ଫସଲ ବଢ଼ିଆ, ଚାଷୀ କାନ୍ଦୁଛି

ବରଗଡ ଅଫିସ/ରସୁଲପୁର (ଡି.ଏନ୍‌.ଏ.),୨୦ା୧୨:ରାଜ୍ୟରେ ସମ୍ପ୍ରତି କ୍ଷେତଗୁଡ଼ିକରେ ଧାନ, ପରିବା ଭରିଯାଇଛି। ହେଲେ ଶୀତଳଭଣ୍ଡାର ନ ଥିବାରୁ ସେଗୁଡ଼ିକୁ ସାଇତି ରଖି ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ସମ୍ଭବ ହୋଇପାରୁନାହିଁ। ଏଥିଯୋଗୁ ଚାଷୀଙ୍କ କଷ୍ଟୋପାର୍ଜିତ ଫସଲର ମୂଲ୍ୟ ଅତି ନଗଣ୍ୟ ହୋଇଯାଇଛି। ତାହାକୁ ଅମଳ କରି ବଜାରକୁ ଆଣିବା ଖର୍ଚ୍ଚ ମଧ୍ୟ ବାହାରୁନାହିଁ। ଏଭଳି ଦୁର୍ଦ୍ଦିନରେ ଘାଣ୍ଟି ହେଉଥିବା ଚାଷୀ ନିଜ ଫସଲକୁ ନଷ୍ଟ କରିବାକୁ ଶ୍ରେୟସ୍କର ମନେ କରୁଛନ୍ତି। ଉଦାହରଣ ଭାବେ ବରଗଡ଼ ଜିଲାକୁ ନିଆଯାଇପାରେ, ଯେଉଁଠି ଧାନ ସାଙ୍ଗକୁ ପନିପରିବାର ଅଭାବୀ ବିକ୍ରି ଲାଗି ରହିଛି। ଏହା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଭଳି ସ୍ଥିତିରେ ଚାଷୀ ବହୁ ଟଙ୍କା ଖର୍ଚ୍ଚ କରି ଲାଭ ଆଶାରେ କରିଥିବା ପରିବା ଫସଲକୁ କ୍ଷେତରେ ନଷ୍ଟ କରିଦେଉଛନ୍ତି। ଏହି କ୍ରମରେ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ପଞ୍ଚାୟତ ଗଞ୍ଝିଆଟିକ୍ରା ଅଞ୍ଚଳର କେତେଜଣ ଚାଷୀ ନିଜ କ୍ଷେତରେ ବନ୍ଧାକୋବି ଫସଲରେ ଟ୍ରାକ୍ଟର ମଡ଼ାଇ ନଷ୍ଟ କରିବା ଭଳି ଘଟଣା ସାମ୍ନାକୁ ଆସିଛି।
ଧାନର ବିକଳ୍ପ ଭାବେ ଚାଷୀଙ୍କୁ ଅଣଧାନ ଅର୍ଥାତ୍‌ ପନିପରିବା, ଶସ୍ୟଜାତୀୟ ଫସଲ କରିବା ପାଇଁ କୃଷି ବିଭାଗ ଉତ୍ସାହିତ କରୁଛି। କିନ୍ତୁ ପନିପରିବାର ଅଭାବୀ ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗଞ୍ଝିଆଟିକ୍ରା ଗ୍ରାମର ଚାଷୀମାନେ ଧାନ ପରିବର୍ତ୍ତେ ପରିବା ଫସଲରେ ଅଧିକ ଲାଭ ମିଳିବ ବୋଲି ଆଶା ବାନ୍ଧିଥିଲେ। ତେଣୁ ସେମାନେ ବହୁ ଏକର ଜମିରେ କୋବି ଚାଷ କରିଥିଲେ। କିନ୍ତୁ ଅମଳ ପରେ ବେପାରୀମାନେ କୋବି କିଲୋଗ୍ରାମ ପ୍ରତି ୨ରୁ ୩ଟଙ୍କା ଦର କରିବାକୁ କହିଥିଲେ। ଏହି ଦରରେ ଚାଷରେ ନିୟୋଜିତ ଶ୍ରମିକଙ୍କ ଖର୍ଚ୍ଚ ମଧ୍ୟ ବାହାରିବ ନାହିଁ। ଫଳରେ ଚାଷୀମାନେ କୋବି ନ ଅମଳ କରି ତାହାକୁ ନଷ୍ଟ କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଚାଷୀ ପ୍ରଶାନ୍ତ ସାହୁ କହିଛନ୍ତି। ସେହିପରି ଗଞ୍ଝିଆଟିକ୍ରାର ଆଉ ଜଣେ ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, ସେ ୨ ଏକର ଜମିରେ ଫୁଲକୋବି ଏବଂ ବନ୍ଧାକୋବି ଚାଷ କରିଛନ୍ତି। ଏଥିରେ ସେ ପାଖାପାଖି ୧ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ବେପାରୀମାନେ କି.ଗ୍ରା. ପ୍ରତି ୨ଟଙ୍କା ଦରରେ ବନ୍ଧାକୋବି ମାଗୁଛନ୍ତି। ଶୀତଳଭଣ୍ଡାର ଥିଲେ ଏଭଳି ସମସ୍ୟା ଉପୁଜି ନ ଥାଆନ୍ତା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କୋବି ଫସଲରେ ଟ୍ରାକ୍ଟର ମଡ଼ାଇ ନଷ୍ଟ କରିଥିବା ଚାଷୀ କାଶୀନାଥ ପ୍ରଧାନ କହିଛନ୍ତି, କୋବି ଚାଷରୁ ଭଲ ଲାଭ ମିଳିବ ବୋଲି ସେ ଏହି ଚାଷ କରୁଥିଲେ। ହେଲେ କୋବି ଦର ଏଭଳି କମିଗଲା ଯେ ବେପାରୀମାନେ ମଧ୍ୟ ଆଉ କିଣିବା ପାଇଁ ଆସିଲେ ନାହିଁ। କ୍ଷେତରେ ତାହା ଅଧିକ ଦିନ ରହିପାରିବ ନାହିଁ। ସେଥିପାଇଁ ସେ ଟ୍ରାକ୍ଟର ମଡ଼ାଇ ତାହାକୁ ନଷ୍ଟ କରିଥିବା କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ଅଶୋକ କୁମାର ଅମାତ କହିଛନ୍ତି, ଅନୁକୂଳ ପାଗ ଯୋଗୁ ଏଥର ଉଭୟ ଧାନ ଏବଂ ଅଣଧାନ ଫସଲ ଭଲ ହୋଇଛି। ପରିବା ବିକ୍ରିବଟାରେ ସମସ୍ୟା ଦେଖାଯାଇଛି। ଶୀତଳ ଭଣ୍ଡାର ଅଭାବରୁ ମଧ୍ୟ ଏହି ସମସ୍ୟା ହେଉଛି। ଚାଷୀମାନେ ଚାହିଁଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଶୀତଳଭଣ୍ଡାର କରିପାରିବେ। ସେଥିପାଇଁ ଚାଷୀଙ୍କୁ ସଚେତନ କରାଯିବ। ସେହିପରି ସାଧାରଣ ଶୀତଳଭଣ୍ଡାରରେ କୋବି ସଂରକ୍ଷଣ ସମ୍ଭବ ନୁହେଁ, ତାହା କ୍ଷଣସ୍ଥାୟୀ। ଏଥିପାଇଁ ମଲ୍ଟି ପର୍ପୋଜ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି ବୋଲି ଅମାତ କହିଛନ୍ତି।
ସେହିପରି ଯାଜପୁର ଜିଲା ରସୁଲପୁର ବ୍ଲକରେ ପନିପରିବା ଚାଷ ବହୁଳ ଭାବରେ କରାଯାଉଛି। ଏହି ବ୍ଲକର ବାରବାଟୀଠାରେ ଚାଷୀଙ୍କ ଦୈନିକ ପରିବା ହାଟର ବେଶ୍‌ ଖ୍ୟାତି ରହିଛି। କ୍ଷେତରୁ ଉପତ୍ାଦିତ ପରିବାକୁ ହାଟରେ ବିକି ଚାଷୀ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏବେ ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଚାଷୀମାନେ ହତାଶ ହେଉଛନ୍ତି। ବିଶେଷକରି ଫୁଲକୋବି ଚାଷୀ ଘୋର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ହାଟରେ ଉନ୍ନତମାନର ଫୁଲକୋବି ଗୋଟାକ (୧ରୁ ୧.