ଭୁବନେଶ୍ୱର,୧୦।୩(ରବିନାରାୟଣ ଜେନା): ରାଜ୍ୟରେ ଦିନକୁ ଦିନ ବାଲାଂଦେଶୀ ଅନୁପ୍ରବେଶକାରୀ ବଢୁଛନ୍ତି। ଖାଲି ଯେ ସେମାନଙ୍କ ସଂଖ୍ୟା ବଢୁଛି ତାହା ନୁହେଁ, ସେମାନେ ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧିକ ମାମଲା ଘଟାଉଛନ୍ତି। ଅଦ୍ୟାବଧି ରାଜ୍ୟର ୩୭୩୮ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଦର୍ଶାଇଛନ୍ତି।
ସୋମବାର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଝୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂପୁରରେ ୧୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ ୧୦୬ ଏବଂ ଭୁବନେଶ୍ୱରରେ ୧୭ ଜଣ ବସବାସ କରୁଛନ୍ତି। ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଳକ ଏବଂ ପୁଲିସ୍ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ପଦକ୍ଷେପ ଉଠାଇଛନ୍ତି। ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଏସଂକ୍ରାନ୍ତରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବାଲାଂଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ବାଲେଶ୍ବର ଜିଲ୍ଲାରେ ୫ ଜଣ ବାଲାଂଦେଶୀ ନାଗରିକ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି । ଉକ୍ତ ମାମଲାଗୁଡିକ ବର୍ତ୍ତମାନ ଅଦାଲତରେ ବିଚାରାଧନ ରହିଛି।


