Odisha Elections 2024

ପ୍ରତାପଙ୍କ ନାଁରେ ହତ୍ୟା ମାମଲା ଚାଲିବ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୨୬ା୯ (ଅଶୋକ କୁମାର ମହାପାତ୍ର/ଯଯାତି ସିଂ):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ୧୩ ନମ୍ବର ଅଭିଯୁକ୍ତ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ବିଧାୟକ ଜେନାଙ୍କ ନାମରେ ଆଇପିସି ଦଫା ୩୦୨, ୧୨୦ ବି ଓ ୫୦୬ (ହତ୍ୟା, ଷଡ଼ଯନ୍ତ୍ର, ହତ୍ୟା ଧମକ ଦେବା) ଅନୁଯାୟୀ ମାମଲା ଚାଲୁ ରହିବ ବୋଲି ଜେଏମ୍‌ଏଫ୍‌ସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ବିଧାୟକ ହୋଇଥିବାରୁ ଏହି ମାମଲାକୁ ସାଲେପୁରରୁ ଭୁବନେଶ୍ୱର ଆଡିଶନାଲ ଡିଷ୍ଟ୍ରିକ୍ଟ ସେକ୍ସନ ଜଜ୍‌ କମ୍‌ ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ଜେଏମ୍‌ଏଫ୍‌ସି ଆଦେଶ ଦେଇଛନ୍ତି। ଏହି ସ୍ପେଶାଲ କୋର୍ଟରେ ଏମ୍‌ପି, ବିଧାୟକ ଆଦି ଲୋକପ୍ରତିନିଧିମାନଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ବିଚାର ହୋଇଥାଏ।
ମାହାଙ୍ଗା ଥାନା ଅଧୀନ ନୃତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୨)ଙ୍କୁ ୨୦୨୧ ଜାନୁୟାରୀ ୨ରେ ହତ୍ୟା କରାଯାଇଥିଲା। ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା କୁଳମଣି ଅଭିଯୋଗ ଆଣିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା। ଏହି ଘଟଣାରେ ମାହାଙ୍ଗା ବିଧାୟକ ତଥା ତତ୍କାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପୋଲିସ ରୁଜୁ କରିଥିବା ମାମଲା (ନଂ.୫/୨୧)ରେ ମନ୍ତ୍ରୀ ଜେନାଙ୍କ ନାମ ଅଭିଯୁକ୍ତଙ୍କ ତାଲିକାର ୧୩ ନମ୍ବର ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ଜେନାଙ୍କ ନାମକୁ ଚାର୍ଜଶିଟ୍‌ରୁ କାଟି ଦେଇଥିଲା। ଏହାକୁ ବିରୋଧ କରି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିଶନ (ନଂ.୨୧୭/୨୧) ଦାଏର କରିଥିଲେ। ମାମଲାର ଶୁଣାଣି କରି ମାଜିଷ୍ଟ୍ରେଟ୍‌ ବିଧାୟକ ଜେନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିଧାୟକ ଜେନାଙ୍କ ପିଏ ଉମାକାନ୍ତ ବିଶ୍ୱାଳ(ବାପି), ତତ୍କାଳୀନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ ଏବଂ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ କଲ୍‌ ଡିଟେଲ ରେକର୍ଡ (ସିଡିଆର) ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାରମ୍ବାର କୋର୍ଟଙ୍କୁୁ ସମୟ ମାଗି ମାହାଙ୍ଗାର ତତ୍କାଳୀନ ଥାନାଧିକାରୀ ନୀହାର ରଞ୍ଜନ ମହାନ୍ତି ଅଡୁଆରେ ପଡିଥିଲେ। ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜର ହୋଇ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସମୟ ଗଡ଼ାଇବା ଯୋଗୁ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ। ଶେଷରେ ପୋଲିସ ଚାର୍ଜଶିଟ୍‌, ସିଡିଆର ସମେତ ମାମଲାର ଦସ୍ତାବିଜ କୋର୍ଟରେ ଦାଖଲ କରିଥିଲା। ଇତିମଧ୍ୟରେ କୁଳମଣିଙ୍କ ପୁଅ ରମାକାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ଭାଇ ରଞ୍ଜିତ କୁମାର ବରାଳ ପୁନର୍ବାର ରିଭ୍ୟୁ ପିଟିଶନ ଦାଖଲ କରିଥିଲେ। ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ଗତ ୧୫ ତାରିଖରେ ବିଧାୟକ ପ୍ରତାପ ଜେନାଙ୍କ ନାମରେ ଉପରୋକ୍ତ ସଙ୍ଗିନ ଦଫାରେ ମାମଲା ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ନୃତାଙ୍ଗ ପଞ୍ଚାୟତର କୁଳମଣି ଓ ସହଯୋଗୀ ଦିବ୍ୟସିଂହ ଘଟଣାଦିନ ବାଇକ୍‌ରେ ଘରକୁ ଆସୁଥିଲାବେଳେ ଜଁଅକୋଠି ନିକଟରେ ସେମାନଙ୍କୁ ବୀଭତ୍ସ ଭାବେ ଆକ୍ରମଣ କରାଯାଇଥିଲା। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଧାୟକ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ମାହାଙ୍ଗା ଥାନାରେ ରମାକାନ୍ତ ଅଭିଯୋଗ କରିଥିଲେ। ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ଘଟଣାର କିଛିଦିନ ପରେ ସନ୍ଦେହଜନକ ଭାବେ ଗାଡ଼ି ଚାପାରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଅଭିଯୁକ୍ତ ବିଜୟ କୁମାର ବରାଳ ଏବେ ବି ଫେରାର ଥିବା କୁହାଯାଉଛି। ଏହି ରାଜନୈତିକ ଡବଲ ମର୍ଡର ନେଇ ସେତେବେଳେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ଭାଜପା ଓ କଂଗ୍ରେସ ପକ୍ଷରୁ ତତ୍କାଳୀନ ମନ୍ତ୍ରୀ ଜେନାଙ୍କ ଗିରଫ ଦାବିରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ପରେ କୋର୍ଟଙ୍କ ଆଦେଶ ବଳରେ ସାଲେପୁର ଏସ୍‌ଡିପିଓ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରବୀଣ କୁମାର କାନୁନ୍‌ଗୋ କହିଛନ୍ତି ଯେ, ଏହି ରାୟ ଆସିବାପରେ ନ୍ୟାୟିକ ସଂସ୍ଥା ଉପରେ ଲୋକଙ୍କ ବିଶ୍ୱାସ ଓ ଭରସା ବଢ଼ିଛି। ବିଳମ୍ବରେ ହେଲେ ବି ତତ୍କାଳୀନ ଆଇନମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜେନାଙ୍କ ବିରୋଧରେ କୋର୍ଟ ମାମଲା ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟର ଜୟ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଧାୟକ ଜେନା କହିଛନ୍ତି ଯେ, ଡବଲ ମର୍ଡର ଘଟଣାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ତାଙ୍କ ବିରୋଧରେ ଭାଜପାର କେତେଜଣ ନେତା ଚକ୍ରାନ୍ତ ଚଳାଇଛନ୍ତି। ବିଶେଷକରି ଗତ ବିଧାନସଭା ନିର୍ବାଚନରେ ତାଙ୍କଠାରୁ ହାରିଥିବା ଭାଜପା ନେତା ଶାରଦା ପ୍ରଧାନ ଏହି ରାଜନୈତିକ ଷଡ଼ଯନ୍ତ୍ର କରିଛନ୍ତି। ଘଟଣାର ଅଭିଯୁକ୍ତମାନେ ଗଣମାଧ୍ୟମ ଆଗରେ ନିଜ ଦୋଷ ସ୍ବୀକାର କରି କେଉଁଥି ପାଇଁ ହତ୍ୟା କରିଥିଲେ ତାହା କହିଥିଲେ। ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିମାନଙ୍କର ନାର୍କୋ ଟେଷ୍ଟ କରାଯାଉ। ଏହାସହ ତାଙ୍କର ମଧ୍ୟ ନାର୍କୋ ଟେଷ୍ଟ ପାଇଁ ସେ ପ୍ରସ୍ତୁତ ଥିବା ଗଣମାଧ୍ୟମ ଆଗରେ ବିବୃତି ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କଳିଙ୍ଗା ଏବଂ ପନ୍ଦାଡୋ ପଞ୍ଚାୟତରେ ଗୁରୁବାର ନିର୍ବାଚନୀ ପ୍ରଚାର ହୋଇଛି। ଯୁବ...

