ନୂଆଦିଲ୍ଲୀ,୫।୩: ବରୁଣ ଚକ୍ରବର୍ତ୍ତୀ ଆର୍କିଟେକ୍ଟ ଅଧ୍ୟୟନ କରିଛନ୍ତି। କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟର ମଇଦାନରେ ତାଙ୍କ ସଫଳତାର ଅଟ୍ଟାଳିକା ନିର୍ମାଣ କରୁଥିବା ପରି ମନେ ହେଉଛି। ବରୁଣଙ୍କ ଦକ୍ଷତା ଯୋଗୁ ଏବେ ICC ମଧ୍ୟ ତାଙ୍କୁ ସମ୍ମାନ ଦେଇଛି। ସଦ୍ୟତମ ICC ODI ବୋଲର ରାଙ୍କିଙ୍ଗରେ ବିଶ୍ୱର ୧୪୩ ବୋଲରଙ୍କୁ ପଛରେ ପକାଇ ଭାରତୀୟ ସ୍ପିନର ଚହଳ ସୃଷ୍ଟି କରିଛନ୍ତି। ଡାହାଣହାତୀ ସ୍ପିନର ବରୁଣ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିରେ ଖେଳୁଛନ୍ତି, ଯେଉଁଠାରେ ସେ ଏପର୍ଯ୍ୟନ୍ତ ପାଇଥିବା ଦୁଇଟି ସୁଯୋଗର ଭରପୂର ଫାଇଦା ଉଠାଇଛନ୍ତି।
ବରୁଣ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୨ଟି ମ୍ୟାଚ୍ରେ ୭ ଉଇକେଟ ନେଇଛନ୍ତି। ଏହି ୭ଟି ଉଇକେଟ ମଧ୍ୟରୁ ୫ ଉଇକେଟ ଗୋଟିଏ ମ୍ୟାଚ୍ରେ ରହିଛି। ଏଥିସହ ସେ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି। ଏବେ କେବଳ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନରୀ ଏବଂ ଭାରତର ମହମ୍ମଦ ଶାମି ତାଙ୍କଠାରୁ ଅଧିକ ଉଇକେଟ ନେଇଛନ୍ତି। କିନ୍ତୁ ଦୁହେଁ ତାଙ୍କଠାରୁ ଅଧିକ ମ୍ୟାଚ୍ ଖେଳିଛନ୍ତି।
ଏବେ ପ୍ରଶ୍ନ ହେଉଛି ଆଇସିସି ଏକଦିବସୀୟ ବୋଲର ରାଙ୍କିଙ୍ଗରେ ୧୪୩ ସ୍ଥାନ ଡେଇଁବା ପରେ ବରୁଣ ଚକ୍ରବର୍ତ୍ତୀ କେଉଁଠି ପହଞ୍ଚିଛନ୍ତି? ତେବେ ଏହି ଭାରତୀୟ ସ୍ପିନର ଶ୍ରେଷ୍ଠ ୧୦୦ରେ ଏଣ୍ଟ୍ରି କରିଛନ୍ତି। ବରୁଣ ଏବେ ୯୭ତମ ସ୍ଥାନରେ ପହଞ୍ଚିଛନ୍ତି।
ଆଇସିସିର ଶ୍ରେଷ୍ଠ ୧୦ ଏକଦିବସୀୟ ବୋଲର ତାଲିକାରେ କୁଲଦୀପ ଯାଦବ ଏକମାତ୍ର ଭାରତୀୟ ଅଛନ୍ତି। ସଦ୍ୟତମ ରାଙ୍କିଙ୍ଗରେ କୁଲଦୀପ ତିନି ସ୍ଥାନ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି। ସେ ସଦ୍ୟତମ ICC ରାଙ୍କିଙ୍ଗରେ ତିନି ସ୍ଥାନ ଉପରକୁ ଉଠି ୧୧ ନମ୍ବରରେ ପହଞ୍ଚିଛନ୍ତି। ରବିନ୍ଦ୍ର ଜାଡେଜା ୧୩ ନମ୍ବରରେ ରହିଛନ୍ତି। ଯେଉଁଠାରେ ମହମ୍ମଦ ସିରାଜ ଦୁଇ ସ୍ଥାନ ତଳକୁ ଖସି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।


