ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଖଣ୍ଡାଳବନ୍ଧ ଗାଁ ନିକଟ ମୁଖ୍ୟରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ଘଟିଛି। ସେ ହେଲେ କୁକୁଡ଼ାଖଣ୍ଡିି ବ୍ଲକ ମେଦିନୀପୁର ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ।
କୃଷ୍ଣଚନ୍ଦ୍ର ଏକ ସ୍କୁଟି(ନଂ. ଓଡ଼ି ୦୭ – ୭୫୬୦) ଯୋଗେ ଚିକିଟିରୁ ମେଦିନୀପୁର ଗାଁକୁ ଫେରୁଥିବା ବେଳେ ବାଟରେ କୌଣସି ଏକ ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସମ୍ପର୍କୀୟ ପଞ୍ଚାନନ ପ୍ରଧାନ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ ଏକ ମାମଲା(ନଂ.୧୪୪/୨୫) ରୁଜୁ କରିଛନ୍ତି। ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।