ମେଡିକାଲ ଖର୍ଚ୍ଚ ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ 

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଫଳରେ ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାନୁସାରେ, ଗୁରୁବାର ଅପରାହ୍ନରେ କେନ୍ଦୁଝର...

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’

ବାଣପୁର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି। ଯୋଗୀ...

କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଗଣେଶ୍ୱରପୁର ଗ୍ରାମର ନାରାୟଣ ସାହୁଙ୍କ ଘର ବାଡ଼ିରେ ଥିବା କୂଅ ସଫା...

ବିଜେଡିରେ ରହିବେ ଜ୍ୟୋତି ପାଣିଗ୍ରାହୀ, ମିଳିଲା ବାଲେଶ୍ୱର ଜିଲା ସଭାପତି ଦାୟିତ୍ୱ

ଭୁବନେଶ୍ୱର, ୨୩।୫: ବୁଧବାର ବିଜେଡିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି।...

‘ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବ୍‌ଜା କରିଛନ୍ତି’

ସମ୍ବଲପୁର,୨୩ା୫: ଦେଶ ତଥା ରାଜ୍ୟରେ ଚାଲିଛି ସାଧାରଣ ନିର୍ବାଚନ। ମତଦାତାମାନେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି...

ଏହି ତାରିଖରେ ସବୁଦିନ ପାଇଁ ତାମିଲନାଡୁ ପଳାଇବେ ପାଣ୍ଡିଆନ୍‌: ବିଜେଡି ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା

ସମ୍ବଲପୁର,୨୩।୫: ଓଡ଼ିଶାର ସମ୍ବଲପୁରରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସମ୍ବଲପୁରରେ ମା’ ସମଲେଇ ଦର୍ଶନ ପରେ ବିଜେଡି ସରକାର ଉପରେ...

କନ୍ଧମାଳର ୨ଟି ବୁ୍‌ଥ୍‌ରେ ଚାଲିଛି ସାନି ମତଦାନ

କଣ୍ଟାମାଳ,୨୩।୫:ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକ ସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନମ୍ବର ୨୬ ଏବଂ ୨୮ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri