ମଣିଷ ପ୍ରକୃତିକୁ ଫେରୁଛି

ବିଭାବତୀ ଦାଶ

 

ଜହ୍ନ ଯେତେଦିନ ଯାଏ ମାମୁ ହୋଇ ରହିଥିଲା, ସେତେଦିନ ଯାଏ ଜୀବନ କେତେ ସରଳ, ସ୍ବଚ୍ଛନ୍ଦ, ନିର୍ବିକାର ଥିଲା। ତାରାମାନେ ଥିଲେ ସାଙ୍ଗ। ତାରାକୁ ତାରା ଯୋଡ଼ି ଦା’ବେଣ୍ଟ ପରି ସପ୍ତର୍ଷି ମଣ୍ଡଳକୁ ସଞ୍ଜ ଆକାଶରେ ଖୋଜି ପାଇଗଲେ, ନିଜକୁ ବୈଜ୍ଞାନିକ ଭଳି ମନେହେଉଥିଲା। ପୋଖରୀ କୂଳରେ ବସି ଗୋଟି ଗୋଟି ଟେକା ପଥର ଫିଙ୍ଗି ତରଙ୍ଗ ଗଣିବାରେ ମଜା ଆସୁଥିଲା। ଖରାଛୁଟି ଦ୍ୱିପହର ବେଳେ ବୋଉ କୋଳରୁ ଚୁପ୍‌କି ଉଠିଯାଇ ଗାଁ ପିଲାଙ୍କ ସହ ଦାଣ୍ଡରେ ଲୁଚକାଳି, ବୋହୂଚୋରି, ବାଲିଘର, କବାଡି, କିତିକିତି ଖେଳିବାରେ ହେଉ କି କଞ୍ଚା ଆମ୍ବ, ତେନ୍ତୁଳି, ଆମ୍ବୁଲ ଚକଟି ଖଟାପାଣି କରି ମୁନ୍ଦେ ମୁନ୍ଦେ ବାଣ୍ଟି ପିଇବାରେ ହେଉ, ସବୁଥିତ୍ରେ ଥିଲା ଖୁସି। ମାଟି, ପାଣି, ଗଛ, ଜୀବଜନ୍ତୁଙ୍କ ସହ ସହବସ୍ଥାନ ଶିଖାଇଥିଲା ପିଲାଦିନ। ସକାଳୁ ଗାଈର ହମ୍ବାରଡିରେ ନିଦ ଭାଙ୍ଗୁଥିଲା। ରାତିରେ ବୋଉ କୋଳରେ ମୁହଁ ଗୁଞ୍ଜି ଦେଲେ ନିଦ ଲହଡ଼ି ଭାଙ୍ଗି ମାଡିଆସୁଥିଲା। ବୋଉ ଶୁଆଇଦେଲା ବେଳେ ବଉଳା ଗାଈ ଗୀତଟିକୁ ବୋଲୁଥିଲା ସବୁଦିନ। ବଉଳା ଗାଈ ତା’ ବାଛୁରୀକୁ କ୍ଷୀର ପିଆଇଦେଲା ପରେ ବାଘ ପାଖକୁ ଫେରିଯିବା ପାଇଁ ବାଛୁରୀକୁ ଗେଲ କରିବା ଧାଡ଼ିଟି ଗାଇବା ବେଳକୁ ବୋଉର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା। ସ୍ବର କରୁଣ ହେଇଯାଉଥିଲା ତା’ ଆଖିରେ ଲୁହ ବି ଆସିଯାଉଥିଲା। ଯେମିତି ବୋଉ ବଉଳା ଗାଈ ପାଲଟି ଯାଉଥିଲା ଆଉ ମୁଁ ତା’ ବାଛୁରୀ। ମୋ ଆଖିରେ ବି ଲୁହ ଆସୁଥିଲା। ଥଣ୍ଡା କାଶ ଜର ହେଲେ ବୋଉ ରାତି ରାତି ନ ଶୋଇ ଜଗି ବସୁଥିଲା। ମୁଣ୍ଡରେ ଠାକୁରଙ୍କ ନାମ ନେଇ ପାଣିପଟି ପକାଉଥିଲା। ସବୁ କଷ୍ଟ ତାକୁ ଦେଇ ମୋ’ ଦେହ ଭଲ କରିଦେବା ପାଇଁ ଠାକୁରଙ୍କୁ ନେହୁରା ହେଉଥିଲା। ଜନ୍ମ ଦିନରେ ଭଳିକି ଭଳି ପିଠା ଖିରି କରି ସାହି ଛୁଆଙ୍କୁ ଖୁଆଉଥିଲା। ନିର୍ଦ୍ଦିଷ୍ଟ ପର୍ବପର୍ବାଣିରେ ନୂଆ ଡ୍ରେସ୍‌ ଆସୁଥିଲା। ନୂଆ ଡ୍ରେସ୍‌ ପିନ୍ଧିବା ଖୁସିରେ ପୂର୍ବଦିନ ଆଖିରେ ନିଦ ଆସୁ ନ ଥିଲା। ଆମ ପିଲାଦିନରେ ଆମ ଖୁସିର ଉତ୍ସ ଥିଲା ପ୍ରକୃତି ଓ ପରିବାର।
