ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍ଅର୍ଡିନେଟ ଆଣ୍ଡ୍ ମିନିଷ୍ଟ୍ରିଆଲ ଷ୍ଟାଫ୍ ସିଲେକ୍ସନ ବୋର୍ଡ (ଆର୍ଏସ୍ଏମ୍ଏସ୍ଏସ୍ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ରେକର୍ଡ ସଂଖ୍ୟକ ଆବେଦନ ହୋଇଛି। ମୋଟ ୫୩,୭୪୯ ପଦବୀ ପାଇଁ ହେଉଥିବା ଏହି ନିଯୁକ୍ତିର ଆବେଦନ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ତେବେ ଏହି ନିଯୁକ୍ତି ପାଇଁ ମୋଟ ୨୪ ଲକ୍ଷ ୭୬ ହଜାର ୩୮୩ ଜଣ ଆବେଦନ କରିଥିବା ନେଇ ଆର୍ଏସ୍ଏମ୍ଏସ୍ଏସ୍ବି ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଚତୁର୍ଥ ଶ୍ରେଣୀ ପଦବୀ ପାଇଁ ହେଉଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଗୋଟିଏ ପଦ ପାଇଁ ୪୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ଏହି ନିଯୁକ୍ତି ପାଇଁ ପିଏଚ୍.ଡି., ଏମ୍ବିଏ, ଲ’ ଗ୍ରାଜୁଏଟ ପରି ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ମଧ୍ୟ ବହୁସଂଖ୍ୟାରେ ଆବେଦନ କରିଛନ୍ତି। ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅନେକ ଛାତ୍ରୀଛାତ୍ର ମଧ୍ୟ ଏହି ନିଯୁକ୍ତି ପାଇଁ ଆବେଦନ କରିଛନ୍ତି। ଜୟପୁରସ୍ଥିତ ଗୋପାଲପୁରା ଅଞ୍ଚଳରେ ଥିବା କୋଚିଂ ସେଣ୍ଟର ସାହାଯ୍ୟରେ ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅନେକ ଛାତ୍ରୀଛାତ୍ର ଏହି ନିଯୁକ୍ତିରେ ଆବେଦନ କରିବାର କାରଣ ସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମରେ ନିଜ ମତ ରଖିଛନ୍ତି। ଏମ୍.ଏ, ବି.ଇଡି ଶିକ୍ଷାଗତ ଯୋଗ୍ୟତା ଥିବା ସହ ବିଭିନ୍ନ ଆଇଟି କୋର୍ସ କରିଥିବା ଛାତ୍ର କମଲ କିଶୋର କହିଛନ୍ତି, ୨୦୧୮ରୁ ସେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ସଫଳତା ମିଳିନାହିଁ। ତେଣୁ ସାମ୍ପ୍ରତିକ ସ୍ଥିତିରେ ବେରୋଜଗାର ରହିବା ଅପେକ୍ଷା ପିଅନ ଭାବେ ଚାକିରି କରିବା ତାଙ୍କ ପାଇଁ ଢେର ଗୁଣା ଭଲ। ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ତନୁଜା ଯାଦବ ଏବଂ ଏମ୍.ଏ, ବି.ଇଡି ପାଠ୍ୟକ୍ରମ ଶେଷ କରିଥିବା ସୁମିତ୍ରା ଚୌଧୁରୀ ମଧ୍ୟ ସମାନ ମତ ରଖିଛନ୍ତି। ଉଭୟେ ରାଜସ୍ଥାନ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ ମଧ୍ୟ ଏହି ସରକାରୀ ନିଯୁକ୍ତି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି।


