ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ଘଟାଇ ଦୁର୍ବୁତ୍ତମାନେ ଚମ୍ପଟ ମାରିଥିବା ଜଣାପଡିଛି । ତେବେ ଏହି ଘଟଣାର କାରଣ ଅସ୍ପଷ୍ଟ ରହୁଥିବା ବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ୧୧ ସମୟରେ ସାନମୁଣ୍ଡଳୀ ଗ୍ରାମର କାଂହୁ ଚରଣ ଦଳେଇ ନାମକ ଯୁବକ ମୁଣ୍ଡଳୀ ବ୍ରିଜ ନିକଟସ୍ତ କେନାଲ ବନ୍ଧରେ ଥିବା ଏକ ଦହିବରା ଦୋକାନରେ ବସିଥିଲେ । ଏହି ସମୟରେ ହଠାତ ୫ ରୁ ୬ ଯୁବକ ହାତରେ ଖଣ୍ଡା ଧରି ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲେ । କାଂହୁ ରକ୍ତାତ ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଚାଲିଯାଇଥିବା ବେଳେ ନିକଟରେ ଥିବା ବୁଲା ନାମକ ଦହିବାର ଦୋକାନୀ ଓ ବାଟୁଆ ଲେଙ୍କା ନାମକ ପାନ ଦୋକାନୀ ଏହାକୁ ବିରୋଧ କରିଥିଲେ ହେଲେ ଦୁର୍ବୁତ୍ତ ମାନେ ଏହି ଦୁଇ ଦୋକାନୀ କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣ କରି ଦୁର୍ବୁତ୍ତମାନେ ମୁଣ୍ଡଳୀ ବ୍ରିଜ ଦେଇ ଆଠଗଡ଼ ଅଞ୍ଚଳକୁ ଚାଲି ଯାଇଥିବା ବେଳେ ତିନି ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ମେଡିକାଲ ଭର୍ତ୍ତି କରାଯାଇଛି । ତିନି ଯୁବକଙ୍କ ଅଵସ୍ଥା ସଙ୍କଟାପନ୍ନ ଥିବା ବେଳେ କେଉଁ କାରଣ ପାଇଁ ସଂଘବଦ୍ଧ ଆକ୍ରମଣ କଲେ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି ।

