Posted inଖେଳ

ସଫଳତମ ଅଧିନାୟିକା ମେଗ୍‌ ଲାନିଙ୍ଗ୍‌

ମେଗ୍‌ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱ ଚାମ୍ପିୟନ ହୋଇଛି। ଟି୨୦ରେ ୪ ଥର ଏବଂ ଦିନିକିଆରେ ଥରେ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ ଟ୍ରଫି ହାସଲ କରିଛି ଦଳ। ଓଭରଅଲ୍‌ ତାଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ସମୁଦାୟ ୭ଥର ବିଶ୍ୱକପ୍‌ ବିଜୟୀ ହୋଇଛି। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ମହିଳା କ୍ରିକେଟ୍‌ ସାମିଲ ହୋଇଥିବା ବେଳେ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ
ଅଷ୍ଟ୍ରେଲିଆ ସ୍ବର୍ଣ୍ଣ ପଦକ ଜିତିଥିଲା…

ଯେକୌଣସି ଦଳଗତ କ୍ରୀଡ଼ାରେ ଅଧିନାୟକ/ଅଧିନାୟିକାଙ୍କୁ ଦଳର ମେଣୁଦଣ୍ଡ ଭାବରେ ବିବେଚନା କରାଯାଏ। କ୍ରିକେଟର ସଫଳତମ ଅଧିନାୟକ କିଏ ଏ ନେଇ ଯେତେବେଳେ ବି ଆଲୋଚନା ହୁଏ, ପ୍ରଥମେ ପୁରୁଷ ଖେଳାଳିଙ୍କ ନାମ ଆସିଥାଏ। ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟୀ ଅଧିନାୟକ ରିକି ପଣ୍ଟିଂଙ୍କ ସହିତ ମହେନ୍ଦ୍ର ସିଂ ଧୋନୀ, ସୌରଭ ଗାଙ୍ଗୁଲି ଓ ନାସିର ହୁସେନ୍‌ଙ୍କ ପରି ଖେଳାଳିଙ୍କୁ ବିଶ୍ୱର ଶ୍ରେଷ୍ଠ ଅଧିନାୟକ ଭାବରେ ବିବେଚନା କରାଯାଏ। ଗାଙ୍ଗୁଲି ଓ ନାସିର ହୁସେନ୍‌ ଆଇସିସି ଟ୍ରଫି ଜିତି ନ ଥିବା ବେଳେ ପଣ୍ଟିଂ ଅଧିନାୟକ ଭାବରେ ୪ ଓ ଧୋନୀ ୩ ଥର ଏହି ସଫଳତା ପାଇଛନ୍ତି। ପଣ୍ଟିଂ ନିଜ କ୍ୟାରିୟରରେ ୨ଟି ବିଶ୍ୱକପ୍‌ ଓ ଦୁଇଟି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିବା ବେଳେ ଧୋନୀ ଏକମାତ୍ର ଅଧିନାୟକ ଭାବରେ ସମସ୍ତ ଆଇସିସି ଟ୍ରଫି (ଟି୨୦ ବିଶ୍ୱକପ୍‌, ଦିନିକିଆ ବିଶ୍ୱକପ୍‌ ଓ ଚାମ୍ପିୟନ୍ସ ଟ୍ରଫି) ଜିତିବାର ଗୌରବ ହାସଲ କରିଛନ୍ତି। ତେବେ ଏହି ଦୁଇ ଖେଳାଳିଙ୍କୁ ପଛରେ ପକାଇଥିବା ଏମିତି ଜଣେ ଖେଳାଳି ଅଛନ୍ତି, ଯାହାଙ୍କୁ ସମପରିମାଣର ଆଦୃତି ମିଳିନାହିଁ। ଏହି ଖେଳାଳି ଜଣଙ୍କ ହେଉଛନ୍ତି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ୍‌ ଲାନିଙ୍ଗ। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱ ଚାମ୍ପିୟନ ହୋଇଛି। ଟି୨୦ରେ ୪ ଥର ଏବଂ ଦିନିକିଆରେ ଥରେ ଲାନିଙ୍ଗଙ୍କ ନେତୃତ୍ୱରେ ଟ୍ରଫି ହାସଲ କରିଛି ଦଳ। ତେବେ ଲାନିଙ୍ଗଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ସମୁଦାୟ ୭ଥର ବିଶ୍ୱକପ୍‌ ବିଜୟୀ ହୋଇଛି। ଏହା ସହିତ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ମହିଳା କ୍ରିକେଟ୍‌ ସାମିଲ ହୋଇଥିବା ବେଳେ ତାଙ୍କ ନେତୃତ୍ୱରେ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା।
ସିଙ୍ଗାପୁରରେ ଜନ୍ମିତ ଲାନିଙ୍ଗ ଆରମ୍ଭରୁ ବିଭିନ୍ନ କ୍ରୀଡ଼ା ପ୍ରତି ଆଗ୍ରହୀ ଥିଲେ। ଆରମ୍ଭରୁ ହକି ଓ ଫୁଟବଲ୍‌ ପ୍ରତି ରୁଚି ରଖୁଥିବା ଲାନିଙ୍ଗ ଭିକ୍ଟୋରିଆ ପକ୍ଷରୁ ଖେଳିଥିଲେ। ତେବେ ଧୀରେ ଧୀରେ କ୍ରିକେଟ୍‌ ଆଡ଼କୁ ଢଳିବା ସହିତ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ପ୍ରଭାବଶାଳୀ ଅଧିନାୟିକା ପାଲଟି ଯାଇଥିଲେ। କ୍ରିକେଟ୍‌ ନୁହେଁ, ବରଂ କ୍ରୀଡ଼ା ଇତିହାସର ସବୁଠୁ ସଫଳତମ ଅଧିନାୟିକା ଭାବରେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ପରିଚୟ। ୫ ଜାନୁୟାରୀ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିବା ପରଠୁ ସେ ପଛକୁ ଚାହିଁ ନାହାନ୍ତି। ନିୟମିତ ଭାବରେ ଭଲ ପ୍ରଦର୍ଶନ କରିବା ସହିତ ୨୦୧୪ରେ ଅଷ୍ଟ୍ରେଲିଆ ଦଳର ଅଧିନାୟିକା ହୁଅନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ଆଦର୍ଶ ମାନୁଥିବା ଲାନିଙ୍ଗଙ୍କ ସ୍ବଭାବ ମଧ୍ୟ ଠିକ୍‌ ତାଙ୍କରି ଭଳି। ପରିସ୍ଥିତି ଯେଉଁ ଭଳି ବି ଥାଉ ନା କାହିଁକି କୌଣସି ବି ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତି ନାହିଁ ଲାନିଙ୍ଗ। ଲାନିଙ୍ଗ ଦିନିକିଆରେ ୧୫ ଶତକ ହାସଲ କରିଥିବା ବେଳେ ମହିଳା ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ। ଅନ୍ୟ କୌଣସି ମହିଳା ଖେଳାଳି ୧୦ ଶତକ ମଧ୍ୟ ହାସଲ କରିବାରେ ସମର୍ଥ ହୋଇ ନାହାନ୍ତି। ଲାନିଙ୍ଗ ୨୦୧୩ ଓ ୨୦୨୨ ଦିନିକିଆ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟ ରହିଥିବା ବେଳେ ୨୦୧୨, ୨୦୧୪, ୨୦୧୮, ୨୦୨୦ ଓ ୨୦୨୩ରେ ଟି୨୦ ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ ରହିଛନ୍ତି। ଲାନିଙ୍ଗଙ୍କ ବିଶ୍ୱକପ୍‌ ବିଜୟ ଉପରେ ଏକ ନଜର….
ଦିନିକିଆ ବିଶ୍ୱକପ୍‌: (୨୦୧୩ ଓ ୨୦୨୨)
୨୦୧୩ (ଭାରତ): ୨୦୧୩ରେ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ ଲାନିଙ୍ଗ। ମୁମ୍ବାଇ ଓ କଟକରେ ଖେଳାଯାଇଥିବା ଏହି ସଂସ୍କରଣର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜକୁ ୧୧୪ ରନ୍‌ରେ ହରାଇ ଚାମ୍ପିୟନ ହୋଇଥିଲା ଅଷ୍ଟ୍ରେଲିଆ। ଫାଇନାଲ ମ୍ୟାଚରେ ଲାନିଙ୍ଗ ସ୍କୋର କରିଥିଲେ ୩୧ ରନ୍‌।
୨୦୨୨ (ନ୍ୟୁଜିଲାଣ୍ଡ): ୨୦୨୨ରେ ନ୍ୟୁଜିଲାଣ୍ଡରେ ଆୟୋଜିତ ଦିନିକିଆ ମହିଳା ବିଶ୍ୱକପ୍‌କୁ ଲାନିଙ୍ଗଙ୍କ ନେତୃତ୍ୱରେ ଜିତିଥିଲା ଅଷ୍ଟ୍ରେଲିଆ। ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ଏଲିସା ହିଲି ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ହୋଇଥିବା ବେଳେ ଲାନିଙ୍ଗ ୯ ମ୍ୟାଚରୁ ସ୍କୋର କରିଥିଲେ ୩୯୪ ରନ୍‌। ଏହା ମଧ୍ୟରେ ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଥିଲା।
ଟି୨୦ ବିଶ୍ୱକପ୍‌: (୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩)
୨୦୧୨ (ଶ୍ରୀଲଙ୍କା): ଶ୍ରୀଲଙ୍କାରେ ଖେଳାଯାଇଥିବା ବିଶ୍ୱକପ୍‌କୁ ଜିତିବାରେ ସଫଳ ହୋଇଥିଲା ଅଷ୍ଟ୍ରେଲିଆ। ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪ ଉଇକେଟରେ ୧୪୨ ରନ କରିଥିବା ବେଳେ ଇଂଲଣ୍ଡ ୪ ରନ୍‌ ଦୂରରେ ରହିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମେଗ୍‌ ଲାନିଙ୍ଗ ଉକ୍ତ ସଂସ୍କରଣରେ ୧୩୮ ରନ୍‌ କରିବା ସହିତ ହାଇଏଷ୍ଟ ରନ୍‌ ସ୍କୋରରଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ।
୨୦୧୪ (ବାଂଲାଦେଶ): ଅଧିନାୟିକା ଭାବରେ ଲାନିଙ୍ଗ ବାଂଲାଦେଶରେ ନିଜର ପ୍ରଥମ ବିଶ୍ୱକପ୍‌ ଖେଳିଥିଲେ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଅଷ୍ଟ୍ରେଲିଆ। ଫାଇନାଲ ମ୍ୟାଚରେ ଲାନିଙ୍ଗ ୪୪ ରନ୍‌ ସ୍କୋର କରିଥିଲେ। ଉକ୍ତ ସଂସ୍କରଣର ସର୍ବାଧିକ ରନ୍‌ ହାସଲକାରୀ ରହିଥିବା ମେଗ୍‌ ଲାନିଂ ସ୍କୋର କରିଥିଲେ ୨୫୭ ରନ୍‌। ଏହା ମଧ୍ୟରେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ ଥିଲା।
୨୦୧୮ (ଓ୍ବେଷ୍ଟଇଣ୍ଡିଜ୍‌): କ୍ରମାଗତ ତୃତୀୟ ସଂସ୍କରଣରେ ଇଂଲଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଦଳ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା। ଲାନିଙ୍ଗଙ୍କ ନେତୃତ୍ୱରେ ଏହା ଦଳର ଦ୍ୱିତୀୟ ଟାଇଟଲ୍‌ ଥିଲା। ଆଲିସା ହିଲି ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ।
୨୦୨୦ (ଅଷ୍ଟ୍ରେଲିଆ): ୨୦୨୦ ସଂସ୍କରଣର ଟୁର୍ନାମେଣ୍ଟ ପାଇଁ ଘରୋଇ ଦଳ ଅଷ୍ଟ୍ରେଲିଆ ଫେବରିଟ୍‌ ଥିଲା। ମେଗ୍‌ ଲାନିଙ୍ଗଙ୍କ ଦଳ ଫାଇନାରେ ଭାରତକୁ ୮୫ ରନରେ ପରାସ୍ତ କରିଥିଲା। ଲାନିଙ୍ଗଙ୍କୁ ଟିମ୍‌ ଅଫ୍‌ ଦ ଟୁର୍ନାମେଣ୍ଟର ଅଧିନାୟିକା ମନୋନୀତ କରାଯାଇଥିଲା।
୨୦୨୩ (ଦକ୍ଷିଣ ଆଫ୍ରିକା): ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲା ଅଷ୍ଟ୍ରେଲିଆ। ଅଧିନାୟିକା ଭାବରେ ଏହା ଲାନିଙ୍ଗଙ୍କର କ୍ରମାଗତ ୪ର୍ଥ ବିଶ୍ୱକପ୍‌ ଟାଇଟଲ ଥିଲା। ଟିମ୍‌ ଅଫ୍‌ ଦ ଟୁର୍ନାମେଣ୍ଟରେ ସ୍ଥାନ ପାଇଥିବା ଲାନିଙ୍ଗ ୬ ମ୍ୟାଚରୁ ସେ ୪୯ ଆଭରେଜ ଓ ୧୧୩ ଷ୍ଟ୍ରାଇକରେଟ୍‌ରେ ୧୪୯ ରନ୍‌ ସ୍କୋର କରିଥିଲେ।
-ସରୋଜ କୁମାର ଜେନା


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri