ପ୍ରତିଯୋଗିତା ଭିତ୍ତିରେ ହେବ ପୂଜା

ଅନୁଗୋଳ ଅଫିସ, ୨୮।୮: କିଛିଟା ଦୂର ହୋଇଛି କରୋନା କଷ୍ଟ। ପୂର୍ବପରି କଡ଼ାକଡ଼ି ନାହିଁ କଟକଣା। ତେଣୁ ଏଥର ଜମିବ ପାର୍ବଣ। ସାଜସଜ୍ଜା, ବୁଲାବୁଲି, କିଣାବିକା, ଦୋଳି, ମିନାବଜାର ଏମିତି ପୂଜାକୁ ନେଇ ବହୁ ଯୋଜନା କରିଛନ୍ତି ଅନୁଗୋଳ ସହରବାସୀ। ସେହିପରି ପୂଜା କମିଟିଗୁଡ଼ିକ ପକ୍ଷରୁ ମଧ୍ୟ ଜୋର୍‌ଦାର ହୋଇଛି ପ୍ରସ୍ତୁତି। ଆକର୍ଷଣୀୟ ମଣ୍ଡପ ନିର୍ମାଣ ଠାରୁ ଆଖି ଝଲସାଇଦେଲା ଭଳି ଭସାଣି, ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ନିଆଯାଇଛି ନିଷ୍ପତ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଅନ୍ୟ ଅପେକ୍ଷା ଆଗରେ ରହିବାକୁ ମଣ୍ଡପ କର୍ମକର୍ତ୍ତାମାନେ ସ୍ଥିର କରିଥିବାରୁ ଏଥର ଅନୁଗୋଳରେ ପ୍ରତିଯୋଗିତା ଭିତ୍ତିରେ ପୂଜା ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି।
ଅନୁଗୋଳ ସହରରେ ଚଳିତବର୍ଷ ୩୦ରୁ ଅଧିକ ମଣ୍ଡପରେ ଗଜାନନଙ୍କ ପୂଜା ହେବ। ଏହାକୁ ନେଇ ସହର ଏବେଠୁ ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ମଣ୍ଡପରେ ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଥିବା ଦେଖିବାକୁ ମିଳିଛି। ଏପରି କି ପ୍ରଥମ କ୍ଲବ ଭାବେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ଶନିବାର ରାତିରେ ଲାଇଟ୍‌ ତୋରଣର ଟେଷ୍ଟିଂ କରାଯାଇଛି। ଫଳରେ ପୂଜା ଆହୁରି ୩ ଦିନ ବାକି ଥିଲେ ବି ପାର୍ବଣର ଉତ୍ସାହ ସହରରେ ଖେଳିଯାଇଛି। ସେହିପରି ଭସାଣି ଉତ୍ସବରେ ୧୫ଟି ମେଢ଼ ସାମିଲ ହେବାକୁ ଥିବାବେଳେ ଲଟେରି ସହ କିଏ କାହା ପଛକୁ ରହିବ ତାହା ସ୍ଥିର ହୋଇସାରିଛି। ଚଳିତବର୍ଷ ଭସାଣିକୁ ଅତ୍ୟନ୍ତ ସ୍ବତନ୍ତ୍ର କରିବାକୁ ମଣ୍ଡପଗୁଡ଼ିକ ପକ୍ଷରୁ ଯୋଜନା ହୋଇଛି। କେନ୍ଦ୍ରାପଡ଼ାର ମ୍ୟୁଜିକ୍‌ ବ୍ୟାଣ୍ଡ ସାଙ୍ଗକୁ ବରଗଡ଼ର ଦୁଲଦୁଲି ବାଜା, ଝାଡ଼ଖଣ୍ଡୀ ଆଲୁଅର ଯାଦୁ, ପୁରୀର ଘଣ୍ଟୁଆ ଓ ଲୋକକଳାର ଝଲକ ସହ ବିଭିନ୍ନ ଲୋକ ନୃତ୍ୟ ଭସାଣିରେ ସାମିଲ କରାଯିବ। ୪ ତାରିଖରେ ଟାଉନ୍‌ ହାଇସ୍କୁଲ ପଡ଼ିଆରେ ପ୍ରିନ୍ସ ଫେଷ୍ଟ ଅନୁଷ୍ଠିତ ହେବ। ଏଥିରେ ଓଲିଉଡର ତାରକା କଣ୍ଠଶିଳ୍ପୀ ଶଶାଙ୍କ ଶେଖର, ସ୍ବୟମ୍‌ ପାଢ଼ୀ ଓ ନାଭ୍ୟା ଯଯାତିଙ୍କ ସହ ବ୍ୟାଣ୍ଡ ପାର୍ଟି ସେମାନଙ୍କ ଯାଦୁ ଦେଖାଇବେ। କେତେକ ମଣ୍ଡପରେ ଅନ୍ନପ୍ରସାଦ ସହ ଅନାଥ ଆଶ୍ରମରେ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଉଛି। ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ବିଭିନ୍ନ କ୍ଲବ ସହ ଆଲୋଚନା କରାଯାଇଛି।

 

ଆଗରେ ରହିବାକୁ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବର ଯୋଜନା
ପୂଜା ଆୟୋଜନରେ ସହରର ସମସ୍ତ କ୍ଲବକୁ ପଛରେ ପକାଇବାକୁ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ଯୋଜନା କରାଯାଇଛି। ସାଜସଜ୍ଜା ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏ ପ୍ରତିଟି କ୍ଷେତ୍ରରେ କିଛି ନିଆରା କରିବାକୁ କ୍ଲବ ସ୍ଥିର କରିଛି। ୯ ଫୁଟର ମୂର୍ତ୍ତି ନିର୍ମାଣ ହୋଇଛି। ଭସାଣିରେ ଦୁଲଦୁଲି ବାଜା ସାଙ୍ଗକୁ ସମ୍ବଲପୁରୀ ଛାପ ଛାଡ଼ିବାର ନିଷ୍ପତ୍ତି କରାଯାଇଛି। ପ୍ରିନ୍ସ ଫେଷ୍ଟ ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ। ଓଲିଉଡ଼ର ତାରକା କଣ୍ଠଶିଳ୍ପୀଙ୍କ ସହ ବ୍ୟାଣ୍ଡରେ ସହରବାସୀ ଝୁମିଉଠିବେ ବୋଲି କ୍ଲବ ପକ୍ଷରୁ ଦିବ୍ୟଜିତ୍‌ ଦାସ ସୂଚନା ଦେଇଛନ୍ତି।

 

କ୍ଲବ ଗଣପତ୍‌ର ଝାଡ଼ଖଣ୍ଡୀ ଆଲୋକ
ଅନୁଗୋଳର କ୍ଲବ ଗଣପତ୍‌ ପକ୍ଷରୁ ଚଳିତବର୍ଷ ୧୩ ଫୁଟ ୩ ଇଞ୍ଜର ମୂର୍ତ୍ତି ନିର୍ମାଣ କରାଯାଇଛି। ତୋରଣ ନିର୍ମାଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପୂଜା ସମୟରେ ପ୍ରତ୍ୟେକ ଦିନ ପ୍ରସାଦ ବଣ୍ଟନ ସହ ସନ୍ଧ୍ୟାରେ କ୍ଷୀର ଓ କାକରା ଭକ୍ତଙ୍କୁ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ତେବେ ଝାଡ଼ଖଣ୍ଡରୁ ଅଣାଯାଇଥିବା ସ୍ବତନ୍ତ୍ର ଆଲୋକ ସହରବାସୀଙ୍କୁ ଚମତ୍କୃତ କରିଦେବ। ଭସାଣିର ସ୍ବତନ୍ତ୍ର ଆକର୍ଷଣ ସାଜିବ ବୋଲି କ୍ଲବ ପକ୍ଷରୁ ଚନ୍ଦନ କୁମାର ସାହୁ ସୂଚନା ଦେଇଛନ୍ତି।

 

ମହାବିନାୟକ ଯୁଥ୍‌ କ୍ଲବରେ ସର୍ବୋଚ୍ଚ ମୂର୍ତ୍ତି
ଚଳିତବର୍ଷ ପୂଜାରେ ସବୁଠାରୁ ବଡ଼ ମୂର୍ତ୍ତି ନିର୍ମାଣ କରୁଛି ମହାବିନାୟକ ୟୁଥ୍‌ କ୍ଲବ। ଏହି ମଣ୍ଡପରେ ୧୫ ଫୁଟ ଉଚ୍ଚତାର ଠାକୁର ବସାଯିବା ସହ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପଲିଥିନ୍‌ ମୁକ୍ତ ସହର ପାଇଁ ସଚେତନତା ସୃଷ୍ଟି କରାଯିବ। ଭସାଣିକୁ ମଧ୍ୟ ଆକର୍ଷଣୀୟ କରାଯିବ। ଝିଲ୍‌ମିଲ୍‌ ଲାଇଟ୍‌ ସହିତ ପୁରୀର ସାଂସ୍କୃତିକ ଅନୁଷ୍ଠାନକୁ ଏଥିରେ ସାମିଲ କରାଯିବ। କେନ୍ଦ୍ରାପଡ଼ାର ମ୍ୟୁଜିକ୍‌ ଦର୍ଶକଙ୍କ ମନ ଛୁଇଁବ ବୋଲି ମହାବିନାୟକ ଯୁଥ୍‌ କ୍ଲବର ଶିବାନୀ ଗୌଡ଼ ପ୍ରକାଶ କରିଛନ୍ତି।

 

ଭସାଣିକୁ ଅଧିକ ଗୁରୁତ୍ୱ ଦେବ ୟୁନାଇଟେଡ୍‌ କ୍ଲବ
କରୋନା ପାଇଁ ଦୁଇ ବର୍ଷ ଧରି ପୂଜା ହୋଇ ନ ଥିଲା। ତେଣୁ ଚଳିତବର୍ଷ ପୂଜାକୁ ଅନୁମତି ମିଳିବା ପରେ ୟୁନାଇଡେଟ୍‌ କ୍ଲବ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଅନ୍ୟମାନଙ୍କଠାରୁ କ୍ଲବ କିପରି ଆଗରେ ରହିବ ସେଥିପାଇଁ କିଛି ସ୍ବତନ୍ତ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂଜା ସହ ଧୁମ୍‌ଧାମରେ ଭସାଣି ଉତ୍ସବକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ମ୍ୟୁଜିକାଲ ବ୍ୟାଣ୍ଡ ସାଙ୍ଗକୁ ଲୋକନୃତ୍ୟର ବ୍ୟବସ୍ଥା ହୋଇଛି। ଘଣ୍ଟବାଦ୍ୟ, ଚିତ୍ତାକର୍ଷକ ଲାଇଟ୍‌ର ବ୍ୟବସ୍ଥା କରାଯାଇଛି ବୋଲି କ୍ଲବ ପକ୍ଷରୁ ଦେବଦତ୍ତ ପ୍ରଧାନ ସୂଚନା ଦେଇଛନ୍ତି।

 

ଅନାଥାଶ୍ରମରେ ଭୋଜନ ଦେବ ମହିମା ନେହେରୁ ପୂଜା କମିଟି
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୂଜା ବେଳେ ମହିମା ନେହେରୁ ପୂଜା କମିଟି ପକ୍ଷରୁ ଅନାଥାଶ୍ରମରେ ଭୋଜନ ପ୍ରଦାନ କରାଯିବ। ଅନ୍ତେବାସୀଙ୍କୁ ପୂଜା ମଣ୍ଡପ ନିକଟକୁ ଏକ ସ୍ବତନ୍ତ୍ର ଗାଡ଼ିରେ ଅଣାଯାଇ ପ୍ରସାଦ ପ୍ରଦାନ ବ୍ୟବସ୍ଥା ହେବ। ଏହାବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବ। ସାଜସଜ୍ଜା ସହ ଭସାଣି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ପୁରୀ ଚନ୍ଦନପୁର ଅଞ୍ଚଳର ଘଣ୍ଟୁଆ ଦଳଙ୍କୁ ସାମିଲ କରାଯିବ। କ୍ଲବ ପକ୍ଷରୁ ଅନାଥାଶ୍ରମ ପିଲାଙ୍କୁ ଅନ୍ନ ପ୍ରଦାନ ଦିଆଯିବ ବୋଲି କ୍ଲବ ପକ୍ଷରୁ ଅନୁପ କୁମାର ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri