ଭୁବନେଶ୍ୱର,୧।୫ (ରବିନାରାୟଣ ଜେନା): ଓଡ଼ିଶାରେ ଗ୍ରାମ୍ୟ ଅର୍ଥନୀତି ମଜଭୁତ କରିବାରେ ସମବାୟ ସମିତିଗୁଡ଼ିକ ହେଲା ମୂଳଦୁଆ। ହେଲେ ଯେଉଁ ଆଭିମୁଖ୍ୟ ନେଇ ରାଜ୍ୟରେ ସମବାୟ ସମିତି ଓ ସମବାୟ ବ୍ୟାଙ୍କ ଗଢ଼ିଉଠିଛି, ତାହା ସାଧିତ ହେଉନାହିଁ। ଚାଷୀଙ୍କ ହିତ ଲାଗି ଶସ୍ୟଋଣ ବାବଦକୁ ରାଜ୍ୟ ସରକାର ପ୍ରତିବର୍ଷ ଶତାଧିକ କୋଟି ଟଙ୍କା ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଜରିଆରେ ସମବାୟ ସମିତିକୁ ଯୋଗାଇ ଦେଉଛନ୍ତି। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଉକ୍ତ ଟଙ୍କା ନିର୍ଦ୍ଦିଷ୍ଟ ପଦ୍ଧତି ଦେଇ ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। କେତେବେଳେ ଋଣ ଅର୍ଥକୁ ସୁଧ ବାବଦରେ ଖର୍ଚ୍ଚ କରାଯାଉଛି ତ ଆଉ କେତେବେଳେ ବ୍ୟାଙ୍କ ଓ ସମବାୟ ସମିତି କର୍ତ୍ତୃପକ୍ଷ ନୂତନ ଗାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ବାବଦରେ ଖର୍ଚ୍ଚ କରିଦେଉଛନ୍ତି। ଫଳରେ ଚାଷୀ ବିଶେଷ ଉପକୃତ ହୋଇପାରୁନାହାନ୍ତି। ସମବାୟ ସମିତି ଓ ବ୍ୟାଙ୍କଗୁଡ଼ିକ ଉପରେ ଦିନକୁ ଦିନ ସ୍ବଳ୍ପମିଆଦୀ ଋଣ ବୋଝ ବଢ଼ିଚାଲିଥିବାବେଳେ ‘ଇମ୍ବାଲାନ୍ସ’ (ଅସନ୍ତୁଳିତ) ସ୍ଥିତି ଅସମ୍ଭାଳ ହୋଇଛି। ସମବାୟ ବ୍ୟାଙ୍କ ଓ ସମିତି ଏକପ୍ରକାର ଖୋଳ ସଦୃଶ ହୋଇଚାଲିଛି ବୋଲି ‘ନାବାର୍ଡ’ ପକ୍ଷରୁ କରାଯାଇଥିବା ଏନ୍ଏବିସିଓଏନ୍ଏସ୍ ସର୍ଭେରୁ ଜଣାପଡ଼ିଛି।
ସର୍ଭେ ଅନୁଯାୟୀ, ରାଜ୍ୟରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଇମ୍ବାଲାନ୍ସ ଓ ସ୍ବଳ୍ପମିଆଦୀ ଋଣ ପରିମାଣରେ ଐତିହାସିକ ତଥ୍ୟ ଦେଖିବାକୁ ମିଳିଛି। ୨୦୧୭-୧୮ରେ ୧ ହଜାର କୋଟି ଟଙ୍କାର ଇମ୍ବାଲାନ୍ସ ରହିଥିବାବେଳେ ୨୦୨୨-୨୩ ସୁଦ୍ଧା ଏହି ପରିମାଣ ପ୍ରାୟ ୩ ହଜାର ୨୨ କୋଟି ଟଙ୍କାକୁ ଛୁଇଁଛି। ସେହିପରି ସ୍ବଳ୍ପମିଆଦୀ ଋଣ କ୍ଷେତ୍ରରେ ୨୦୧୭-୧୮ରେ ଏହା ୧୧ ହଜାର ୫ କୋଟି ରହିଥିବାବେଳେ ୨୦୨୨-୨୩ ବେଳକୁ ଏହା ୧୬ ହଜାର ୬୮୩ କୋଟି ଟଙ୍କାରେ ପହଞ୍ଚତ୍ଛି। ଯଦି ଏହି ଟ୍ରେଣ୍ଡ୍ ବଳବତ୍ତର ରୁହେ ତେବେ ଇମ୍ବାଲାନ୍ସ ପରିମାଣ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୬ ହଜାର ୧୬୧ କୋଟି ଟଙ୍କା ଛୁଇଁବ ବୋଲି ସର୍ଭେରେ କୁହାଯାଇଛି। ସେହିପରି ସ୍ବଳ୍ପମିଆଦୀ ଋଣ ପରିମାଣ ଏହି ଅବଧି ମଧ୍ୟରେ ୨୭ ହଜାର ୬୬୪ କୋଟିରେ ପହଞ୍ଚତ୍ବ। ଯଦି ଏହି ପ୍ରକାରେ ଗତିକରେ ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣକୁ ବୃଦ୍ଧି ହୋଇପାରେ ବୋଲି ସର୍ଭେ ଆକଳନ କରିଛି।
ସର୍ଭେ ଅନୁଯାୟୀ, ସମବାୟ ବ୍ୟାଙ୍କ ଓ ସମିତିର ପରିଚାଳନାଗତ ତ୍ରୁଟି ଓ ସମବାୟ ବିଭାଗର ସମୟୋଚିତ ପଦକ୍ଷେପ ନେବାରେ ବିଫଳତା ଯୋଗୁ ୨୦୧୭-୧୮ ଇମ୍ବାଲାନ୍ସ ୧୦୦ କୋଟି ରହିଥିବାବେଳେ ଏହା ୨୦୨୧-୨୨ରେ ୨୨୮୭ କୋଟିରେ ପହଞ୍ଚିଥିଲା। ସେହିପରି ସ୍ବଳ୍ପମିଆଦୀ ଋଣ ୨୦୧୭-୧୮ରେ ୧୧ ହଜାର ୫ କୋଟି ରହିଥିବାବେଳେ ୨୦୨୫-୨୬ରେ ଏହା ଦ୍ୱିଗୁଣ ଅର୍ଥାତ୍ ୨୨ ହଜାର ୫୫୮ କୋଟିକୁ ଛୁଇଁବ ବୋଲି ଏନ୍ଏବିସିଓଏନ୍ଏସ୍ ସର୍ଭେରୁ ଜଣାଯାଇଛି।