ଏବେ ମୁଁ ଯଥେଷ୍ଟ ବଡ଼ ହୋଇସାରିଛି। ବଡ଼ ବଡ଼ କଲେଜ ଓ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରି ସରକାରୀ ଚାକିରି କରୁଛି। ଭଲ ଦରମା ବି ପାଉଛି। ସହରରେ ବିରାଟ ବଙ୍ଗଳା କିଣିଛି। ଏସି, ମୋବାଇଲ୍‌, ଲାପ୍‌ଟପ୍‌, ଟିଭି ବିନା କ୍ଷଣଟିିଏ ବି ଅତିଷ୍ଠ ଲାଗୁଛି। ଅଫିସ୍‌ରେ ଦିନସାରା ଖଟି ଖଟି ଫେରିଲା ପରେ ମୋ ରୁମ୍‌ରୁ ବାହାରିବା ଅସମ୍ଭବ, ମୋ ପାଇଁ କେତେ କେତେ ରୋଗ ମୋ ଦେହକୁ ଅକ୍ତିଆର କରିଛନ୍ତି। ମାସକୁ ମାସ ଡାକ୍ତର, ରକ୍ତ ପରୀକ୍ଷା, ଔଷଧ, ଇଞ୍ଜେକ୍ସନ ଇତ୍ୟାଦିରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏବେ ଜୀବନରେ ରୋମାନ୍ସ କମ୍‌, ଜଞ୍ଜାଳ ବେଶି। ବେଳେବେଳେ ଜୀବନଟା ଜଳ ଭଳି ରଙ୍ଗହୀନ, ସ୍ବାଦହୀନ, ଗନ୍ଧହୀନ ଲାଗୁଛି। ବର୍ତ୍ତମାନର ପିଲାମାନଙ୍କୁ ଖେଳିବା ପାଇଁ କହିଲେ, ସେମାନେ ମୋବାଇଲ ଦରକାର କରନ୍ତି। ପାଟି ସୁଆଦ ପାଇଁ ପ୍ଲାଷ୍ଟିକ୍‌ ଜରି ଓ କଳାଧଳା ଡବାରେ ଖାଦ୍ୟ ହୋଟେଲରୁ ମଗାଇ ଖାଆନ୍ତି। ତାଙ୍କ ଜୀବନ ଓ ଖୁସି ଯନ୍ତ୍ରକେନ୍ଦ୍ରିତ।
କିନ୍ତୁ ବୋଉ ଠିକ୍‌ ସେମିତି ଅଛି, ଯେମିତି ଥିଲା ସେଦିନ। ମୋର ଦି’ ଗୁଣ ବୟସରେ ବି ମୋଠୁ ଅଧିକ ନୀରୋଗ, ନିର୍ଭେଜାଲ ଜୀବନ ବଞ୍ଚୁଛି। ଆଜି ବି ସେ ଡାକ୍ତର ପାଖକୁ ଯିବା ପୂର୍ବରୁ ତା’ ବାଡି ବଗିଚାର ଚେରମୂଳି ଖାଇ ନିଜକୁ ସୁସ୍ଥ କରୁଛି। ପରିଣତ ବୟସରେ ବି ବୋଉ ସୂର୍ଯ୍ୟ ଉଇଁବା ପୂର୍ବରୁ ବିଛଣାରୁ ଉଠି ଘରକାମ ସାରୁଛି। ଆଗଭଳି ଆଜି ବି ସେ ସକାଳୁ ଆମ ଭଳି ପାଟିସୁଆଦିଆ ଜଳଖିଆ ଅପେକ୍ଷା ଶାଗ ପଖାଳ ଖାଇବାକୁ ଭଲ ପାଉଛି। ଆକ୍ୱାଗାର୍ଡ ପାଣି ନୁହେଁ, ବରଂ ଫୁଟା ଛଣା ପାଣି ମାଠିଆରେ ରଖି ପିଉଛି। ସେ ମୋବାଇଲ ବ୍ୟବହାର ବେଶି ଜାଣିନି ଓ ମନ ଆନମନା କରିବାକୁ ବହି ପଢ଼ୁଛି।
ବୋଉ କୁହେ ସେ ଛୁଆଦିନେ ମାଣ୍ଡିଆଯାଉ ଖାଇ ଚାଟଶାଳିକୁ ଯାଉଥିଲା। ଏବେ ଡାକ୍ତର ଓ ଡାଏଟିସିଆନଙ୍କ ଉପଦେଶ ଅନୁସାରେ ମୁଁ ମାଣ୍ଡିଆ, ଖଣ୍ଡିଗହମ (ଦଲିଆ), ଗହମ ଯଅ ଚୁଡା(ଓଟସ୍‌), ମକା ଚୁଡା (କର୍ନଫ୍ଲେକ୍ସ), ଗୁଡ଼ କି ମହୁ ଦେଇ ସିଝାଇ ବା ଭିଜେଇ ଖାଉଛି। ସେଗୁଡା କୁଆଡେ ଦେହ ପାଇଁ ହିତକର। ବୋଉ ବିନା କ୍ଷୀର ବାଲା ନାଲି ଚା’ ପିଏ। ମୁଁ ଏବେ ବ୍ଲାକ-ଟି ନ ହେଲେ ଗ୍ରୀନ୍‌-ଟି ପିଉଛି। କାରଣ ମେଡିକାଲ ସାଇନ୍ସ କହୁଛି, ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର।
ଜେଜେ କହୁଥିଲେ, ତାଙ୍କ ପିଲାବେଳେ ଏତେ ଗାଡିର ସୁବିଧା ନ ଥିଲା। ଦୂର ବାଟ ଯିବାକୁ ହେଲେ ସେତେବେଳେ ଲୋକମାନେ ଚାଲି ଚାଲି ଯାଉଥିଲେ। ମୋ ସମୟରେ କିନ୍ତୁ ଘରେ ଘରେ ଏକାଧିକ ଗାଡି। ସକାଳୁ ସକାଳୁ ସହର ଓ ଗାଁର ଲୋକମାନେ ଝାଳନାଳ ହୋଇ ରାସ୍ତା କଡ଼େ କଡ଼େ ଧାଡ଼ି ବାନ୍ଧି ଚାଲିଛନ୍ତି ମେଦ ଓ ରୋଗ କମ୍‌ କରିବା ପାଇଁ, ମୁଁ ବି ପାର୍କରେ ଦୌଡ଼ୁଛି, ବ୍ୟାୟାମ କରୁଛି। ସମସ୍ତଙ୍କ ପାଖେ ସମୟର ଘୋର ଅଭାବ। କେହି କାହା ସୁଖ ଦୁଃଖରେ ଠିଆ ହେବା ପାଇଁ ତର ନାହିଁ। ମୋବାଇଲରେ ସବୁ ସାନ୍ତ୍ୱନା, ଆଶ୍ୱାସନା ଦୁଇ ସେକେଣ୍ଡରେ ପଠାଇ ହେଉଛି। ମେଶିନ ସଂଖ୍ୟା ଘରେ ବଢ଼ୁଛି, ଲୋକ ସଂଖ୍ୟା କମୁଛି। ବନ୍ଧୁ ହେଉ କି ଘରର ଆସବାବ, ସବୁ ବିଦେଶୀ କରିବାରେ ଅନେକ ଦିନ ଆମେ ଗର୍ବ ଅନୁଭବ କରିବା ପରେ ଏବେ ଦେଶୀୟ ଖାଦ୍ୟ, ବସ୍ତ୍ର ଓ ଆଖପାଖ ମଣିଷଙ୍କ ମହତ୍ତ୍ୱ ହେଜୁଛୁ। ଯାନ୍ତ୍ରିକତାରେ ଜୀବନର ସବୁ ସୁଖ ଶାନ୍ତି ମିଳିପାରେ ନାହିଁ ବୋଲି ହୃଦୟଙ୍ଗମ କଲାବେଳେ, ଏବେ ଆମେ ଦେଶୀ ଆଡକୁ ମୁହଁାଉଛୁ। ଦେଶୀୟ ପଦ୍ଧତିରେ ଚାଷ କରୁଛୁ। ଉଜୁଡ଼ା ପ୍ରକୃତିକୁ ସଜାଡିବା ପାଇଁ ଅଣ୍ଟା ଭିଡୁଛୁ। ସହରଠୁ ଦୂର ଜାଗାରେ ଫାର୍ମହାଉସ୍‌ କରି ସେଠି ପ୍ରକୃତି ସହ ଅଧିକ ସମୟ ବିତାଉଛୁ। ମା, ମାଟି ଓ ପରିବେଶର ମୂଲ୍ୟ ବୁଝି ସେସବୁକୁ ସୁରକ୍ଷିତ ରଖିବାର ପ୍ରଚେଷ୍ଟା ଆରମ୍ଭ ହେଉଛି। ସୂର୍ଯ୍ୟଶକ୍ତି ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ପ୍ରକୃତି ଓ ଧରଣୀର ବିକାଶ ପାଇଁ ଆମେ ଏବେ ଅଧିକ ତତ୍ପର। ମଣିଷ ପ୍ରକୃତିରୁ ଦୂରେଇ ଅପ୍ରାକୃତିକ ସୁଖ ସ୍ବାଚ୍ଛନ୍ଦ୍ୟରେ ବେଶି ଦିନ ତିଷ୍ଠି ପାରିବନି- ଏକଥା ଏବେ ସେ ବୁଝି ସାରିଲାଣି। ତେଣୁ ମଣିଷ ପୁଣି ପ୍ରକୃତି କୋଳକୁ ଫେରୁଛି।
ଶାସ୍ତ୍ରୀନଗର, ଭୁବନେଶ୍ୱର
bibhabatidash@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri