ପିତା-ପୁତ୍ର ସମ୍ପକ

ସପ୍ତର୍ଷି ନାୟକ

ଭାରତରେ ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ଆମ ଜୀବନର ସତ୍ୟକୁ ଦେଖାଇବାର ପ୍ରୟାସ ଲେଖକମାନେ କରିଥାଆନ୍ତି। କିଛି ଦିନ ହେବ ସେଭଳି ଏକ ଚଳଚ୍ଚିତ୍ର ‘ଆନିମଲ୍‌’ ଯାହାକି ଭାରତୀୟ ଯୁବପିଢ଼ିଙ୍କ ଦ୍ବାରା ଆଦୃତ ହୋଇଛି । ଅନେକ ସ୍ଥାନରେ ଏ ଚଳଚ୍ଚିତ୍ରକୁ ନିନ୍ଦା ମଧ୍ୟ କରାଯାଇଛି। ତେବେ ଚଳଚ୍ଚିତ୍ରର ମୁଖ୍ୟ ବିଷୟବସ୍ତୁ ଥିଲା ପିତା ଓ ପୁତ୍ର ମଧ୍ୟରେ ଥିବା ନକାରାତ୍ମକ ସଂକୀର୍ଣ୍ଣ ସମ୍ପର୍କ। ବାସ୍ତବରେ ଦେଖିବାକୁଗଲେ ଭାରତୀୟ ପରିବାରରେ ପିତା ଓ ପୁତ୍ର ମଧ୍ୟରେ ଥିବା ସମ୍ପର୍କରେ ସର୍ବଦା ଏକ କଠୋରତା ପରିଲକ୍ଷିତ ହୋଇଥାଏ। ଉଦାହରଣ ସ୍ବରୂପ କିଛି ପିଲା କୁହନ୍ତି ସେମାନଙ୍କର କିଛି ବିଷୟ ପ୍ରତି ରୁଚି ଥିଲାବେଳେ ବାପାଙ୍କ ଚାପରେ ଆଉ କିଛି ବିଷୟ ପଢ଼ିବାକୁ ବାଧ୍ୟ ହୁଅନ୍ତି। ଯାହା ଫଳରେ ଚାକିରି ପରେ ମଧ୍ୟ ସେସବୁ ତାଙ୍କ ମନରୁ ଲିଭିନଥାଏ। ଅଧିକନ୍ତୁ ଚାକିରି ପରେ ମଧ୍ୟ ସେମାନେ ଖୁସିରେ ରହିପାରନ୍ତି ନାହିଁ। କିଛି ଲୋକଙ୍କର ଅଭିଯୋଗ ଥାଏ, ତାଙ୍କ ପିଲାମାନଙ୍କୁ ଯେତେ ବୁଝେଇଲେ ମଧ୍ୟ ସେମାନେ ବୁଝିବାକୁ ଅସମର୍ଥ। କିଛି କ୍ଷେତ୍ରରେ ଏହାର ବିପରୀତ ମଧ୍ୟ ପରିଲକ୍ଷିତ ହୁଏ। ଏସବୁ ବହୁପିଢ଼ିରୁ ଚାଲିଆସିଛି। ସର୍ବଦା ପାଖରେ ଥାଇ ପରସ୍ପର ବିଷୟରେ ଭାବୁଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଏକ ଦୂରତା ସର୍ବଦା ରହିଥାଏ। ଏସବୁ ସମସ୍ତେ ଅନୁଭବ କଲେ ମଧ୍ୟ ୟା’ ବିଷୟରେ କିଛି ବି ଆଲୋଚନା ହୁଏନାହିଁ।
ପିତା ଓ ପୁତ୍ର ମଧ୍ୟରେ ଦେଖାଯାଉଥିବା ଏହି ସମ୍ପର୍କର ଦୂରତ୍ୱକୁ ବୁଝିବାକୁ ହେଲେ ଏହାକୁ ୩ଟି ସ୍ତରରେ ବିଶ୍ଳେଷଣ କରାଯାଇପାରେ। ପ୍ରଥମତଃ ଯେତେବେଳେ ପିଲାଟି ଛୋଟଥାଏ। ସାଧାରଣତଃ ଛୋଟପିଲାଙ୍କ ମନରେ କିଛି ବି ମୋହମାୟା ନ ଥାଏ। ଯାହା ସହ ସେମାନେ ଖେଳନ୍ତି ଓ ସମୟ ଅତିବାହିତ କରନ୍ତି, ସେମାନଙ୍କୁ ସେମାନେ ଭଲପାଇଯା’ନ୍ତି। ଛୋଟ ପିଲାମାନେ ସେଥିପାଇଁ ନିଜ ମା’ ସହ ଥିବା ସ୍ନେହ ମମତାର ବନ୍ଧନକୁ ଅନୁଭବ କରନ୍ତି। କର୍ମକ୍ଷେତ୍ରରେ ଥିବା ଚାପ, ପାରିବାରିକ ଓ ସାମାଜିକ ଚାପରେ ଥିବା ଜଣେ ପୁରୁଷ କେବେବି ନିଜ ପୁତ୍ର ସହ ସମୟ ଅତିବାହିତ କରିବା କି ତାକୁ ସ୍ନେହ କରିବାକୁ ଗୁରୁତ୍ୱ ଦିଅନ୍ତି ନାହଁି। ଛୋଟବେଳୁ ହିଁ ମାଆ ସହ ସବୁବେଳେ ରହିଥିବା ପୁଅ ମାଆ ଉପରେ ଯେତିକି ନିଜର ଅଧିକାର ଓ ସ୍ନେହ ଅନୁଭବ କରେ, ତାହା ସେ ପିତାଙ୍କ ସହ କରିପାରେ ନାହଁି। ଉଦାହରଣ ସ୍ବରୂପ ଛୋଟ ବେଳେ କିଛି ବି ଆର୍ଥିକ ସମସ୍ୟା ହେଲେ ସେ ମା’କୁ ଅଳି କରି ମାଗିଥାଏ। କିନ୍ତୁ ଯେତେବେଳେ ପିଲା ୨୫ ବର୍ଷର ଜଣେ ଯୁବକ ହୁଏ, ସେ ନିଜର ଆର୍ଥିକ ସମସ୍ୟାକୁ ଘରେ କହିବାକୁ ଲଜ୍ଜା ବୋଧକରେ। ପିତାଙ୍କ ପାଖରେ ସେଭଳି ନିଜସ୍ବଭାବ କେବେବି ଜଣେ ପୁରୁଷ ଅନୁଭବ କରିପାରେ ନାହଁି। ପିତା ସର୍ବଦା ଚାହାନ୍ତି, ଯାହା କଷ୍ଟ ସେ ଭୋଗିଛନ୍ତି ସେସବୁ ଆଗରୁ ପିଲାଙ୍କୁ ସତର୍କ କରିଦେବା ପାଇଁ। ସେଥିପାଇଁ ୧୫-୧୬ ବର୍ଷ ହେଲେ ସେ ବିଭିନ୍ନ ଉପାୟରେ ଗାଳି ମାଧ୍ୟମରେ, କଠୋର ଭାବେ ଏସବୁକୁ ବୁଝେଇବାକୁ ଚେଷ୍ଟା କରନ୍ତି। ଏସବୁ ବୁଝେଇବାର ଶୈଳୀ କେବେକେବେ ଏତେ କଠୋର ହେଇଯାଏ ଯେ, ସେ ଭୁଲିଯା’ନ୍ତି କି ସବୁ ମଣିଷ ସମାନ ନୁହନ୍ତି କି ସମସ୍ତଙ୍କର କାର୍ଯଦକ୍ଷତା ମଧ୍ୟ ସମାନ ନୁହେଁ। ୧୫-୧୬ ବର୍ଷରେ ନିଜ ସ୍ବପ୍ନର ଦୁନିଆରେ ଥିବା ପିଲା ମଧ୍ୟ ଏସବୁକୁ ବୁଝିବାକୁ ଅସମର୍ଥ ହେଇଥାଏ। ତେବେ ଛୋଟବେଳୁ ଥିବା ସମ୍ପର୍କର ଦୂରତ୍ୱ ଆହୁରି ଅଧିକ ବଢ଼ିଯାଏ। ପିତା-ପୁତ୍ର ମଧ୍ୟରେ ଥିବା ଏହି ଅଦୃଶ୍ୟ ପାଚେରି ସମୟ ସହ ଆହୁରି ବଢ଼ି ବଢ଼ି ଚାଲେ। କେବେ ପାଠପଢ଼ାକୁ ନେଇ କି, କେବେ ଚାକିରି କି ନେଇକି ତ କେବେ ବାହାଘରକୁ ନେଇ କି ପିତା-ପୁତ୍ର ମଧ୍ୟରେ ସର୍ବଦା ଭାବନାର ଦୁଇ ମତ ଦେଖାଯାଇଥାଏ। ନିଜ ଜାତିରେ ବାହା ହବା ପ୍ରଥା ପ୍ରାଚୀନ କାଳରୁ ରହିଆସିଛି। ଏହି ପ୍ରଥାକୁ ଆଗକୁ ବଢ଼େଇବାର ଭାର ରହିଥାଏ ଘରର ମୁରବି ତଥା ପୁରୁଷ ସଦସ୍ୟଙ୍କ ଉପରେ। କିନ୍ତୁ ବର୍ତ୍ତମାନର ପିଢ଼ି ବାହାଘରକୁ ନେଇକି ସ୍ବାଧୀନତା ଚାହାନ୍ତି। ଏସବୁ ନେଇ ସବୁବେଳେ ପିତା-ପୁତ୍ର ମଧ୍ୟରେ ମନୋମାଳିନ୍ୟ ଦେଖାଯାଏ। କିଛି କ୍ଷେତ୍ରରେ ପିତା-ପୁତ୍ର ନିଜ ଭିତରେ ଥିବା ସମ୍ପର୍କକୁ ଏତେ କଠୋର ନକରି ଆଲୋଚନା ଦ୍ବାରା ଏସବୁର ସମାଧାନ କରିଦିଅନ୍ତି। ଆଗକୁ ଏସବୁ ଏକ ସୁସ୍ଥ ପରିବାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣକରେ।
ଆଗକାଳରୁ ପିତା-ପୁତ୍ର ମଧ୍ୟରେ ଥିବା ଭୟର ସମ୍ପର୍କ ବର୍ତ୍ତମାନ ପରିବର୍ତ୍ତନ ହେବା ଆବଶ୍ୟକ। ଭୟରୁ ଜାତ ହୋଇଥିବା ଭକ୍ତି କିଛି ସମୟ ପରେ ଘୃଣାର ରୂପ ନେଇଥାଏ। ଏବେ ଆଧୁନିକ ସମାଜରେ ପିତା-ପୁତ୍ର ସମ୍ପର୍କରେ ବହୁତ ପରିବର୍ତ୍ତନ ମଧ୍ୟ ଆସିଛି। ଏବେ ପିତା-ପୁତ୍ର ସହ ମିତ୍ର ଭଳି ଆଚରଣ କରୁଛନ୍ତି। ସମ୍ମାନ, ସଂସ୍କାର ସହ ପିଲାଙ୍କ ମନକୁ ବୁଝିବାକୁ ଆଧୁନିକ ବାପାମାନେ ମଧ୍ୟ ଚେଷ୍ଟା କରୁଛନ୍ତି। ଦେଖାଯାଇଛି କଠୋର ଶାସନରେ ଥିବା ପିଲାମାନେ ସମାଜରେ ବଞ୍ଚତ୍ବାକୁ ମିଛର ସାହାରା ନେଇଥାଆନ୍ତି। ତେବେ ଏସବୁ ମନୋଭାବର ପରିବର୍ତ୍ତନ ଆବଶ୍ୟକ। ବାପା ପୁଅକୁ ଜୀବନରେ କ’ଣ କରିବୁ ବୋଲି ପଚାରେ, କିନ୍ତୁ କେବେ ପୁଅ କେମିତି ଅଛୁ କ’ଣ ଚାଲିଛି ତୋ ଜୀବନରେ ଏକଥା ପଚାରନ୍ତି ନାହିଁ। ଏଭଳି ଛୋଟ ଛୋଟ କଥା ପିତା-ପୁତ୍ର ମଧ୍ୟରେ ଦୂରତା ସୃଷ୍ଟି କରିଥାଏ। ଅନେକ ଲୋକ ସାମାଜିକ ଚାପରେ ରହି ନିଜ ପୁଅକୁ ଭଲପାଇଲେ ମଧ୍ୟ ମନର ଭାବନାକୁ ବର୍ଣ୍ଣନା କରିବାରେ ଅସମର୍ଥ ହୁଅନ୍ତି। ଆଧୁନିକ ଯୁବପିଢ଼ି ନିଜ ଭାବନାକୁ ସର୍ବୋପରି ନ ଭାବି ଆଲୋଚନା ଦ୍ୱାରା ପିତା-ପୁତ୍ର ମଧ୍ୟରେ ଥିବା ସଂକୀର୍ଣ୍ଣ ସମ୍ପର୍କକୁ ସମାଧାନ କରିବା ଉଚିତ।
ଗବେଷକ, ପଦାର୍ଥ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭଞ୍ଜବିହାର, ଓଡ଼ିଶା
ମୋ: ୮୨୪୯୯୯୭୬୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri