ବର୍ଷାଦିନେ ଗର୍ଭବତୀଙ୍କ ଯତ୍ନ

କିଛିଦିନ ହେବ ଲାଗିରହୁଛି ପ୍ରବଳ ବର୍ଷା, ଯାହାକି ସଭିଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବାରୁ ଏହା ଅଧିକ ପ୍ରଭାବିତ କରୁଛି ଭାବୀ ମା’ମାନଙ୍କୁ। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ ସହ ଗର୍ଭସ୍ଥ ଶିଶୁ ପାଇଁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ…

ଖାଦ୍ୟ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ: ବର୍ଷା ସମୟରେ ଗର୍ଭବତୀ ନାରୀମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଝାଡ଼ା, ବାନ୍ତି, ଜଣ୍ଡିସ୍‌, ଜ୍ୱର ଆଦି ଅନେକ ଖାଦ୍ୟଜନିତ ସଂକ୍ରମଣ ରୋଗ ହୋଇଥାଏ। ତେଣୁ ନିଜ ସହ ଗର୍ଭସ୍ଥ ଶିଶୁର ଶରୀରକୁ ଶକ୍ତି ଯୋଗାଇ ଦେବା ଭଳି ସୁଷମ ତଥା ବେଶି ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଏହାଛଡ଼ା ବେଶି ତେଲ ମସଲାଯୁକ୍ତ, ବାସିଖାଦ୍ୟ ଆଦି ନ ଖାଇ ସଦ୍ୟ ପ୍ରସ୍ତୁତ ଗରମ ଖାଦ୍ୟ ଖାଇବା ସହ ଗରମ ସୁପ୍‌ ପିଇବା ଭଲ। ବଜାରରେ ମିଳୁଥିବା ଖାଦ୍ୟ ବି ଏ ସମୟରେ ହାନିକାରକ। କାରଣ ଏଥିରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷରେ ପ୍ରଚୁର ପରିମାଣରେ ତେଲ ଓ ମସଲା ସହ ସଂକ୍ରମିତ ପାଣି ବ୍ୟବହାର ହେଉଥିବାରୁ ସଂକ୍ରମଣଜନିତ ରୋଗ ହେବାର ଆଶଙ୍କା ବେଶି ଥାଏ ା ବେଳେବେଳେ କଟା ହୋଇଥିବା ଫଳ ବହୁତ ସମୟ ବାହାରେ ରହିବା ଦ୍ୱାରା ବି ସଂକ୍ରମଣ ହୋଇଥାଏ। ତେଣୁ ବାହାରେ ରହିଥିବା କଟାଫଳ ଖାଇବା ଅନୁଚିତ। କାକୁଡ଼ି, ଟମାଟୋ ଓ ପିଆଜ ଆଦି ଗରମ ପାଣିରେ ଧୋଇ ସାଲାଡ ପ୍ରସ୍ତୁତ କରିବା ଦରକାର ା ବିଶେଷ ଭାବରେ ଶାଗଜାତୀୟ ଖାଦ୍ୟ ଯଥା- ପାଳଙ୍ଗଶାଗ, ବିଭିନ୍ନ ପ୍ରକାର ଶାଗ, ବନ୍ଧାକୋବି, ଫୁଲକୋବି ଆଦି ପରିବା ପତ୍ରରେ ଛୋଟ ଛୋଟ ପୋକ ଓ ଜୀବାଣୁ ଥିବାରୁ ଏହାକୁ ରାନ୍ଧିବା ପୂର୍ବରୁ ଗରମ ପାଣିରେ ୩-୪ ଥର ଭଲଭାବେ ଧୋଇବା ଆବଶ୍ୟକ। ଏହି ସମୟରେ ମଟନ ଓ ଚିକେନ୍‌ ମଧ୍ୟ ବେଶି ପରିମାଣରେ ଖାଇବା ଠିକ୍‌ ନୁହେଁ- ଏହା ହଜମ ନ ହୋଇ ଅଜୀର୍ଣ୍ଣ ରୋଗ, ଝାଡା ଓ ବାନ୍ତିର କାରଣ ସାଜିଥାଏ।
ପିଅନ୍ତୁ ପର୍ଯ୍ୟାପ୍ତ ପାଣି: ବର୍ଷା ଅଧିକ ହେଲେ ଅନେକେ ଜଳବାୟୁ ଆର୍ଦ୍ର ଥିବାରୁ ପାଣି ପିଇବାରେ ଅବହେଳା କରି ବସନ୍ତି। ହେଲେ ମନେରଖନ୍ତୁ ଏ ସମୟରେ ପରିବେଶର ଉଷ୍ଣତା କମିଯିବାରୁ ବେଶି ପାଣି ପିଇବା ଓ ପାନୀୟ ଜିନିଷ ବ୍ୟବହାର କରିବା ଆବଶ୍ୟକ। ଏ ସମୟରେ କମ୍‌ ପାଣି ପିଇଲେ ଗର୍ଭବତୀଙ୍କୁ ଡିହାଇଡ୍ରେସନ ହୋଇ ବାନ୍ତିି ଲାଗେ, ମୁଣ୍ଡ ବିନ୍ଧେ ଏବଂ ଅଚେତ ହେବା ଭଳି ଲାଗେ- ତେଣୁ ସେମାନେ ଫଳରସ, ପଇଡ଼, ପାଣି, ଲେମ୍ବୁ ସରବତ ଆଦି ପ୍ରଚୁର ପରିମାଣରେ ପିଇବା ଦରକାର। ହେଲେ ବଜାରରେ ମିଳୁଥିବା ଦହି ଓ ଲସି ପିଇବା ଠିକ୍‌ ନୁହେଁ ା
ପରିଚ୍ଛନ୍ନତା ଗୁରୁତ୍ୱପୂର୍ଣ୍ଣ: ଗର୍ଭବତୀମାନେ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସଫାସୁତରା ରହିବା ଆବଶ୍ୟକ। ଭଲ ଭାବରେ ସ୍ନାନ କରିବା ଦ୍ୱାରା ଚର୍ମ ପରିଷ୍କାର ହୁଏ ଓ ଜୀବାଣୁ ଚର୍ମ ଭିତରକୁ ଯାଇପାରେ ନାହିଁ ା ବାହାରେ ବର୍ଷାରେ ଭିଜିଗଲେ ନିଜ ଶରୀରକୁ ଟାୱେଲରେ ପୋଛି ଶୁଖିଲା କରିବା ପରେ ଗରମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହୋଇ ନ ଥାଏ ା କେବଳ ସ୍ନାନ, ଶୌଚ ଠିକ୍‌ ଭାବେ କରିବା ନୁହେଁ ନଖକାଟିବା, ରାନ୍ଧିବା ଓ ଖାଇବା ଆଗରୁ ଡିସ୍‌-ଇନଫ୍ୟାକ୍ଟାଂଟ ହ୍ୟାଣ୍ଡଓ୍ବାଶ୍‌ ଲଗାଇ ହାତ ଧୋଇବା ଆବଶ୍ୟକ, ଯାହାକି ନିଜ ସହ ଗର୍ଭସ୍ଥ ଶିଶୁକୁ ବି ନୀରୋଗ ରଖିଥାଏ। ସେହିପରି ନିଜର ଘରଦ୍ୱାର ଓ ଆଖପାଖ ସ୍ଥାନ ମଧ୍ୟ ପରିଷ୍କାର ରଖନ୍ତୁ। କାର୍ବୋଲିକ୍‌ ସାବୁନର ଦ୍ରବଣରେ ଘରଦ୍ୱାର ପୋଛି ସଫା କରିବା ଦ୍ୱାରା ଜୀବାଣୁମୁକ୍ତ ରହିଥାଏ ା ଏହା ସହ ବିଛଣା ଚଦର ଓ ତଉଲିଆ ଆଦି ସଫା ରଖିବା ଆବଶ୍ୟକ। ମ୍ୟାଲେରିଆ ଓ ଡେଙ୍ଗୁ ରୋଗରୁ ରକ୍ଷା ପାଇଁ ମଶାରି ଟାଣି ଶୁଅନ୍ତୁ। ଆବଶ୍ୟକ ସ୍ଥଳେ ମଶାଧୂପ ଓ ମଶାକ୍ରିମ ବ୍ୟବହାର କରିପାରିବେ। ସର୍ବଦା କଟନ୍‌ ବା ସୂତା କପଡା ପିନ୍ଧିବା ଭଲ
ମନେରଖନ୍ତୁ…
– ଗର୍ଭାବସ୍ଥାରେ ହେଭି ମେକ୍‌ଅପ୍‌ ବା ଗାଢ଼ ପ୍ରସାଧନ ବ୍ୟବହାର କରିବା ଠିକ୍‌ ନୁହେଁ। ବିଶେଷକରି ମସ୍କାରା ଓ ପଫ୍‌, ଆଇ-ଲାଇନର ଓ ଲିପଷ୍ଟିକ୍‌ରୁ ସଂକ୍ରମଣର ଭୟ ଥାଏ, ତେଣୁ ହାଲୁକା ମେକ୍‌ଅପ୍‌ ନିଅନ୍ତୁ।
– ବାହାରକୁ ଯାଉଥିଲେ ପାଖରେ ଛତା, ରେନିକୋଟ ରଖନ୍ତୁ। ଯଦି ପ୍ରସବର ସମ୍ଭାବନା ତାରିଖ ନିକଟରେ ଥାଏ, ତେବେ ସବୁ ପ୍ରକାର ପ୍ରସ୍ତୁତି କରିରଖନ୍ତୁ। ଯଥା- ଡାକ୍ତରଙ୍କର ଫୋନ୍‌ ନମ୍ବର, ହସ୍ପିଟାଲ, ଆମ୍ବୁଲାନ୍ସର ଫୋନ୍‌ ନମ୍ବର ଏବଂ ହସ୍ପିଟାଲ ଯିବା ପାଇଁ ଗାଡ଼ିଠାରୁ ଆରମ୍ଭ କରି ସବୁ ଜିନିଷର ପ୍ରସ୍ତୁତି ଆଗରୁ କରି ରଖନ୍ତୁ।
ବର୍ଷାଦିନକୁ ନ ଡରି ଏହାର ମୁକାବିଲା କରିବା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ସହ ସ୍ବାସ୍ଥ୍ୟରକ୍ଷାର ନିୟମ ମାନି ଚଳିଲେ ଗର୍ଭବତୀ ମା’ଟିଏ ନିଜ ସହ ଗର୍ଭସ୍ଥ ଶିଶୁକୁ ବି ସୁରକ୍ଷିତ ରଖିପାରିବ ସେଥିରେ ସନ୍ଦେହ ନାହିଁ।

– ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞା
ଲିଙ୍କ୍‌ରୋଡ଼, କଟକ- ୧୨
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri