Odisha Elections 2024

ଏକ ଅଧୁରା ବିଲ୍‌

କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ଡକାଯାଇଥିବା ସଂସଦର ବିଶେଷ ଅଧିବେଶନରେ ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌(‘ନାରୀଶକ୍ତି ବନ୍ଦନା ଅଧିନିୟମ – ୨୦୨୩’ ନାମରେ ନାମିତ) କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ସିଂ ମେଘୱାଲ ସଂସଦରେ ଉପସ୍ଥାପନ କରିବା ପରେ ତାହା ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇବା ପରେ ଏହା ଆଇନରେ ପରିଣତ ହେବ। ତେବେ ମହିଳା ସଂରକ୍ଷଣ ବିଲ୍‌କୁ ଆଣିବା ପରି ଯେଉଁ ପବିତ୍ର କାର୍ଯ୍ୟଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି, ତାହା କୌଣସି ନୂଆ ନୁହେଁ। ତାଙ୍କ ପୂର୍ବରୁ ଅନ୍ୟ ପ୍ରଧାନମନ୍ତ୍ରୀମାନେ ମଧ୍ୟ ଏ ଦିଗରେ ଅନେକ ପ୍ରୟାସ କରିଛନ୍ତି। ୧୯୯୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କ ମିଳିତ ସାମ୍ମୁଖ୍ୟ ସରକାର ହିଁ ସର୍ବପ୍ରଥମେ ମହିଳା ସଂରକ୍ଷଣ ବିଲ୍‌କୁ ଉପସ୍ଥାପନ କରିଥିଲେ। ତେବେ ବିଲ୍‌ରେ ଓବିସି ମହିଳାଙ୍କ ପାଇଁ କୋଟାର ପ୍ରସଙ୍ଗକୁ ନେଇ ସରକାରଙ୍କ ମେଣ୍ଟଭୁକ୍ତ ଦଳମାନଙ୍କ ମଧ୍ୟରେ ସହମତି ହୋଇ ନ ପାରିବାରୁ ଏହା ପାସ୍‌ ହୋଇପାରି ନ ଥିଲା। ପରେ ୧୯୯୮ ଓ ୨୦୦୪ରେ ବାଜପେୟୀଙ୍କ ସରକାର ସମୟରେ ଏହି ବିଲ୍‌ ଆଗତ ହୋଇଥିଲେ ମଧ୍ୟ ଉତ୍ତର ଭାରତର ଓବିସି ନେତାମାନଙ୍କ ଦୃଢ଼ ବିରୋଧ ଯୋଗୁ ଗୃହୀତ ହୋଇପାରି ନ ଥିଲା। ପରେ ମନମୋହନ ସିଂଙ୍କ ନେତୃତ୍ୱାଧୀନ ଉପା ସରକାର ସମୟରେ ୨୦୧୦ରେ ମହିଳା ସଂରକ୍ଷଣ ବିଲ୍‌ ରାଜ୍ୟ ସଭାରେ ପାସ୍‌ ହୋଇଥିଲେ ମଧ୍ୟ ଓବିସି କୋଟା ପ୍ରସଙ୍ଗକୁ ନେଇ ଅନୁରୂପ ବିରୋଧ ଲାଗି ତାହା ଲୋକ ସଭାରେ ଗୃହୀତ ହୋଇପାରି ନ ଥିଲା। ଅତଏବ ମହିଳା ସଂରକ୍ଷଣ ବିଲ୍‌ ପାଇଁ କେବଳ ବର୍ତ୍ତମାନର ସରକାର ହିଁ ଶ୍ରେୟ ନେବା ଠିକ୍‌ ନୁହେଁ। ବରଂ ଆଜି ଏହା ଆଇନର ରୂପ ନେବା ଦୀର୍ଘ ୨୭ ବର୍ଷର ଉଦ୍ୟମର ପରିଣାମ ବୋଲି କୁହାଯାଇପାରେ।
ଯଦିଓ କେନ୍ଦ୍ର ସରକାର ବର୍ତ୍ତମାନର ବିଲ୍‌ଟିକୁ ଐତିହାସିକ ବୋଲି କହିଛନ୍ତି, କିନ୍ତୁ ତାହା ଉପା ସରକାରଙ୍କ ଦ୍ୱାରା ଅଣାଯାଇଥିବା ‘ମହିଳା ସଂରକ୍ଷଣ ବିଲ୍‌-୨୦୦୮ର ଏକ ସଂଶୋଧିତ ରୂପ ମାତ୍ର। ତୁଳନାତ୍ମକ ଭାବେ ଦେଖିଲେ ବର୍ତ୍ତମାନର ବିଲ୍‌ ତୁଳନାରେ ପୂର୍ବର ବିଲ୍‌ଟି ହିଁ ଅଧିକ ପ୍ରଗତିଶୀଳ ଥିଲା। ପୂର୍ବ ବିଲ୍‌ରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୌଣସି ସର୍ତ୍ତ ରଖାଯାଇ ନ ଥିବା ବେଳେ ବର୍ତ୍ତମାନର ବିଲ୍‌ରେ ତାକୁ ଅନେକଗୁଡ଼ିଏ ଅନାବଶ୍ୟକ ସର୍ତ୍ତ ମଧ୍ୟରେ ବାନ୍ଧି ଦିଆଯାଇଛି। ମହିଳା ସଂରକ୍ଷଣର କାର୍ଯ୍ୟକାରିତାକୁ ଜନଗଣନା ଓ ନିର୍ବାଚନମଣ୍ଡଳୀ ପରିସୀମା ସଂଶୋଧନ ପ୍ରକ୍ରିୟା ସହ ଯୋଡ଼ି ଦିଆଯାଇଛି। ବିଲ୍‌ରେ ଲେଖାଯାଇଛି ଯେ ଏହା ଆଇନରେ ପରିଣତ ହେବା ପରେ ଯେଉଁ ପ୍ରଥମ ଜନଗଣନା ହେବ ତା’ର ତଥ୍ୟ ପ୍ରକାଶ ପାଇବା ପରେ ଏବଂ ତା’ର ଆଧାରରେ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍‌ ପରେ ଯାଇ ହିଁ ଏହା କାର୍ଯ୍ୟକାରୀ ହେବ। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସହ ଜନଗଣନା କିମ୍ବା ଡିଲିମିଟେସନ୍‌ ପ୍ରକ୍ରିୟାର କ’ଣ ସମ୍ପର୍କ ବୁଝିହେଉ ନାହିଁ। କାରଣ ୨୦୨୧ରେ ସମ୍ପୂର୍ଣ୍ଣ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ ଏଯାଏ ଆରମ୍ଭ ହୋଇନାହିଁ। କେନ୍ଦ୍ର ସରକାର ବିଭିନ୍ନ ଆଳରେ ଏହି ଜନଗଣନାର କାର୍ଯ୍ୟକ୍ରମକୁ ଏଯାଏ ଛଅଥର ସ୍ଥଗିତ ରଖିଲେଣି। ଯେହେତୁ ଜନଗଣନା ସହିତ ସରକାର ବିବାଦୀୟ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) କରି ଦେଶର ଅନେକ ଲୋକଙ୍କୁ ନାଗରିକତାରୁ ବଞ୍ଚିତ କରିବାକୁ ଚାହୁଁଛନ୍ତି, ତେଣୁ ତାକୁ ସେତେବେଳେ ବିରୋଧ ହୋଇଥିଲା। ଏହା ସହିତ ଜାତିଗତ ଜନଗଣନା କରିବାର ଯେଉଁ ଚାପ ରହିଛି, ତାକୁ ଏଡ଼େଇବା ପାଇଁ ବି ଜନଗଣନା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଚାଲିଛନ୍ତି ବୋଲି କୁହାଯାଉଛି। ଅତଏବ ଏହି ପ୍ରକ୍ରିୟାଟି କେବେ ଆରମ୍ଭ ହେବ ଓ କେବେ ସମାପ୍ତି ହେବ ତା’ର କୌଣସି ନିଶ୍ଚିତତା ନାହିଁ।
ସରକାରଙ୍କ ଯଦି ଆନ୍ତରିକତା ଥାଆନ୍ତା, ତା’ହେଲେ ମହିଳାଙ୍କ ପାଇଁ ସଂରକ୍ଷଣକୁ ବିନା କୌଣସି ସର୍ତ୍ତରେ ତୁରନ୍ତ ଲାଗୁ କରି ପାରିଥା’ନ୍ତେ। ଆଗାମୀ କିଛି ମାସ ମଧ୍ୟରେ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକ ସଭା ନିର୍ବାଚନରେ ଏହାକୁ ଆରମ୍ଭ କରାଯାଇ ପାରନ୍ତା। କିନ୍ତୁ ବିଲ୍‌ରେ ଥିବା ସର୍ତ୍ତ ଅନୁଯାୟୀ କମ୍‌ ସେ କମ୍‌ ଆସନ୍ତା ୨୦୨୯ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଠାରେ ପ୍ରଶ୍ନ ଉଠେ, ଯଦି ମହିଳାଙ୍କ ପାଇଁ ସଂରକ୍ଷଣକୁ ଏଭଳି ଆହୁରି ସାତ ଆଠ ବର୍ଷ ପରେ ଲାଗୁ କରିବାର ଥିଲା, ତା’ହେଲେ ଗତ ସାଢ଼େ ନଅ ବର୍ଷ ଧରି ସରକାର ଏନେଇ ନୀରବତା ଅବଲମ୍ବନ କରିଥିଲେ କାହିଁକି? ବର୍ତ୍ତମାନ ତରବରିଆ ଭାବେ ସଂସଦର ବିଶେଷ ଅଧିବେଶନ ଡାକି ଏହି ବିଲ୍‌ଟିକୁ ଆଣିଲେ କାହିଁକି ? ରାଜନୈତିକ ଫାଇଦା ପାଇଁ ତରବରିଆ ଭାବେ ଅଣାଯାଇଥିବା ବର୍ତ୍ତମାନର ମହିଳା ସଂରକ୍ଷଣ ବିଲ୍‌ଟିରେ ଅନେକ ଦୁର୍ବଳତା ରହିଛି। ଏଥିରେ ମାତ୍ର ୧୫ ବର୍ଷ ପାଇଁ ହିଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। କ’ଣ ୧୫ ବର୍ଷ ପରେ ଦେଶରେ ନାରୀ ପୁରୁଷ ସମାନତା ଆସିଯିବ ନା ସଂସଦ ଓ ବିଧାନସଭାରେ ମହିଳା ସଦସ୍ୟାଙ୍କ ହାର ସ୍ବତଃ ୩୩% ହୋଇଯିବ ? ପୁଣି ୨୦୧୦ର ବିଲ୍‌ରେ ଚକ୍ରାକାରରେ ଦେଶର ସବୁ ନିର୍ବାଚନମଣ୍ଡଳୀ ମହିଳାଙ୍କ ପାଇଁ ସଂରକ୍ଷିତ ହେବ ବୋଲି କୁହାଯାଇଥିବା ବେଳେ ବର୍ତ୍ତମାନର ବିଲ୍‌ରେ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ପୁରୁଣା ବିଲ୍‌ରେ ପ୍ରତି ରାଜ୍ୟର ମୋଟ ଲୋକ ସଭା ନିର୍ବାଚନମଣ୍ଡଳୀର ଏକ ତୃତୀୟାଂଶ ସଂରକ୍ଷିତ ହେବ ବୋଲି କୁହାଯାଇଥିବା ବେଳେ ଚଳିତ ବିଲ୍‌ରେ କେବଳ ଜାତୀୟ ସ୍ତରରେ ଏକ ତୃତୀୟାଂଶ ଆସନର ସଂରକ୍ଷଣର କଥା କୁହାଯାଇଛି। ସେପରି ହେଲେ ସଂରକ୍ଷଣ ଏକପାଖିଆ ହେବାର ସମ୍ଭାବନା ରହିଛି। ସବୁ ରାଜ୍ୟର ୩୩% ଆସନ ସଂରକ୍ଷିତ ନ ହୋଇ ହୁଏତ କେଉଁ ରାଜ୍ୟରେ ୩୩%ରୁ ବେଶି ତ କେଉଁ ରାଜ୍ୟରେ ବହୁତ କମ୍‌ ହେବାର ସମ୍ଭାବନା ରହିଛି। ଉଦ୍‌ବେଗଜନକ କଥା ହେଲା, ବିଲ୍‌ରେ ଦେଶର ରାଜ୍ୟ ସଭା ଓ ବିଧାନ ପରିଷଦଗୁଡ଼ିକୁ ମହିଳା ସଂରକ୍ଷଣ ବ୍ୟବସ୍ଥାରୁ ବାଦ୍‌ ଦିଆଯାଇଛି। ଏହାର ଅର୍ଥ ହେଲା, ମହିଳାଙ୍କୁ ସଂରକ୍ଷଣ ଦେବାରେ ସରକାର ଏକ ଅଧା ଅଧୁରା ଉଦ୍ୟମ କରିଛନ୍ତି।
ବର୍ତ୍ତମାନ ଲୋକ ସଭାରେ ୭୮ ଜଣ (୧୪%) ଓ ରାଜ୍ୟ ସଭାରେ ୩୨ ଜଣ (୧୧%) ମହିଳା ସାଂସଦ ରହିଥିବା ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମାତ୍ର ୭% ମହିଳା ମନ୍ତ୍ରୀ ରହିଛନ୍ତି। ଦେଶର ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦%ରୁ ବି କମ୍‌ ରହିଛି। ଅନ୍ୟପଟେ ଫ୍ରାନ୍ସ, ସ୍ପେନ୍‌, ମେକ୍ସିକୋ, ନିକାରାଗୁଆ, ନ୍ୟୁଜିଲାଣ୍ଡ, ୟୁଏଇ, କ୍ୟୁବା, ର୍ବାଣ୍ଡା ଏପରି କି ଆମର ପଡ଼ୋଶୀ ନେପାଳ ପରି ବିଶ୍ୱର ଅନେକଗୁଡ଼ିଏ ଦେଶରେ ୫୦%ରୁ ଅଧିକ ମହିଳା ସାଂସଦ ଅଛନ୍ତି। ଏଭଳି ପରିସ୍ଥିତିରେ ମହିଳାଙ୍କ ପାଇଁ ୫୦% ବଦଳରେ ୩୩% ସ୍ଥାନ ସଂରକ୍ଷଣ କରିବାର ସରକାରୀ ଯୁକ୍ତିଟି ବୁଝିହେଉ ନାହିଁ।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ
    ମୋ:୯୪୩୭୧୬୬୩୯୧

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି...

ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ...

ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ...

Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri