ଭୁବନେଶ୍ୱର,୧୮ା୪(ରବିନାରାୟଣ ଜେନା):ଦିଲ୍ଲୀ ବିଧାନସଭା ଆଗାମୀ ଦିନରେ ଓଡ଼ିଶାର ‘ନେଭା’ ମଡେଲ ଆପଣାଇବ। ଜୁଲାଇରେ ହେବାକୁ ଥିବା ମୌସୁମୀ ଅଧିବେଶନ କାଳରେ ଦିଲ୍ଲୀ ବିଧାନସଭାରେ କାଗଜମୁକ୍ତ ଇ-ବିଧାନସଭା ତଥା ନେଭା ପୋର୍ଟାଲ କାର୍ଯ୍ୟକ୍ଷମ ହେବ ବୋଲି ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା କହିଛନ୍ତି। ଗୁରୁବାର ରାଜ୍ୟ ଅତିଥି ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେନ୍ଦ୍ର କହିଥିଲେ, ଦେଶରେ ଗୁଜରାଟ, ତାମିଲନାଡୁ, ବିହାର, ପଞ୍ଜାବ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ ଭଳି ରାଜ୍ୟର ବିଧାନସଭାରେ ଇ-ବିଧାନସଭା କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଓଡ଼ିଶାରେ ଏହାର ସର୍ବୋତ୍ତମ ଉପଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଆଭିମୁଖ୍ୟକୁ ଅନୁସରଣ କରି ଫେବୃଆରୀରେ ଓଡ଼ିଶା ବିଧାନସଭାରେ ଉଦ୍ଘାଟନ ହୋଇଥିବା ‘ନେଭା’ ପୋର୍ଟାଲରେ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର ହୋଇଛି। ଏହାଦ୍ୱାରା ବିଧାନସଭାର ଟିକିନିଖି ବିବରଣୀ ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ତେଣୁ ଓଡ଼ିଶା ନେଭା ମଡେଲକୁ ଦିଲ୍ଲୀ ବିଧାନସଭା ଆପଣାଇବ।


