ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଏନ୍.ସୁଷମା ରେଡ୍ଡୀ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ଏତଲା ହେବାପରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର ସକାଳେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଯୁବତୀଙ୍କ ମୃତଦେହ ଜବତ କରିଥଲେ। ଥାନାରେ ଅପମୃତ୍ୟୁ ମାମଲା(ନଂ.୧୬/୨୫) ଅନୁଯାୟୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୂଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସୁଷମାଙ୍କ ମା’ ଏନ୍. ପାରମା ରେଡ୍ଡୀ, ବାପା ଏନ୍.ବିଜୟ ରେଡ୍ଡୀ ଭୁବନେଶ୍ୱରରେ ରହି ଦିନ ମଜୁରିଆ କାମ କରୁଛନ୍ତି। ଘରେ ସୁଷମା ଏବଂ ତାଙ୍କ ଦିବ୍ୟାଙ୍ଗ ଭାଇ ଏନ୍. ସାକିଲି ରେଡ୍ଡୀ ରହନ୍ତି। ସୋମବାର ବିଳମ୍ବିତ ରାତିରେ ସୁଷମା ଘରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ସାହି ପଡୋଶୀ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ଜଣାଇଥିଲେ। ସକାଳେ ବାସୁଦେବପୁର ଗାଁରେ ରହୁଥିବା ତାଙ୍କ ସମ୍ପର୍କୀୟ ସିମାଞ୍ଚଳ ରେଡ୍ଡୀ ଥାନାରେ ଏତଲା ଦେଇଥିଲେ। କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ସୁଷମା କୌଣସି କୀଟନାଶକ ଖାଇ ଦେଇଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ଏତଲାରେ ଉଲ୍ଲେଖ ରହିଛି।


