ଘାନା,୧୪ା୪: ଫିଫା ବିଶ୍ୱକପ୍କୁ ମାତ୍ର ଦୁଇ ମାସରୁ କମ୍ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍ବଲ ଦଳର ନୂଆ କୋଚ୍ ଭାବେ ନିଯୁକ୍ତି ଦେଇଛି। କ୍ୱିରୋଜ ତୁରନ୍ତ ଦାୟିତ୍ୱ ଗ୍ରହଣ କରି ତାଙ୍କ କାର୍ଯ୍ୟାରମ୍ଭ କରିଥିବା ଘାନା ଫୁଟ୍ବଲ ଆସୋସିଶଏନ ପକ୍ଷରୁ କୁହାଯାଇଛି।
ଜୁନ ୧୭ରେ ଟରଣ୍ଟୋଠାରେ ପାନାମା ବିପକ୍ଷ ମ୍ୟାଚ ଖେଳି ଘାନା ଗ୍ରୁପ୍ ‘ଏଲ୍’ରେ ଏହାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଦଳ ପରେ ବୋଷ୍ଟନ ବାହାରେ ଇଂଲଣ୍ଡ ଏବଂ ଫିଲାଡେଲ୍ଫଇଆରେ କ୍ରୋଏସିଆ ସହିତ ମୁକାବିଲା କରିବ। ‘ବ୍ଲାକ ଷ୍ଟାର’ ଭାବେ ପରିଚିତ ଘାନା ମେ ୨୨ରେ ମେକ୍ସିକୋ ଏବଂ ଜୁନ୍ ୨ରେ ଓ୍ବେଲ୍ସକୁ ଭେଟିବ। ଘାନାର କୋଚ୍ ପଦବୀ ପାଇଁ ଦେଶ ଓ ବିଦେଶରୁ ୬୦୦ରୁ ଊର୍ଦ୍ଧ୍ୱ ଆବେଦନ କରିଥିଲେ।
ସେମାନଙ୍କ ମଧ୍ୟରୁ କ୍ୱିରୋଜଙ୍କ ବିଶ୍ୱକପ୍ ଅଭିଜ୍ଞତା ରହିଛି। ତାଙ୍କ ତତ୍ତ୍ୱାବଧାନରେ ଦକ୍ଷିଣ ଆଫ୍ରିକା ୨୦୦୨ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିଥିଲା। ତାଙ୍କ ଦେଶ ପର୍ତ୍ତୁଗାଲ୍ ୨୦୧୦ ସଂସ୍କରଣରେ ନକ୍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ପୁନଶ୍ଚ ସେ ୨୦୧୪ ଓ ୨୦୧୮ ଟୁର୍ନାମେଣ୍ଟରେ ଇରାନ ଦଳର କୋଚ୍ ଦାୟିତ୍ୱରେ ଥିଲେ। ନିକଟ ଆତୀତରେ କ୍ୱିରୋଜ ଓମାନର କୋଚ୍ ଦାୟିତ୍ୱରେ ଥିଲେ। ମାତ୍ର ଓମାନ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେବାରୁ ୩ ସପ୍ତାହ ପୂର୍ବେ ସେ ତାଙ୍କ ପଦବୀରୁ ଓହରି ଯାଇଥିଲେ।

