ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ ସଂଘର୍ଷ ହୋଇଥିଲା । ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ୨ ଭାଇ ସମେତ ସମୁଦାୟ ୩ ଜଣଙ୍କୁ ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ୨ ଭାଇ ରଞ୍ଜନ ବିଷୋୟୀ , ଯୁଧିଷ୍ଠିର ବିଷୋୟୀ ଏବଂ ଅନ୍ୟ ପକ୍ଷର ଶିବାନନ୍ଦ ବିଷୋୟୀ। ଥାନା ମାମଲା ନଂ.୨୧୩/୨୬ ଏବଂ ୨୧୪/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ଉଭୟ ପରିବାର ମଧ୍ୟରେ ଗତ ୨୦୨୪ ନଭେମ୍ବର ୨୦ ତାରିଖରେ ଝଗଡା ହୋଇଥିଲା। ଏହି ଘଟଣାରେ ଥାନା ମାମଲା ନଂ.୪୬୦/୨୪ ଅନୁଯାୟୀ ଶିବାନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେ ଜେଲରୁ ଜାମିନରେ ମୁକୁଳିବା ପରେ ତାଙ୍କ ପ୍ରତିପକ୍ଷ ଲୋକଙ୍କୁ ଗାଳି କରି କୋର୍ଟ ଖର୍ଚ୍ଚ ୧ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇ ଆସୁଥିଲେ।
ଶୁକ୍ରବାର ରାତିରେ ଏନେଇ ଉଭୟପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଶିବାନନ୍ଦ ଏକ ଲୁହାଛଡ଼ରେ ଯୁଧିଷ୍ଠିରଙ୍କ ମୁଣ୍ଡକୁ ଆଘାତ କରିବାରୁ ସେ ଗୁରୁତର ଆହାତ ହେବା ପରେ ଘରୁ ଏକ ପନିକି ଆଣି ଶିବାନନ୍ଦଙ୍କ ମୁଣ୍ଡକୁ ଚୋଟ ପକାଇବାରୁ ଶିବାନନ୍ଦ ଗୁରୁତର ଆହାତ ହୋଇଥିଲେ। ଏନେଇ ଏତଲା ହେବା ପରେ ଆଇଆଇସି କିଶୋର କୁମାର ସାମଲ ପୃଥକ ମକଦ୍ଦମା ରୁଜୁ କରିଥିଲେ ।