୫ କେ.ଜି. ମଧ୍ୟରେ) ଦର ୫ଟଙ୍କାକୁ ଖସି ଆସିଛି, ଯାହାକି ଉପତ୍ାଦିତ ମୂଲ୍ୟଠାରୁ କମ୍‌। ଉନ୍ନତ କିସମର ମଞ୍ଜି ବ୍ୟବହାର କରି ଚାରା ଉପତ୍ାଦନ କରିବାରୁ ଚାଷୀମାନଙ୍କୁ ଫୁଲକୋବି ଚାରା ପିଛା ୧ରୁ ୨ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏହାଛଡ଼ା କୃଷି ଶ୍ରମିକମାନଙ୍କ ସଂଖ୍ୟା କମିଯାଉଛି। ଶ୍ରମିକ ଚାହିଦା ବଢ଼ିଯାଇଥିବାରୁ ସେ ବାବଦକୁ ଚାଷୀମାନଙ୍କୁ ଅଧିକ ମଜୁରି ଖର୍ଚ୍ଚ କରିବାକୁ ପଡୁଛି। ଏ ଅଞ୍ଚଳର କୋବି ଚାଷୀ ଆଲୋକ କୁମାର ମଲ୍ଲିକଙ୍କ ମତରେ ସାର, କୀଟନାଶକ, ଉନ୍ନତ କିସମର ମଞ୍ଜି, କୃଷି ଶ୍ରମିକ, ଜଳସେଚନ ବ୍ୟବସ୍ଥା ଆଦି ମହଙ୍ଗା ହୋଇପଡ଼ିଛି। ହାଟ ନିକଟରେ ସଂରକ୍ଷଣ ବ୍ୟବସ୍ଥା, ସରକାରୀ ମଣ୍ଡିର ସୁବିଧା ନ ଥିବାରୁ ଚାଷୀମାନଙ୍କ କୃଷିଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟ ମିଳୁନାହିଁ। ଯାଜପୁର ଜିଲାରେ ପନିପରିବା ସଂରକ୍ଷଣ ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ। ଜିଲାର ଛତିଆଠାରେ ଥିବା ଶୀତଳଭଣ୍ଡାର କେବଳ ଆଳୁ ସଂରକ୍ଷଣ ରଖିବା ପାଇଁ ଉଦ୍ଦିଷ୍ଟ। ପରିବା ସଂରକ୍ଷଣ ପାଇଁ ପ୍ରତ୍ୟେକ ହାଟ ନିକଟରେ ଶୀତଳଭଣ୍ଡାର ସୁବିଧା କରାଯାଇପାରିଲେ ଚାଷୀମାନଙ୍କ ଦ୍ରବ୍ୟକୁ ଉଚିତ୍‌ ମୂଲ୍ୟ ମିଳିପାରିବ ବୋଲି ସେ କହିଛନ୍ତି। ଆଉ ଜଣେ ଅଗ୍ରଣୀ ଚାଷୀ ଶିଶିର କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଷୀଙ୍କ ଦୁଃଖ ଶୁଣିବାକୁ କେହିନାହିଁ। ଚାଷୀ କେବଳ ମୁଣ୍ଡର ଝାଳ ତୁଣ୍ଡରେ ମାରି କ୍ଷେତରେ ଖଟିବ, ଆଉ ତା’ର ଉପତ୍ାଦିତ ଦ୍ରବ୍ୟକୁ ନ୍ୟାୟ ମିଳିବ ନାହିଁ। ଏହାଠାରୁ ଘୋର ଅନ୍ୟାୟ ଓ ବଡ଼ ବିପତ୍ତି ଆଉ କିଛି ନାହିଁ। ସରକାର ଚାଷୀମାନଙ୍କ ଉଦ୍ଦେଶ୍ୟରେ ଘୋଷଣା କରୁଥିବା ଯୋଜନାକୁ ବାସ୍ତବ ରୂପ ଦିଅନ୍ତୁ, ନଚେତ ଖାଦ୍ୟ ସଙ୍କଟ ସୃଷ୍ଟି ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri