ଭଞ୍ଜନଗର,୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ପ୍ରଥମ ସରକାରୀ ୱାଟର ପାର୍କ ସମ୍ପ୍ରସାରିତ ହେବା ପରେ ତାହା ଆସନ୍ତା ୪ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏପରିକି ଫୁଡ କୋର୍ଟର ମଧ୍ୟ ଉଦ୍ଘାଟିତ ହେବ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।
କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନା ଯୋଗ୍ୟ, ୨୦୨୪ ଜାନୁୟାରୀ ୨୬ ତାରିଖରେ ରାଜ୍ୟର ପ୍ରଥମ ସରକାରୀ ୱାଟର ପାର୍କ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଉଦଘାଟିତ ହୋଇଥିଲା।
ତତ୍କାଳୀନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାହାକୁ ଉଦ୍ଘାଟନ କରିଥିଲେ। ପାର୍କରେ ମନୋରଞ୍ଜନ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦୈନନ୍ଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ। କିନ୍ତୁ ଧାର୍ଯ୍ୟ ପର୍ଯ୍ୟଟକଙ୍କ ଠାରୁ
ଅଧିକ ପର୍ଯ୍ୟଟକ ଆସୁଥିବା ବେଳେ ବିଭିନ୍ନ ସମୟରେ ଟିକେଟ ମିଳୁ ନ ଥିଲା। ତେଣୁ ଅନେକ ପର୍ଯ୍ୟଟକ ୱାଟର ପାର୍କରେ ମନୋରଞ୍ଜନ କରି ନ ପାରି ଫେରିଯାଉଥିଲେ। ହେଲେ କିଛି ମାସ ଚାଲିବା ପରେ ହଠାତ୍ ପରିଚାଳନାଗତ ତ୍ରୁଟି ଯୋଗୁ ଜୁନରେ ଏହା ବନ୍ଦ ହୋଇଯାଇଥିଲା । ଜଳସମ୍ପଦ ବିଭାଗ ଅଧୀନରେ ପାର୍କ ଚାଲୁଥିଲେ ମଧ୍ୟ ପାର୍କ ବନ୍ଦ ହେବାପରେ ତାହା ପୁଣି ଖୋଲିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆଉ ଦୃଷ୍ଟି ଦେଇ ନ ଥିଲେ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପାର୍କ କିଭଳି ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲିବ ସେନେଇ ପଦକ୍ଷେପ ନେଇଥିଲେ। ଏପରିକି ପାର୍କର ଆଧୁନିକୀକରଣ ମଧ୍ୟ କରାଯାଇଛି। ପାର୍କ ଖୋଲିଲେ ପର୍ଯ୍ୟଟକମାନେ ପୁଣି ଆଗାମୀ ଦିନରେ ମଜା ନେଇ ପାରିବେ।


