନ ମରାମତି କରୁଥିଲେ। ସେତିକିବେଳେ ଏକ ଟ୍ରକ ଡମ୍ପରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ଡମ୍ପରର କ୍ୟାବିନ ଗାଡିରୁ ଅଲଗା ହୋଇ ଓଲଟି ପଡିଥିଲା। ଫଳରେ ୨ଜଣ ଡ୍ରାଇଭର ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଇପିଟି ଡମ୍ପର ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଫଳରେ ପୋର୍ଟ ମଧ୍ୟରେ ପଣ୍ୟ ପରିବହନ ଠପ୍ ହୋଇଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


